ସମ୍ବଲପୁର : ସମ୍ପନ୍ନ ହେଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ କାର୍ଯ୍ୟକ୍ରମ ଥାଳ ଉଠା ପର୍ବ । ସମ୍ପୂର୍ଣ୍ଣ ରୀତି ନୀତି ଅନୁଯାୟୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା ଥାଳ ଉଠା ପର୍ବ । ଆଜି ପବିତ୍ର ଅକ୍ଷୟ ତୃତୀୟାରେ ସହରର ପ୍ରସିଦ୍ଧ ଶିବାଳୟ ଗୁଡିକରେ ଅନୁଷ୍ଠିତ ହୋଇଯାଇଛି ଏହି ଥାଳ ଉଠା ପର୍ବ। ଯଥା ରୀତି ନୀତି ଅନୁଯାୟୀ ନନ୍ଦପଡାର ବମ ବରାଡ଼ ବାବା ବାଲୁଙ୍କେଶ୍ୱର, ଝାଡୁଆପଡାର ଲୋକନାଥ ବାବା, ଓ ମୋଦୀପଡାର ଜାଗେଶ୍ୱର ବାବାଙ୍କ ମନ୍ଦିରରେ ଆଡମ୍ବର ସହକାରେ ଥାଳଉଠା ପୂଜାର୍ଚ୍ଚନା କରାଯାଇଥିଲା ।
ଚଳିତ ବର୍ଷର ନୂତନ କନ୍ୟା ପିତାମାତା , ସ୍ଥାନୀୟ ବୁଦ୍ଧିଜୀବୀ ଓ ମନ୍ଦିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଥାଳ ଉଠିଥିଲା ଓ ଯାତ୍ରାର ଆୟୋଜନ ପାଇଁ ପାଣ୍ଠି ସଂଗ୍ରହ ଆରମ୍ଭ ହୋଇଥିଲା । ମନ୍ଦିର କର୍ମକର୍ତ୍ତା ପୂଜକଙ୍କ ସହିତ ବିଭିନ୍ନ ପଡା ବୁଲି ପାଣ୍ଠି ସଂଗ୍ରହ ଆରମ୍ଭ କରିଥିଲେ । ଆସନ୍ତା ମେ ମାସ ୩୧ ତାରିଖରେ ଶିବ ବିବାହ ଜୁନ ୧ ତାରିଖରେ ନବବିବାହିତ ଦେବଦମ୍ପତିଙ୍କ ନଗର ପରିକ୍ରମା ପରେ ୨ ତାରିଖରେ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
