ନୂଆଦିଲ୍ଲୀ,୧।୫: ପହଲଗାମ୍ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ଦେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆତଙ୍କବାଦୀଙ୍କୁ କଡା ଚେତାବନୀ ଦେଇଛନ୍ତି। ପ୍ରତିଟି ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବାକୁ ସେ ଜୋର ଦେଇଛନ୍ତି।
ଅମିତ ଶାହ କହିଛନ୍ତି, “…ଯଦି କେହି କାପୁରୁଷ ଭଳି ଆକ୍ରମଣ କରି ଭାବୁଛନ୍ତି ଯେ ଏହା ସେମାନଙ୍କର ବଡ଼ ବିଜୟ, ତେବେ ଗୋଟିଏ କଥା ବୁଝନ୍ତୁ, ଏହା ହେଉଛି ନରେନ୍ଦ୍ର ମୋଦି ସରକାର, କାହାକୁ ଛଡ଼ାଯିବ ନାହିଁ। ଏହି ଦେଶର ପ୍ରତି ଇଞ୍ଚରୁ ଆତଙ୍କବାଦକୁ ମୂଳୋତ୍ପାଟନ କରିବା ଆମର ଦୃଢ଼ ସଂକଳ୍ପ ଏବଂ ଏହା ପୂରଣ ହେବ। କେବଳ ୧୪୦ କୋଟି ଭାରତୀୟ ନୁହଁ, ବରଂ ସମଗ୍ର ବିଶ୍ୱ ଏହି ଲଢ଼େଇରେ ଭାରତ ସହ ଛିଡ଼ା ହୋଇଛି। ବିଶ୍ୱର ସମସ୍ତ ଦେଶ ଏକଜୁଟ ହୋଇ ଆତଙ୍କବାଦ ବିରୁଦ୍ଧରେ ଏହି ଲଢ଼େଇରେ ଭାରତର ଜନତାଙ୍କ ସହ ଛିଡ଼ା ହୋଇଛନ୍ତି। ମୁଁ ପୁନର୍ବାର ଏହି ସଂକଳ୍ପକୁ ଦୋହରାଉଛି ଯେ ଯେପର୍ଯ୍ୟନ୍ତ ଆତଙ୍କବାଦ ସମ୍ପୂର୍ଣ୍ଣ ରୂପେ ନିର୍ମୂଳ ନ ହୁଏ, ଆମର ଲଢ଼େଇ ଜାରି ରହିବ ଏବଂ ଯେଉଁମାନେ ଏହା କରିଛନ୍ତି, ସେମାନଙ୍କୁ ନିଶ୍ଚିତ ଭାବେ ଉପଯୁକ୍ତ ଦଣ୍ଡ ଦିଆଯିବ।”
ସେ ଆହୁରି କହିଛନ୍ତି, “ଆଜି, ମୁଁ ଜନସାଧାରଣଙ୍କୁ କହିବାକୁ ଚାହୁଁଛି ଯେ ୯୦ ଦଶକରୁ କାଶ୍ମୀରରେ ଆତଙ୍କବାଦ ଚଳାଇଥିବା ଲୋକଙ୍କ ବିରୁଦ୍ଧରେ ଆମେ ଶୂନ୍ୟ ସହନଶୀଳତା ନୀତି ଅଧୀନରେ ଦୃଢ଼ତାର ସହ ଲଢ଼ୁଛୁ। ଆଜି, ସେମାନେ (ଆତଙ୍କବାଦୀମାନେ) ଏହା ଭାବିବା ଉଚିତ୍ ନୁହେଁ ଯେ ଆମ ନାଗରିକଙ୍କ ଜୀବନ ନେଇ ସେମାନେ ଯୁଦ୍ଧରେ ଜିତିଛନ୍ତି। ମୁଁ ସେହି ସମସ୍ତ ଲୋକଙ୍କୁ, ଯେଉଁମାନେ ଆତଙ୍କ ସୃଷ୍ଟି କରୁଛନ୍ତି, କହିବାକୁ ଚାହୁଁଛି ଯେ ଏହା ଯୁଦ୍ଧର ଶେଷ ନୁହେଁ; ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉପଯୁକ୍ତ ଜବାବ ଦିଆଯିବ।”
