‘ଜଗନ୍ନାଥ ଧାମ ନାଁ, ଗ୍ରହଣୀୟ ନୁହେଁ’, ବର୍ଷିଲେ ସୁଦର୍ଶନ

ଭୁବନେଶ୍ବର: ଦୀଘାର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ପର ଠାରୁ ଥମୁନି ବିବାଦ । ଚାରିଆଡେ ଅସନ୍ତୋଷ ତେଜିଛି । ପଣ୍ଡାପଢିଆରଙ୍କ ଠାରୁ ନେଇ ସେବାୟତ ପର୍ଯ୍ୟନ୍ତ ସମସ୍ତେ ଏହାକୁ ବିରୋଧ କରିଛନ୍ତି । ଜଗନ୍ନାଥ ମନ୍ଦିର କଲେ, ହେଲେ କାହିଁକି ଏହାର ନାମ ‘ଜଗନ୍ନାଥ ଧାମ’ ରଖାଗଲା ବୋଲି ନେଇ, ତାକୁ ନେଇ ବିବାଦ ।

ଏହି କ୍ରମରେ ଏବେ ଦୀଘାରେ ‘ଜଗନ୍ନାଥ ଧାମ’ ନାଁ ବିବାଦରେ ନିଜର ପ୍ରତିକ୍ରିୟା ରଖି ଏହାକୁ ନିନ୍ଦା କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏନେଇ ନିଜ ଏକ୍ସରେ ଏକ ପୋଷ୍ଟ ଜାରି କରି ବର୍ଷିଛନ୍ତି । କହିଛନ୍ତି, ଭାରତରେ କେବଳ ଚାରୋଟି ଧାମ ଅଛି ଏବଂ ପୁରୀରେ ଥିବା ଜଗନ୍ନାଥ ଧାମ ସେମାନଙ୍କ ମଧ୍ୟରୁ ଗୋଟିଏ । ଦୀଘାରେ ଉଦ୍ଘାଟିତ ମନ୍ଦିର ଜଗନ୍ନାଥ ଧାମ ହୋଇପାରିବ ନାହିଁ । ଏହା କଦାପି ଗ୍ରହଣୀୟ ନୁହେଁ, ଷଡ଼ଯନ୍ତ୍ର ହୋଇଛି । ଏନେଇ ପ୍ରତ୍ୟେକ ଲୋକ ସ୍ବର ଉଠାଇଲେଣି । ଗଜପତି ମହାରାଜଙ୍କୁ ଏନେଇ ଜଣାଇଛି ବୋଲି କହିଛନ୍ତି ସୁଦର୍ଶନ । ଦୀଘା ଜଗନ୍ନାଥ ମନ୍ଦିରକୁ ଆମେ ସ୍ବାଗତ କରୁଛୁ । କିନ୍ତୁ ‘ଜଗନ୍ନାଥ ଧାମ’ ନାଁ କଦାପି ଗ୍ରହଣୀୟ ନୁହେଁ ବୋଲି ସେ ମତ ରଖିଛନ୍ତି ।

ଏଥିସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଶୀଘ୍ର, ଏହାରକୁ ଜଗନ୍ନାଥ ଧାମ କହିବା ବନ୍ଦ କରାଯାଉ ବୋଲି ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି । କହିଛନ୍ତି, ମମତା ବାନାର୍ଜି, ଏହାକୁ ଜଗନ୍ନାଥ ଧାମ ନ କହିବା ପାଇଁ ତୁରନ୍ତ ନିର୍ଦ୍ଦେଶ ଦିଅନ୍ତୁ । କାରଣ ଏହା ପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ଭାବନାକୁ ଆଘାତ ଦେଉଛି । ଏଥିସହିତ ଏହା ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟି କରିବ ବୋଲି କହିଛନ୍ତି ସୁଦର୍ଶନ ।

ସେପଟେ, ଦୀଘା ମନ୍ଦିର ବିବାଦ ଏବେ ଖାଲି ନାଁରେ ସୀମିତ ନାହିଁ । ମନ୍ଦିର ପ୍ରତିଷ୍ଠା ସମୟରେ ଉପସ୍ଥିତ ଥିବା ଦଇତାପତି ସେବାୟତ ରାମକୃଷ୍ଣଙ୍କ, ମହାପ୍ରଭୁଙ୍କ ନବକଳେବର ସମୟର ବଳକା କାଠ ସେଠିକା ଜଗନ୍ନାଥ ମୂର୍ତ୍ତି ପ୍ରସ୍ତୁତିରେ ଲାଗିଥିବା ବୟାନକୁ ନେଇ ଏବେ ଆରମ୍ଭ ହୋଇଛି ଆଉ ଏକ ନୂଆ ବିବାଦ । କାଠ ସେଠାରେ ବ୍ୟବହାର ହେଲା କେମିତି ? କାହା ଅନୁମତିରେ ଦଇତାପତି ସେବାୟତ ଏପରି କଲେ ? ତାକୁ ନେଇ ଏବେ ତଦନ୍ତ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏନେଇ ଆଇନ ମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ । ଦାରୁ କିପରି ଗଲା ତଦନ୍ତ ହେଲା ପରେ ସବୁ ସ୍ପଷ୍ଟ ହେବ । ଜଗନ୍ନାଥ ମନ୍ଦିର କରିବାରେ କିଛି ଅସୁବିଧା ନାହିଁ । କିନ୍ତୁ ଠାକୁରଙ୍କ ବଳକା କାଠ ଯାଇଁ ଅନ୍ୟ କେଉଁଠି ବ୍ୟବହାର ହେବା ଅଗ୍ରହଣୀୟ ।

nis-ad
Leave A Reply

Your email address will not be published.