କଟକ: ଖାନ୍ନଗରରେ ବ୍ରିଜ୍ ନିର୍ମାଣ ସମୟରେ ଗତକାଲି ଘଟିଥିବା ଅଘଟଣରେ ୩ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହି ଘଟଣାରେ ୩ ଜଣିଆ ବୈଷୟିକ କମିଟି ଗଠନ କରାଯାଇଛି। ୧୫ ଦିନ ମଧ୍ୟରେ କମିଟି ତଦନ୍ତ କରି ରିପୋର୍ଟ ଦେବ । ଆଜିଠାରୁ ତଦନ୍ତ ଆରମ୍ଭ ହେବ ।
ସେହିପରି ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ଓ ଆହତଙ୍କ ସମସ୍ତ ଚିକିତ୍ସା ମାଗଣାରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଶନିବାର ସନ୍ଧ୍ୟାବେଳେ କଟକ ଖାନନଗରରେ ବ୍ରିଜ୍ କାମ ଚାଲିଥିବା ବେଳେ ଯାଇଛି ୩ ଜଣଙ୍କର ଜୀବନ। କାମ ଚାଲିଥିବା ବେଳେ ସ୍ଲାବ୍ ଖସିପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗୁରୁତର ମାନଙ୍କର ଚିକିତ୍ସା କଟକ ଏସସିବି ମେଡ଼ିକାଲରେ ଚାଲିଛି। ଖାନନଗରଠାରେ କାଠଯୋଡ଼ି ବ୍ରିଜ୍ କାମ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି।
ସ୍ଲାବ୍ ଖସିପଡ଼ିବାରୁ ଏହା ତଳେ ୫ ଜଣ ଶ୍ରମିକ ଚାପି ହୋଇ ରହିଥିଲେ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଏସସିବି ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ୨ ଜଣଙ୍କର ଅବସ୍ଥା ଗୁରୁତର ରହିଛି। କ୍ରେନର ବ୍ୟାଣ୍ଡ ଛିଡ଼ିପଡ଼ିବାରୁ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଜିଲ୍ଲାପାଳ, କଟକ ଡିସିପି,ମେୟର ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମୃତକଙ୍କ ପରିଚୟ ମିଳିଛି, ମୃତକ ମାନେ ହେଲେ ସାଇଟ୍ ଇଞ୍ଜିନିୟର ସୌମ୍ୟରଞ୍ଜନ ମଲ୍ଲିକ, ଶିବଶଙ୍କର ପଟ୍ଟନାୟକ ଓ ସୁବାସ ଚନ୍ଦ୍ର ଭକ୍ତ। ସେହିପରି ୨ ଆହତ ହେଉଛନ୍ତି ଅରୁଣ ବାରିକ ଏବଂ ବିକଳ ଜେନା । ଏସସିବିରେ ଆହତଙ୍କୁ ଭେଟିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
