ପୁରୀ : ଆଜି ସରିଲା ଦ୍ଵିତୀୟ ଦିନର ପ୍ରଥମ ପର୍ଯ୍ୟାୟ ବୈଠକ । ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ‘ଦାରୁ’ ବିବାଦ ପ୍ରସଙ୍ଗରେ ରବିବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର । ରାମକୃଷ୍ଣଙ୍କୁ ପଚରା ଉଚରା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ନେଇଯିବା ପ୍ରସଙ୍ଗରେ ରାମକୃଷ୍ଣଙ୍କୁ ପ୍ରାୟ ୪୫ ମିନିଟ୍ ପଚରା ଉଚରା କରାଯାଇଛି । ଦଇତାପତି ନିଯୋଗ ସଭାପତି ଗଣେଶ ଦାସମହାପାତ୍ରଙ୍କୁ ମଧ୍ୟ ପଚରାଉଚରା କରିଛନ୍ତି ମୁଖ୍ୟ ପ୍ରଶାସକ। ପଚରା ଉଚରା ଶେଷ ହେବା ପରେ ଉଭୟ ଗଣେଶ ଦାସ ମହାପାତ୍ର ଓ ରାମକୃଷ୍ଣ ଦାସ ମହାପାତ୍ର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ବାହାରକୁ ବାହାରି ଥିଲେ। କିନ୍ତୁ ଗଣମାଧ୍ୟମ ସାମ୍ନାରେ କେହି ମୁହଁ ଖୋଲି ନାହାନ୍ତି । ସେପଟେ ସଭାପତି ଗଣେଶ୍ୱର ଦାସ ମହାପାତ୍ର କହିଛନ୍ତି କି ତଦନ୍ତରେ ଯାହା ପଚାରିଲେ ତାହା କହିଲୁ। ଯାହା ରିପୋର୍ଟ ଆସିବ ଆମେ ସ୍ୱାଗତ କରିବୁ ବୋଲି ସେ କହିଛନ୍ତି ।
ସେପଟେ ଗତକାଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ତିନିଟି ପର୍ଯ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଶ୍ରୀମନ୍ଦିରରେ ନବକଳେବର ସମୟରେ ବଳକା ଥିବା ଦାରୁ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଦେଉଳକରଣ, ଚଢ଼ାଉକରଣ, ପାଟଯୋଶୀ ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ । ପରେ ଦ୍ଵିତୀୟ ପର୍ଯ୍ୟାୟରେ ବାଡଗ୍ରାହୀମାନଙ୍କ ସହ ବୈଠକ ବସିଥିଲା । ବୈଠକରେ ଚାରି ବାଡ଼ଗ୍ରାହୀ ମଧ୍ୟରୁ ତିନି ବାଡ଼ଗ୍ରାହୀ ଉପସ୍ଥିତ ଥିଲେ । ତୃତୀୟ ପର୍ଯ୍ୟାୟରେ ତିନି ବିଶ୍ୱକର୍ମା ମହାରଣାଙ୍କ ସହ ଆଲୋଚନା କରାଯାଇଥିଲା ।
ଏପଟେ ସିଂହଦ୍ବାର ଥାନାରେ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଏତଲା ଦେଇଛନ୍ତି ଶ୍ରୀଜଗନ୍ନାଥ ସେନା । ଦାରୁ କାଠ କିପରି ଦୀଘା ଗଲା ସେନେଇ ଏତଲାରେ ଅଭିଯୋଗ ହୋଇଛି । ଏହା ସହ ଶ୍ରୀମନ୍ଦିର ପ୍ରଶାସନ ନାଁରେ ମଧ୍ୟ ଏତଲା ଦିଆଯାଇଛି । ଆହୁରି ମଧ୍ୟ ଦୀଘା ଜଗନ୍ନାଥ ଧାମ ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । ସେ କହିଛନ୍ତି, ପୁରୀ ଛଡ଼ା ଅନ୍ୟ କୌଣସି ସ୍ଥାନକୁ ଜଗନ୍ନାଥ ଧାମ କୁହାଯାଇ ପାରିବନି । ଦୀଘା ମନ୍ଦିର ପ୍ରତିଷ୍ଠା ପାଇଁ ତାଙ୍କୁ ମଧ୍ୟ ନିମନ୍ତ୍ରଣ ହୋଇଥିଲା ବୋଲି ସେ କହିଛନ୍ତି ।
