ଦୀଘା ଜଗନ୍ନାଥ ମନ୍ଦିର ବିବାଦ: ଘିଅ ଢାଳିଲେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ

କୋଲକାତା: ବଢ଼ିଲା ପଶ୍ଚିମବଙ୍ଗ ସରକାରଙ୍କ ଅଡ଼ୁଆ। ଦୀଘା ଜଗନ୍ନାଥ ମନ୍ଦିର ବିବାଦ ଦିନକୁ ଦିନ ତେଜିବାରେ ଲାଗୁଛି। ଆଉ ଆଜି ଏଥିରେ ଆଉ ଟିକେ ଘିଅ ଢାଳିଛନ୍ତି, ପଶ୍ଚିମବଙ୍ଗ ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ। ଓଡ଼ିଶା ସରକାରଙ୍କ ତଦନ୍ତ ନିର୍ଦ୍ଦେଶକୁ ସ୍ବାଗତ କରିବା ସହିତ ମମତା ସରକାରକୁ ଭତ୍ସନା କରିଛନ୍ତି।

ଦୀଘା ଜଗନ୍ନାଥ ମନ୍ଦିରକୁ ‘ ଜଗନ୍ନାଥ ଧାମ’ କହିବା ଆଉ ମହାପ୍ରଭୁଙ୍କ   ବଳକା ନବକଳେବର ଦାରୁ ପଶ୍ଚିମବଙ୍ଗ ଯିବା ପ୍ରସଙ୍ଗ ଏବେ ଓଡ଼ିଶାରେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ଅସନ୍ତୋଷର ନିଆଁ ଭରିଥିବ ବେଳେ ଏଥିରେ ଆଉ ଟିକେ ଘିଅ ଢାଳିଛନ୍ତି ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ। ଓଡ଼ିଶା ସରକାରଙ୍କ ତଦନ୍ତ ନିର୍ଦ୍ଦେଶକୁ ସ୍ବାଗତ କରି ଶୁଭେନ୍ଦୁ କହିଛନ୍ତି, ବଳକା ନବକଳେବର ଦାରୁ ବ୍ୟବହାର ଜଗନ୍ନାଥ ସଂସ୍କୃତି ପ୍ରତି ଘୋର ଅପମାନ। ପଶ୍ଚିମବଙ୍ଗ ସରକାର ନିମ୍ନସ୍ତରକୁ ଖସି ଯାଇଛନ୍ତି। ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର ଭାବେ ଉପସ୍ଥାପନ କରିଛନ୍ତି। ଭକ୍ତଙ୍କୁ ଭ୍ରମିତ କରିବାକୁ ପଶ୍ଚିମବଙ୍ଗ ସରକାର ଏପରି କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶୁଭେନ୍ଦୁ। ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ମମତା କାଠ ଚୋର, ତାଙ୍କ କଥାରେ ରାମକୃଷ୍ଣ ମହାପ୍ରଭୁଙ୍କ କଥା ଚୋରି କରିଛନ୍ତି। ତେଣୁ ଉଭୟଙ୍କ ବିରୁଦ୍ଧରେ ନ୍ୟାୟିକ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି।

ଏଥିସହିତ ପଶ୍ଚିମବଙ୍ଗ ସରକାରଙ୍କ ଦୋମୁହଁ ନୀତିର ପର୍ଦ୍ଦାଫାସ ହେବା ଉଚିତ୍‌ ବୋଲି ଦାବି କରିଛନ୍ତି। କହିଛନ୍ତି, ସାରା ଭାରତ ଓ ବିଶ୍ବରେ ଜଗନ୍ନାଥଙ୍କ ମନ୍ଦିର ରହିଛି, ସେଗୁଡ଼ିକ ଧାମ ନୁହନ୍ତି । ଏକ ନୂଆ ଢାଞ୍ଚା ନିର୍ମାଣ କରି ଏହାକୁ ଧାମ ଭାବେ ନାମିତ କରାଯାଇପାରିବ ନାହିଁ । ଏହାବ୍ୟତୀତ ଦଇତାପତି ରାମକୃଷ୍ଣ ଦାସମହାପାତ୍ରଙ୍କ ଭୂମିକା ଉପରେ ବିଚାର ଆବଶ୍ୟକ ବୋଲି ଗୁରୁତ୍ୱାରୋପ କରିଛନ୍ତି ଶୁଭେନ୍ଦୁ। ତାଙ୍କ କାର୍ଯ୍ୟ ଜଗନ୍ନାଥ ସଂସ୍କୃତି ପ୍ରତି ଘୋର ଅପମାନ ଆଣିଛି। ପଦବୀର ଅପବ୍ୟବହାର କରି ଭକ୍ତଙ୍କ ବିଶ୍ବାସକୁ ରାମକୃଷ୍ଣ କ୍ଷୁର୍ଣ୍ଣ କରିଛନ୍ତି ବୋଲି କହି ସମାଲୋଚନା କରିଛନ୍ତି।

ସେପଟେ ମନ୍ଦିର ବିବାଦ ଓଡ଼ିଶା ତଥା ପଶ୍ଚିମବଙ୍ଗରେ ମଧ୍ୟ ବିରୋଧର ସ୍ୱର ଦେଖିବାକୁ ମିଳିଛି। ରାଜ୍ୟରେ ଅନେକ ଜଗନ୍ନାଥ ପ୍ରେମୀ ଏ ଘରକୁ ତୀବ୍ର ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରୁଛନ୍ତି। ଆଇନ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନବକଳେବର ଦାରୁରେ ଦୀଘା ଦିଅଁ ନିର୍ମାଣ ବିବାଦ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନର ତନାଘନା ଆରମ୍ଭ କରିଛି। ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ବଳକା ଦାରୁ ବାବଦରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଚରାଉଚରା କରାଯାଇଛି। ଦଇତାପତି ନିଯୋଗ ସଭାପତିଙ୍କୁ ବି ପଚରାଉଚରା ହୋଇଛି। କେମିତି ଏବଂ କାହା ଅନୁମତିରେ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ତାଙ୍କୁ ପଚରାଉଚରା କରାଯାଇଛି।

nis-ad
Leave A Reply

Your email address will not be published.