
ଇରାନ: ପାରସ୍ୟ ଉପସାଗରରେ ପୁଣି ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି । ଦୁବାଇ ଅଭିମୁଖେ ଯାଉଥିବା ଲାଇବେରିଆ ପତାକାଯୁକ୍ତ ଏକ ତୈଳ ଟ୍ୟାଙ୍କର ଉପରେ ପ୍ରକ୍ଷେପଣ ମାଡ଼ ହୋଇଛି । ଏହି ଆକ୍ରମଣରେ ଜଣେ ଭାରତୀୟ ନାବିକଙ୍କ ସମେତ ମୋଟ ୪ ଜଣ କ୍ରୁ ସଦସ୍ୟ ଆହତ ହୋଇଛନ୍ତି । ତେବେ ଜାହାଜରେ ଥିବା ଅନ୍ୟ ୧୯ ଜଣ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି ।
କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ବୁଧବାର ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ MT ଫୁଜୈରାହ ଏନର୍ଜି ନାମକ ଏକ ଅତି ବୃହତ୍ ଅଶୋଧିତ ତୈଳ ବାହକ ଜାହାଜ ଅଲ-ରୁୱାଇସରୁ ଦୁବାଇ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏହି ଆକ୍ରମଣର ଶିକାର ହୋଇଥିଲା । ଆକ୍ରମଣରେ ଆହତ ହୋଇଥିବା ୪ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରେ ଜଣେ ଭାରତୀୟ ନାଗରିକ ମଧ୍ୟ ଅଛନ୍ତି । ତାଙ୍କ ଆଘାତ ସାମାନ୍ୟ ଥିବା ବେଳେ ତାଙ୍କୁ ଅଧିକ ଡାକ୍ତରୀ ପରୀକ୍ଷା ପାଇଁ ସୁରକ୍ଷିତ ଭାବେ କୂଳକୁ ନିଆଯାଇଛି । ଜାହାଜରେ ଥିବା ଅନ୍ୟ ୫ ଜଣ ଭାରତୀୟ ନାବିକଙ୍କ ସମେତ ଅବଶିଷ୍ଟ ୧୮ ଜଣ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି । ଏହି ଘଟଣା ପରେ ଭାରତ ସରକାର ସମ୍ପୂର୍ଣ୍ଣ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଜାହାଜ ପରିଚାଳନା କମ୍ପାନୀ ସହ ସରକାର ନିୟମିତ ଯୋଗାଯୋଗରେ ଥିବା ମନ୍ତ୍ରୀ ସୋନୋୱାଲ କହିଛନ୍ତି । ଆହତ ନାବିକଙ୍କୁ ଚିକିତ୍ସା ସହାୟତା ଯୋଗାଇବା ସହ ସମସ୍ତ କ୍ରୁ ସଦସ୍ୟଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ଇରାନ ଏବଂ ଆମେରିକା ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ପାରସ୍ୟ ଉପସାଗର ଓ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ବାଣିଜ୍ୟିକ ଜାହାଜଗୁଡ଼ିକର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ଏହି ଅଞ୍ଚଳରେ ଜାହାଜ ଉପରେ ଆକ୍ରମଣ ଘଟଣା ନାବିକଙ୍କ ସୁରକ୍ଷା ପ୍ରତି ବଡ଼ ଆହ୍ୱାନ ସୃଷ୍ଟି କରିଛି ।
ଉଲ୍ଲେଖଯୋଗ୍ୟ, ଗତ ମାସରେ ମଧ୍ୟ ଭାରତୀୟ ନାବିକ ଥିବା ଅନ୍ୟ ଏକ ତୈଳ ଟ୍ୟାଙ୍କର MT ଲୁଇସ୍-୧ ଉପରେ ହର୍ମୁଜ୍ ପ୍ରଣାଳୀରେ ଆକ୍ରମଣ ହୋଇଥିଲା । ପାନାମା ପତାକାଯୁକ୍ତ ଏହି ଜାହାଜ ଉପରେ ଲିମ୍ପେଟ୍ ମାଇନ୍ ଦ୍ୱାରା ଆକ୍ରମଣ କରାଯାଇଥିବା ସୂଚନା ମିଳିଥିଲା । ବିସ୍ଫୋରଣ ଯୋଗୁଁ ଜାହାଜରେ ନିଆଁ ଲାଗିଯାଇଥିଲା । ସେତେବେଳେ ଜାହାଜରେ ୨୭ ଜଣ ଭାରତୀୟ ନାବିକ ଥିଲେ । ଓମାନର ଖାସାବଠାରୁ ପ୍ରାୟ ୨୫ ନଟିକାଲ ମାଇଲ ଦୂରରେ ଏହି ଘଟଣା ଘଟିଥିଲା । ପରେ ସରକାର ସମସ୍ତ ୨୭ ଜଣ ନାବିକ ସୁରକ୍ଷିତ ଥିବା ସ୍ପଷ୍ଟ କରିଥିଲେ । ଲଗାତାର ଏଭଳି ଆକ୍ରମଣ ଯୋଗୁଁ ଉପସାଗରୀୟ ଅଞ୍ଚଳରେ ଜାହାଜ ଚଳାଚଳ ଓ ଭାରତୀୟ ନାବିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି ।
