
ଭୋପାଳ: ମଧ୍ୟପ୍ରଦେଶର ଡିଣ୍ଡୋରୀ ଅଂଚଳର ପଡ଼ରିଆ ଛାଣ୍ଟା ଗାଁରେ ଗତ ମଙ୍ଗଳବାର ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଏଠାକାର ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କର ଜଣେ ବନ୍ଧୁ ରସଗୋଲା କହି ଏକ ବାରୁଦ ବୋମା ଖାଇବାକୁ ଦେବାରୁ ବିସ୍ଫୋରଣରେ ତାଙ୍କର ମୃତ୍ୟୁ ଘଟିଛି।
ଡିଣ୍ଡୋରୀ କୋତୱାଲି ଥାନା ଅଧିକାରୀ ଦୁର୍ଗା ପ୍ରସାଦ ନାଗପୁରେଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏଠାକାର ଜଣେ ଯୁବକ ରାଜେନ୍ଦ୍ର ପରିବାର ସହ ରାତ୍ରିଭୋଜନ କରିଥିଲେ। ଏହାପରେ ସେ ଶୀତରୁ ରକ୍ଷା ପାଇବାକୁ ଘର ଅଗଣାରେ ନିଆଁ ପାଖରେ ବସିଥିଲେ। ଏହି ସମୟରେ ସେହି ଗାଁରେ ରହୁଥିବା ତାଙ୍କର ଜଣେ ବନ୍ଧୁ ରାମଭଗତ ବରୌତିଆ ସେଠାକୁ ଆସି ତାଙ୍କ ପାଖରେ ବସିଥିଲେ। ଶୀତୁଆ ସନ୍ଧ୍ୟାରେ ଦୁଇ ବନ୍ଧୁ ଗପସପରେ ମାତି ଯାଇଥିଲେ । ଏହି ସମୟରେ ରାମଭଗତ ରାଜେନ୍ଦ୍ରଙ୍କୁ ଏକ ସୁଆରମାର ବୋମା ଦେଇ ତାହାକୁ ରସଗୋଲା ବୋଲି କହିଥିଲେ। ଅନ୍ଧାର ଯୋଗୁ କିଛି ସ୍ପଷ୍ଟ ଦିଶୁ ନ ଥିଲା । ତବେ ବନ୍ଧୁ କଥାକୁ ବିଶ୍ୱାସ କରି ମିଠା ଭାବି ରାଜେନ୍ଦ୍ର ତୁରନ୍ତ ଏହାକୁ ପାଟିରେ ପକାଇ ଦେଇଥିଲେ। କିନ୍ତୁ ଚୋବାଇବା ମାତ୍ରେ ଏଥିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଫଳରେ ତାଙ୍କ ମୁହଁ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ବିସ୍ଫୋରଣ ପରେ ପରିବାର ଲୋକେ ତୁରନ୍ତ ରାଜେନ୍ଦ୍ରଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୁଲିସ ରାମଭଗତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୧୦୫ ଏବଂ ବିସ୍ଫୋରକ ଆଇନର ଧାରା ୩ ଓ ୪ ଅନୁଯାୟୀ ମାମଲା ରୁଜୁ କରିଛି। ଘଟଣା ଜଣାପଡ଼ିବା ପରେ ଗାଁ ଲୋକେ ସ୍ତବ୍ଧ ହୋଇଯାଇଛନ୍ତି। ଅନ୍ୟପଟେ ବୋମା କେଉଁଠାରୁ ଆସିଲା ଏବଂ ରାମଭଗତ ତାଙ୍କୁ ରସଗୋଲା କହି ବୋମା କାହିଁକି ଖାଇବାକୁ ଦେଲେ, ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାର ସମସ୍ତ ଦିଗକୁ ନେଇ ପୁଲିସ ଖୋଳତାଡ଼ କରୁଛି। ସୂଚନାଯୋଗ୍ୟ, ରସଗୋଲା ଭାବି ରାଜେନ୍ଦ୍ର ଖାଇଥିବା ବୋମା ସୁଆରମାର ବୋମା ଭାବେ ପରିଚିତ । ବାରୁଦ ଓ ପୋଟାସ୍ ବ୍ୟବହାର କରି ଏହା ପ୍ରସ୍ତୁତ କରାଯାଏ। ଜଙ୍ଗଲୀ ବାରହାଙ୍କୁ ମାରିବା ପାଇଁ ଏହାକୁ ବ୍ୟବହାର କରାଯାଏ। ସାମାନ୍ୟ ଚାପ ପଡ଼ିଲେ ମଧ୍ୟ ଏଥିରେ ବିସ୍ଫୋରଣ ଘଟିପାରେ। ଶିକାରୀମାନେ ଜଙ୍ଗଲରେ ଛୋଟ ଜୀବଜନ୍ତୁଙ୍କ ଶିକାର ପାଇଁ ମଧ୍ୟ ଏଭଳି ବୋମା ବ୍ୟବହାର କରିଥାନ୍ତି।
