
ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ଧମକ । କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ନାଁରେ ଧମକ ଦିଆଯିବା ସହ ୭ କୋଟି ଟଙ୍କା ଦାବି କରାଯାଇଛି । ଟଙ୍କା ନଦେଲେ କେଜ୍ରିୱାଲ ଓ ତାଙ୍କ ଝିଅ ହର୍ଷିତା କେଜ୍ରିୱାଲଙ୍କୁ ହତ୍ୟା କରାଯିବ ବୋଲି ଧମକ ମିଳିଥିବା ଅଭିଯୋଗ ହୋଇଛି ।
ଦିଲ୍ଲୀର ତିଲକ ନଗର ଆସନର ଆପ୍ ବିଧାୟକ ଜର୍ଣ୍ଣେଲ ସିଂହଙ୍କ ନିକଟକୁ ଏହି ଧମକପୂର୍ଣ୍ଣ ଫୋନ୍ କଲ୍ ଓ ହ୍ୱାଟ୍ସଆପ୍ ମେସେଜ୍ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ପରିଚୟ ଦେଇଥିଲା । କେଜ୍ରିୱାଲଙ୍କ ନିକଟରେ ୭ କୋଟି ଟଙ୍କା ଦାବି ପହଞ୍ଚାଇବାକୁ ସେ ବିଧାୟକଙ୍କୁ କହିଥିବା ଅଭିଯୋଗରେ ଉଲ୍ଲେଖ ରହିଛି । ଘଟଣାକୁ ନେଇ ନଭେମ୍ବର ୬ ତାରିଖରେ ଜର୍ଣ୍ଣେଲ ସିଂହ ପଞ୍ଜାବର ମୋହାଲି ଏସଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ମୋହାଲି ସାଇବର କ୍ରାଇମ୍ ଥାନାରେ ଅଜଣା ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଛି । ତଦନ୍ତ ଦାୟିତ୍ୱ ସାଇବର କ୍ରାଇମ୍ ଥାନାର ଇନ୍ସପେକ୍ଟର ସୁନୀଲ କୁମାରଙ୍କୁ ଦିଆଯାଇଛି ।
ଧମକ ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ପୋଲିସ ଫୋନ୍ ନମ୍ବରର କଲ୍ ଡିଟେଲ୍ସ, ଆଇପି ଲଗ୍ ଓ ଲୋକେସନ୍ ତଥ୍ୟ ଯାଞ୍ଚ କରୁଛି । ଧମକପୂର୍ଣ୍ଣ ହ୍ୱାଟ୍ସଆପ୍ ମେସେଜର ସ୍କ୍ରିନ୍ ସଟ୍ ମଧ୍ୟ ଅଭିଯୋଗ ସହ ପୋଲିସକୁ ଦିଆଯାଇଛି । ଅନ୍ୟପଟେ କେଜ୍ରିୱାଲ ଓ ତାଙ୍କ ପରିବାରର ସୁରକ୍ଷା ସୁନିଶ୍ଚିତ କରିବାକୁ ବିଧାୟକ ଜର୍ଣ୍ଣେଲ ସିଂହ ଦାବି କରିଛନ୍ତି ।
ତେବେ ଧମକ ଦେଇଥିବା ବ୍ୟକ୍ତି ପ୍ରକୃତରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସହ ସମ୍ପୃକ୍ତ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ତଦନ୍ତ ପରେ ହିଁ ଧମକ ପଛରେ କିଏ ରହିଛି ଓ ଏହାର ପ୍ରକୃତ ଉଦ୍ଦେଶ୍ୟ କ’ଣ, ତାହା ଜଣାପଡ଼ିବ ।
