ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କୈଫିୟତ୍ ତଲବ, ସାତ ଦିନ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ

ପୁରୀ : ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କୈଫିୟତ୍ ତଲବ । ନୋଟିସ ପାଇବାର ୭ ଦିନ ମଧ୍ୟରେ କୈଫିୟତ୍ ଦାଖଲ କରିବାକୁ ସମୟ ଦିଆଯାଇଛି ।  ନିଜର ଦ୍ବନ୍ଦ୍ବାତ୍ମକ ବୟାନ ଦ୍ବାରା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଗଣିତ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି ଏବଂ ଶ୍ରୀମନ୍ଦିର ଗରିମାକୁ କ୍ଷୁଣ୍ଣ କରିବା ଅଭିଯୋଗରେ ତାଙ୍କୁ ଏହି ନୋଟିସ୍ ଜାରି କରାଯାଇଛି । ନୋଟିସ୍ ଜାରି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।  ସାତ ଦିନ ଭିତରେ ସନ୍ତୋଷ ଜନକ କୈଫିୟତ୍ ହସ୍ତଗତ ନହେଲେ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି ।

ପଶ୍ଚିମବଙ୍ଗ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ରାମକୃଷ୍ଣ ଦାସ ମହାପାତ୍ର ଯୋଗ ଦେଇଥିଲେ । ଶ୍ରୀମନ୍ଦିର ଚତୁର୍ଦ୍ଧାମୂର୍ତ୍ତିଙ୍କର ନବକଳେବର ବଳକା ଦାରୁରେ ନିର୍ମିତ ମୂର୍ତ୍ତି ସେହି ଦୀଘା ମନ୍ଦିରକୁ ପ୍ରଦାନ କରିଥିବା ସେ ବଙ୍ଗୀୟ ଗଣମାଧ୍ୟମକୁ କହିଥିବା ଅଭିଯୋଗ ହୋଇଥିଲା । ପରେ ଓଡିଶା ଗଣମାଧ୍ୟମରେ ସେ ଏହାକୁ ଖଣ୍ଡନ କରିଥିବା ସହ ଅନ୍ୟ ନିମ୍ବ କାଠରେ ବିଗ୍ରହ ନିର୍ମାଣ କରି ସେ ନେଇ ନିଜେ ତାକୁ ପ୍ରତିଷ୍ଠା କରିଥିବା କହିଥିଲେ ।

ନବକଳେବରରେ ସଂଗୃହୀତ ଦାରୁ ମଧ୍ୟରୁ ବଳକା ଦାରୁ ଶ୍ରୀମନ୍ଦିର “ଦାରୁଘର”ରେ ସଂରକ୍ଷିତ ରହିବାର ବିଧି ରହିଥାଏ । ଆବଶ୍ୟକ ସମୟରେ କେବଳ ଶ୍ରୀଜୀଉମାନଙ୍କ ଠାରେ ବ୍ୟବହାରର ବିଧି ତଥା ପରମ୍ପରା ରହିଛି । ଜଣେ ଅଭିଜ୍ଞ ତଥା ବରିଷ୍ଠ ଦଇତାପତି ଭାବେ ସେନେଇ ଅବଗତ ଥାଇ ମଧ୍ୟ ଦାସ ମହାପାତ୍ର ଏଭଳି ବୟାନ ଦେବା ଦ୍ବାରା ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି ହୋଇଥିବା ନୋଟିସରେ କୁହା ଯାଇଛି ।

nis-ad
Leave A Reply

Your email address will not be published.