ମକ୍‌ ଡ୍ରିଲ୍‌ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ: ରାଜସ୍ବ ମନ୍ତ୍ରୀ

add-all

ଭୁବନେଶ୍ବର: ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଗତମାସ ୨୨ ତାରିଖରେ ଘଟିଥିବା ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି। ଉଭୟ ଦେଶ ମଧ୍ୟରେ ସଂପର୍କ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିବା ବେଳେ ଅନେକ ଏହାକୁ ଯୁଦ୍ଧ ପରିସ୍ଥିତି ଭାବେ ଦେଖୁଛନ୍ତି। ଏହାରି ମଧ୍ୟରେ ଭାରତ ସରକାର ମେ’ ୭ ତାରିଖ ଦିନରେ ଦେଶରେ ମକ୍‌ ଡ୍ରିଲ୍‌ ପାଇଁ ଆଦେଶ ଦେଇଛନ୍ତି। ଦେଶର ୨୪୪ଟି ଜିଲ୍ଲାରେ ଆସନ୍ତାକାଲି ମକ୍‌ଡ୍ରିଲ କରାଯିବ, ଯେଉଁଥିରେ ଓଡ଼ିଶାର ୧୨ଟି ଜିଲ୍ଲା ସାମିଲ ରହିଛି।
ବୁଧବାର ଅପରାହ୍ଣ ୪ଟାରେ ସାଇରନ୍‌ ବାଜିବ। ଏହା ପରେ ମକ୍‌ ଡ୍ରିଲ ଆରମ୍ଭ ହୋଇଯିବ। ମକ୍‌ ଡ୍ରିଲ୍‌ ସରିଲା ପରେ ପୁଣି ଥରେ ସାଇରନ ବାଜିବ। ଦ୍ବିତୀୟ ଥର ସାଇରନ ବାଜିଲା ପରେ ଲୋକଙ୍କୁ ବୁଝିବାକୁ ପଡ଼ିବ ଯେ, ମକ୍‌ ଡ୍ରିଲ୍‌ ଶେଷ ହୋଇଛି। ଓଡ଼ିଶାର ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦ୍ୱୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେରରେ ମକ୍‌ଡ୍ରିଲ୍ ପାଇଁ ନେଇ ନିଷ୍ପତ୍ତି ନିଆଯାଇଛି।
ଓଡ଼ିଶାରେ ମକ୍‌ ଡ୍ରିଲ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି। ଏହାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, କେବଳ ସେନା ଓ ସରକାର ନୁହେଁ। ବରଂ ସାଧାରଣ ଜନତା ମଧ୍ୟ ପ୍ରସ୍ତୁତ ହେବା ଉଚିତ୍‌। ଏଭଳି ପରିସ୍ଥିତିରେ ଭୟଭୀତ ନ ହୋଇ ସଜାଗ ରହି ସାମ୍ନା କରିବାକୁ ପଡ଼ିବ। ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଲେ ମୁକାବିଲା ପାଇଁ ଆଡ୍‌ଭାଇଜରୀ ମଧ୍ୟ ଆସିବ। ଏଥି ସହିତ ଆଗକୁ ଗାଁରେ ବି ମକ୍‌ ଡ୍ରିଲ୍‌ କରାଯିବ। ଏହା ୭ ଦିନ ଧରି ଚାଲିବ। ମକ୍‌ଡ୍ରିଲ ସମୟରେ ୫ ମିନିଟ୍ ଧରି ବାଜିବ ସାଇରନ୍। ଏନେଇ ୧୨ ଜିଲ୍ଲାର ଜିଲ୍ଲାପାଳ ଓ ଅଧିକାରୀମାନଙ୍କ ସହିତ ଗୃହ ସଚିବ ସତ୍ୟବ୍ରତ ସାହୁ ଆଲୋଚନା କରିଛନ୍ତି।
ମକ୍‌ ଡ୍ରିଲ୍‌ର ଲକ୍ଷ୍ୟ କ’ଣ?
ମକ୍‌ ଡ୍ରିଲ୍‌ ଅଭ୍ୟାସର ଲକ୍ଷ୍ୟ ହେଉଛି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ପ୍ରତିରକ୍ଷା ଯନ୍ତ୍ରପାତିଗୁଡ଼ିକର ପ୍ରସ୍ତୁତି ମୂଲ୍ୟାଙ୍କନ ଏବଂ ବୃଦ୍ଧି କରିବା। ଏୟାର ଷ୍ଟ୍ରାଇକ୍‌ ଅଥବା ବିଦେଶୀ ଶତ୍ରୁର ଆକ୍ରମଣ ସମୟରେ ନିଜକୁ ସୁରକ୍ଷିତ ସ୍ଥାନରେ କିପରି ରହିବାକୁ ପଡ଼ିବ, ଏଥି ପାଇଁ ପ୍ରସ୍ତୁତ ହେବ। ଲୋକଙ୍କୁ ସଚେତନ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ।

ad-week
Leave A Reply

Your email address will not be published.