
ମୁମ୍ବାଇ: ପହଲଗାମ ଆତଙ୍କବାଦୀ ଘଟଣା ପରେ ଶେଷରେ ଭାରତ ପାକିସ୍ତାନ ବିରୁଦ୍ଧରେ ଆନୁଷ୍ଠାନିକ ପଦକ୍ଷେପ ଗ୍ରହଣ କରିଛି। ଭାରତୀୟ ସେନାର ଅପରେସନ ସିନ୍ଦୂର ପାକିସ୍ତାନକୁ ବଡ଼ ଝଟକା ଦେଇଛି। ଭାରତୀୟ ସଶସ୍ତ୍ର ବାହିନୀ ମଙ୍ଗଳବାର-ବୁଧବାର ଅଧରାତିରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କଶ୍ମୀରରେ ନଅଟି ଅଞ୍ଚଳର ୨୧ ଆତଙ୍କବାଦୀ ଶିବିର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲେ। ବାହାବଲପୁରରେ ଜୈଶ୍-ଏ-ମହମ୍ମଦର ଏକ ଗଡ଼ ଏବଂ ମୁରିଦକେରେ ଲସ୍କର-ଏ-ତୋଇବାର ଆଡ୍ଡା ଧ୍ବଂସ ହୋଇଯାଇଛି। ଅନ୍ୟପକ୍ଷରେ ଅପରେସନ ସିନ୍ଦୂର ଭାରତୀୟ ମୁଦ୍ରା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।
ବୁଧବାର ପ୍ରାରମ୍ଭିକ ବାଣିଜ୍ୟ କାରବାରରେ ଭାରତୀୟ ମୁଦ୍ରାରେ ୩୧ ପଇସାର ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଯାହା ପରେ ଡଲାର ତୁଳନାରେ ଟଙ୍କା ପ୍ରତି ଡଲାର ପିଛା ୮୪.୬୬କୁ ହ୍ରାସ ପାଇଛି।
ପାକିସ୍ତାନ ଏବଂ ପାକ୍ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ଶିବିର ଉପରେ ସାମରିକ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଦ୍ୱାରା ଭାରତୀୟ ମୁଦ୍ରାର ମୂଲ୍ୟ ପ୍ରଭାବିତ ହୋଇଛି ବୋଲି ବିଦେଶୀ ମୁଦ୍ରା ବ୍ୟବସାୟୀମାନେ କହିଛନ୍ତି। ଆନ୍ତଃବ୍ୟାଙ୍କ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଟଙ୍କା ଡଲାର ପ୍ରତି ୮୪.୬୫ ରେ ଖୋଲିଥିଲା। ତା’ପରେ ଏହା ଡଲାର ତୁଳନାରେ ୮୪.୬୬କୁ ହ୍ରାସ ପାଇଥିଲା।
ଯାହା ପୂର୍ବ ବନ୍ଦ ମୂଲ୍ୟ ତୁଳନାରେ ୩୧ ପଇସା ହ୍ରାସ ଦର୍ଶାଉଛି। ମଙ୍ଗଳବାର ଦିନ ଆମେରିକୀୟ ଡଲାର ତୁଳନାରେ ଟଙ୍କା ୮୪.୩୫ରେ ବନ୍ଦ ହୋଇଥିଲା। ଏହା ପୂର୍ବରୁ, ଟଙ୍କାରେ ବହୁତ ଭଲ ବୃଦ୍ଧି ଦେଖାଯାଇଥିଲା। ଗତ ସପ୍ତାହରେ ଏହା ୮୩ ଟଙ୍କା ସ୍ତରକୁ ଆସିଥିଲା। ଏହା ପରେ, ଟଙ୍କାର ମୂଲ୍ୟରେ କ୍ରମାଗତ ହ୍ରାସ ଦେଖିବାକୁ ମିଳିଥିଲା।
ଫିନରେକ୍ସ ଟ୍ରେଜେରୀ ଆଡଭାଇଜର୍ସ ଏଲଏଲପିର ଟ୍ରେଜେରୀ ମୁଖ୍ୟ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନିଲ କୁମାର ଭସାଲି କହିଛନ୍ତି ଯେ, ସଟ୍ଟାବାଜ ଏବଂ ଆତଙ୍କିତ ଆମଦାନୀକାରୀଙ୍କ ଦ୍ୱାରା କିଛି ଡଲାର କ୍ରୟ ହୋଇପାରେ, କିନ୍ତୁ ଆମେ ବିଶ୍ୱାସ କରୁଛୁ ଯେ ଟଙ୍କାର କୌଣସି ବଡ଼ ହ୍ରାସକୁ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସେଠାରେ ରହିବ। ଭଂସାଲି କହିଛନ୍ତି, ଆମେ ଇକ୍ୱିଟି ବଜାରରେ ଏଫଆଇଇ ଦ୍ୱାରା କିଛି ବିକ୍ରୟ ଆଶା କରୁଛୁ, ଯଦିଓ ଏହା ଧୀର ହୋଇପାରେ କାରଣ ପରବର୍ତ୍ତୀ ଖବର ଆସିବା ପର୍ଯ୍ୟନ୍ତ ନିବେଶକ ଅପେକ୍ଷା କରିବାକୁ ଚାହାନ୍ତି।
ବୁଧବାର ବଜାରରେ ଅସ୍ଥିରତାର ସମ୍ଭାବନା ଅଛି, କିନ୍ତୁ ଆମେ ପୂର୍ବରୁ କହିଥିଲୁ, ବଜାରର ଅସ୍ଥିରତାକୁ ନିୟନ୍ତ୍ରଣ କରିବା ଆରବିଆଇ ଉପରେ ନିର୍ଭର କରିବ। ଏହିକ୍ରମରେ ଆରବିଆଇ ନିଷ୍ପତ୍ତି ନେବ ଯେ,ବୁଧବାର ଟଙ୍କା କେଉଁଠାରେ ଶେଷ ହେବ।
ଏପରିସ୍ଥଳେ ଡଲାର ସୂଚକାଙ୍କ ଛଅଟି ପ୍ରମୁଖ ମୁଦ୍ରା ବିରୁଦ୍ଧରେ ଆମେରିକୀୟ ଡଲାରର ସ୍ଥିତି ଦର୍ଶାଇଛି। ଡଲାର ୦,୩୦ପ୍ରତିଶତ ବୃଦ୍ଧି ପାଇ ୯୯.୫୩ ରେ ପହଞ୍ଚିଛି। ଘରୋଇ ଷ୍ଟକ୍ ବଜାରରେ, ବିଏସଇ ସେନସେକ୍ସ ୧୦୭.୭୪ ପଏଣ୍ଟ ହ୍ରାସ ପାଇ ୮୦,୫୩୩.୩୩ ପଏଣ୍ଟରେ ପହଞ୍ଚିଛି। ସେହିପରି ନିଫ୍ଟି ୨୪.୩୫ପଏଣ୍ଟ ହ୍ରାସ ପାଇ ୨୪,୩୫୫.୨୫ ପଏଣ୍ଟରେ ପହଞ୍ଚିଛି।
ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ୦.୬୮ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ୍ ପିଛା ୬୨.୫୭ ଡଲାରରେ ପହଞ୍ଚିଛି। ଷ୍ଟକ୍ ମାର୍କେଟ ତଥ୍ୟ ଅନୁଯାୟୀ, ମଙ୍ଗଳବାର ବିଦେଶୀ ସଂସ୍ଥାଗତ ନିବେଶକମାନେ(ଏଫଆଇଆଇ) କ୍ରେତା ଥିଲେ। ସେମାନେ ୩,୭୯୪.୫୨କୋଟି ଟଙ୍କାର ସେୟାର କିଣିଥିଲେ।