
ନୂଆଦିଲ୍ଲୀ: ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଭାରତ ଏୟାରଷ୍ଟ୍ରାଇକ୍ କରିଛି। ପହଲଗାମରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ‘ଅପରେସନ୍ ସିନ୍ଦୂର’ ଅଧୀନରେ ଏୟାରଷ୍ଟ୍ରାଇକ୍ କରିଛି ଭାରତ। ଏହା ପରେ ପାକିସ୍ତାନରେ ଆତଙ୍କ ଖେଳିଯାଇଛି। ପାକିସ୍ତାନ ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଦାବି କରୁଛି ଯେ, ଆମେ ପହଲଗାମ ଆକ୍ରମଣର ତଦନ୍ତ କରିବାକୁ ପ୍ରସ୍ତୁତ ଥିଲୁ, କିନ୍ତୁ ଭାରତ ପ୍ରଥମେ ଆକ୍ରମଣ କଲା।
ଏହା ସହ ପାକିସ୍ତାନର ସୂଚନା ମନ୍ତ୍ରୀ ଆତାଉଲ୍ଲାହ ତରାଡ ଏକ ବିଦେଶୀ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ଏଭଳି ଦାବି କରିଛନ୍ତି, ଯାହାର ବାସ୍ତବତା ସହିତ କୌଣସି ସମ୍ପର୍କ ନାହିଁ। ଏଥିପାଇଁ ତାଙ୍କୁ ବିଦେଶୀ ନ୍ୟୁଜ୍ ଚ୍ୟାନେଲର ସାମ୍ବାଦିକା ଉଚିତ୍ ଜବାବ ମଧ୍ୟ ଦେଇଛନ୍ତି। ସ୍କାଏ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ତରାଡ କହିଛନ୍ତି, “ଆମେ ବିଦେଶୀ ଏବଂ ସ୍ଥାନୀୟ ସାମ୍ବାଦିକମାନଙ୍କୁ ବହାୱଲପୁର ଏବଂ ମୁରିତକକୁ ନେବାକୁ ଯୋଜନା କରୁଥିବା ସମୟରେ ଭାରତ ମଧ୍ୟରାତ୍ରିରେ ଆକ୍ରମଣ କରିଥିଲା। ଆମର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ସ୍ଥିର ହୋଇସାରିଥିଲା, ବିମାନ ପ୍ରସ୍ତୁତ ଥିଲା। ହେଲେ ଏତିକି ବେଳେ ଭାରତ ଆକ୍ରମଣ କରିଥିଲା।ଆମେ ପହଲଗାମ ଆକ୍ରମଣର ତଦନ୍ତ କରିବାକୁ ପ୍ରସ୍ତୁତ ଥିଲୁ, କିନ୍ତୁ ଭାରତ ପ୍ରଥମେ ଆକ୍ରମଣ କଲା।”
ଯେତେବେଳେ ତରାଡଙ୍କୁ ପଚରାଗଲା, ଭାରତୀୟ ସେନା ଦାବି କରୁଛି ଯେ ମୋଟ ୯ଟି ସ୍ଥାନରେ ଆକ୍ରମଣ କରାଯାଇଛି ଏବଂ ଏହି ସମସ୍ତ ଆକ୍ରମଣ ଆତଙ୍କବାଦୀ ଆଡ୍ଡା ଉପରେ ହୋଇଛି, କୌଣସି ପାକିସ୍ତାନୀ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇ ନାହିଁ। ଏହାର ଉତ୍ତରରେ ସେ କହିଥିଲେ, “ପାକିସ୍ତାନରେ କୌଣସି ଆତଙ୍କବାଦୀ ଶିବିର ନାହିଁ। ଆମେ ନିଜେ ଆତଙ୍କବାଦର ସବୁଠାରୁ ବଡ଼ ଶିକାର। ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଆମେ ୯୦ହଜାର ଜୀବନ ହରାଇଛୁ। ଆଜି ମଧ୍ୟ ଆମର ସୈନିକମାନେ ବେଲୁଚିସ୍ତାନ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ସହିଦ ହେଉଛନ୍ତି।”
ଏହା ଶୁଣି ସାମ୍ବାଦିକା କହିଥିଲେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଗୋଟିଏ ସପ୍ତାହ ପୂର୍ବରୁ ଆମର ଏହି କାର୍ଯ୍ୟକ୍ରମରେ ସ୍ୱୀକାର କରିଥିଲେ ଯେ, ପାକିସ୍ତାନ ଦଶନ୍ଧି ଧରି ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ସମର୍ଥନ, ପାଣ୍ଠି ଏବଂ ତାଲିମ ଦେଇ ଆସୁଛି। ଏହା ବ୍ୟତୀତ ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋ ମଧ୍ୟ ଏହାକୁ ସାର୍ବଜନୀନ ଭାବରେ ଗ୍ରହଣ କରିଛନ୍ତି। ବିଲାୱଲ ଭୁଟ୍ଟୋ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି। ୨୦୧୮ ମସିହାରେ ପାକିସ୍ତାନ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଜାଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନକୁ ସାମରିକ ସହାୟତା ଦେବା ବନ୍ଦ କରି ଦେଇଥିଲେ। ଏପରି ପରିସ୍ଥିତିରେ, ପାକିସ୍ତାନରେ କୌଣସି ଆତଙ୍କବାଦୀ ଶିବିର ନାହିଁ ବୋଲି କହିବା ଆପଣଙ୍କ ନିଜ ବରିଷ୍ଠ ନେତାଙ୍କ ମନ୍ତବ୍ୟର ବିରୋଧରେ ଯିବ। ଆତଙ୍କବାଦ ଏବଂ ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଏବଂ ସମର୍ଥନ ପାକିସ୍ତାନର ଇତିହାସର ଏକ ଅଂଶ ହୋଇରହିଆସିଛି ଏବଂ ଏବେ ମଧ୍ୟ ରହିଛି।”
ଏହା ଶୁଣିବା ପରେ ତରାଡ କହିଥିଲେ, “ପ୍ରତିରକ୍ଷା ମନ୍ତ୍ରୀ ଯାହା କହିଛନ୍ତି, ମୁଁ ଭାବୁଛି ତାଙ୍କ କଥାକୁ ଭୁଲ ବୁଝାଯାଇଛି। ଆମେ ଆଜି ମଧ୍ୟ ଆମେ ଆତଙ୍କବାଦକୁ ଦୂର କରିବାରେ ଅଗ୍ରଣୀ ଦେଶ।”