
ଭୁବନେଶ୍ୱର: ଓଡିଆ ଅସ୍ମିତାର ନିଦର୍ଶନ ସ୍ବରୂପ ବରପୁତ୍ର ଓ ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ପ୍ରକ୍ରିୟାରେ ସ୍ବାଧୀନତା ସଂଗ୍ରାମୀ ମାନଙ୍କର ଭତ୍ତା ବୃଦ୍ଧି କରାଯାଇଛି ଏବଂ ଜରୁରୀକାଳୀନ ପରିସ୍ଥିତି ସମୟରେ ମିସା ଆଇନ୍ରେ ବନ୍ଦୀ ହୋଇଥିବା ସଂଗ୍ରାମୀ ମାନଙ୍କ ପାଇଁ ମଧ୍ୟ ପେନ୍ସନ ଘୋଷଣା କରାଯାଇଛି ।
ଶୁକ୍ରବାର ମୁଖ୍ୟମନ୍ତ୍ରୀ ୨୩ ଜଣ ମିସା ବନ୍ଦୀ (୧୯ ଜଣ ମିସା, ୪ ଜଣ ଡି.ଆଇ.ଏସ୍.ଆଇ.ଆର୍) ମାନଙ୍କୁ ପେନ୍ସନ ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ପୂର୍ବରୁ ୨୧ ଜଣ ମିସା ବନ୍ଦୀଙ୍କ ପେନ୍ସନ ଅନୁମୋଦନ କରାଯାଇଥିଲା । ଏହା ଫଳରେ ସମୁଦାୟ ୪୪ ଜଣ ମିସା ବନ୍ଦୀ ପେନ୍ସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ଏହି ସଂଗ୍ରାମୀ ମାନେ ମାସକୁ ୨୦ ହଜାର ଟଙ୍କାର ପେନ୍ସନ ପାଇବା ସହିତ ସେମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।
ସୂଚନାଯୋଗ୍ୟ ଯେ ୨୫ ଜୁନ୍ ୧୯୭୫ ମସିହାରୁ ୨୧ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ଦେଶର ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ଅନେକ ସଂଗ୍ରାମୀ MISA, DIR, DISIR ଆଦି ଆଇନ ବଳରେ ଗିରଫ ହୋଇ ବିଭିନ୍ନ ଜେଲ୍ରେ ବନ୍ଦୀ ହୋଇଥିଲେ । ୧ ଜାନୁଆରୀ ୨୦୨୫ ସୁଦ୍ଧା ଜୀବିତ ଥିବା ସବୁ ସଂଗ୍ରାମୀ ପେନ୍ସନ ଓ ଚିକିତ୍ସା ସୁବିଧା ପାଇବେ ବୋଲି ନିଷ୍ପତ୍ତି କରାଯାଇଛି ।