
ଭୁବନେଶ୍ୱର : ଦେଶର ସାଧାରଣ ଲୋକଙ୍କ ଧନ, ଜୀବନର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ । ସୁରକ୍ଷା ଓ ସେବା ଆମର ସର୍ବୋଚ୍ଚ କର୍ତ୍ତବ୍ୟ । ଏଥିପାଇଁ ଜାତୀୟତାର ମନୋଭାବ ନେଇ ବେସାମରିକ ସୁରକ୍ଷା ବା ସିଭିଲ ଡିଫେନ୍ସ ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ ଯୋଗ ଦେବାକୁ ଯୁବ ସମାଜ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅପିଲ କରିଛନ୍ତି ।
ସେବା ଓ ଜାତୀୟତାର ମନୋଭାବକୁ ଆହୁରି ଦୃଢ଼ କରିବା ଉପରେ ସେ ଜୋର ଦେଇଛନ୍ତି । ଇଚ୍ଛୁକ ସ୍ୱେଚ୍ଛାସେବୀମାନେ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କୁ ଆବେଦନ କରିପାରିବେ । ଜିଲ୍ଲାପାଳ ହେଉଛନ୍ତି ଜିଲ୍ଲା ବେସାମରିକ ସୁରକ୍ଷାର ନିୟନ୍ତ୍ରକ । ଏହି ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷିତ କରାଯିବ ।
ଆବଶ୍ୟକ ହେଲେ, ସେବା ଓ ଜାତୀୟତାର ମନୋଭାବ ରଖି ସେମାନେ ଜନସାଧାରଣଙ୍କୁ ସେବା ଯୋଗାଇଦେବେ । ଆମ ରାଜ୍ୟର ୧୨ଟି ସ୍ଥାନରେ ସିଭିଲ୍ ଡିଫେନ୍ସ ସଙ୍ଗଠନ କାର୍ଯ୍ୟ କରୁଛି । ଆବଶ୍ୟକତା ଅନୁଯାୟୀ ଅନ୍ୟ ସ୍ଥାନମାନଙ୍କରେ ନୂଆ ସଙ୍ଗଠନ ଗଢିବାକୁ ମୁଁ ନିର୍ଦ୍ଦେଶ ଦେଇଛି ।