
ଚୀନ ପାକିସ୍ତାନ ଅର୍ଥନୈତିକ କରିଡର(ସିପିଇସି) ଆଫଗାନିସ୍ତାନ ପର୍ଯ୍ୟନ୍ତ ବ୍ୟାପ୍ତ ହେବ। ଏଥିପାଇଁ ଆଫଗାନିସ୍ତାନ ସହମତି ଜଣାଇଛି। ପାକିସ୍ତାନ ଏବଂ ଆଫଗାନିସ୍ତାନ ସହିତ ଚୀନ ତ୍ରିପାକ୍ଷିକ ଆଲୋଚନା କରିଛି। ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ତଥା ବିଦେଶ ମନ୍ତ୍ରୀ ଇଶାକ ଦାର, ଚୀନ ବିଦେଶ ମନ୍ତ୍ରୀ ଓ୍ବାଙ୍ଗ ୟି ଏବଂ ଆଫଗାନିସ୍ତାନର କାର୍ଯ୍ୟକାରୀ ବିଦେଶ ମନ୍ତ୍ରୀ ଅମିର ଖାନ ମୁତ୍ତାକୀ ଏ ନେଇ ମିଳିତ ଭାବେ ଘୋଷଣା କରିଛନ୍ତି।
ଇଶାକ ଦାର ୩ ଦିନିଆ ବେଜିଂ ଗସ୍ତରେ ଅଛନ୍ତି। ଅପରେସନ ‘ସିନ୍ଦୂର’ ଦ୍ଵାରା ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବା ପରେ ପାକ୍ ବିଦେଶ ମନ୍ତ୍ରୀଙ୍କର ଏହା ପ୍ରଥମ ଚୀନ ଗସ୍ତ। ବୈଠକରେ ୩ ବିଦେଶ ମନ୍ତ୍ରୀ ଆଞ୍ଚଳିକ ସୁରକ୍ଷା ଏବଂ ଆର୍ଥିକ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ଲାଗି ତ୍ରିପାକ୍ଷିକ ସହଯୋଗ ମହତ୍ଵପୂର୍ଣ୍ଣ ବୋଲି କହିଛନ୍ତି।