ବଢିଲା ଜ୍ୟୋତିଙ୍କ ଅଡୁଆ-ପୁଣି ୪ଦିନିଆ ରିମାଣ୍ଡରେ ନେଲା ପୁଲିସ

youtube

ନୂଆଦିଲ୍ଲୀ : ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ କୋର୍ଟରୁ ଲାଗିଛି ଆଉ ଏକ ଝଟକା । ଜ୍ୟୋତିଙ୍କୁ ପୁଣି ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ୫ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ହିସାର ପୁଲିସ ଜ୍ୟୋତିଙ୍କୁ ଜିଲ୍ଲା କୋର୍ଟରେ ହାଜର କରିଥିଲା । କୋର୍ଟରେ ଦେଢ ଘଣ୍ଟା ଧରି ବିତର୍କ ହେବା ପରେ କୋର୍ଟ ପୁଣି ୪ଦିନିଆ ରିମାଣ୍ଡରେ ନେବାକୁ ପୁଲିସକୁ ଅନୁମତି ଦେଇଛନ୍ତି ।
ଶୁଣାଣି ସମୟରେ ଜ୍ୟୋତିଙ୍କ ବାପା ହରିଶଙ୍କୁ ତାଙ୍କ ସହିତ ସାକ୍ଷାତ କରିବାକୁ ଅନୁମତି ଦିଆଯାଇନଥିଲା । ଗୁପ୍ତଚର ମାମଲାରେ ପୁଲିସ ଜ୍ୟୋତିଙ୍କୁ ଗତ ୧୬ ତାରିଖରେ ଗିରଫ କରିଥିଲା । ସୁରକ୍ଷା ଏଜେନ୍ସି ତାଙ୍କୁ ପଠାନକୋର୍ଟ ନେଇ ଜେରା କରିଥିଲେ । ଜ୍ୟୋତିଙ୍କ ପଠାନକୋଟ ଗସ୍ତ ଏବଂ ସେଠାରୁ ସେନା ଶିବିର ବିଷୟରେ ସୂଚନା ଦେଇଥିବା ସନ୍ଦେହ କରାଯାଇ ପଚରାଉଚରା କରାଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ, ଜ୍ୟୋତିଙ୍କ ବାପା ହରିଶ ମାଲହୋତ୍ରାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ପୂର୍ବରୁ ରିମାଣ୍ଡ ପାଞ୍ଚ ଦିନ ପାଇଁ ଥିଲା। ଏବେ ଚାରି ଦିନ ହେଲା। ପୂର୍ବରୁ କିଛି ମିଳି ନ ଥିଲା, ଆଗକୁ ବି କିଛି ମିଳିବ ନାହିଁ।
ଜ୍ୟୋତିଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ତାଙ୍କ ବାପା କହିଛନ୍ତି, ମୋ ଝିଅ ସମ୍ପୂର୍ଣ୍ଣ ଠିକ୍‌ କହୁଛି। ମୁଁ ସରକାରଙ୍କ ନିକଟରେ ଦାବି କରୁଛି ଯେ ମୋତେ ଜଣେ ଓକିଲ ଦିଅ। ମୋ ଝିଅକୁ ମୁକ୍ତ କର।
ପୋଲିସ ରିମାଣ୍ଡ ଉପରେ ସେ କହିଛନ୍ତି, ଝିଅକୁ ପାଞ୍ଚ ଦିନ ପାଇଁ ରିମାଣ୍ଡରେ ନିଆଯାଇଥିଲା,କିଛି ମିଳିଲାନି। ଏବେ ପୁଣି ଚାରି ଦିନ ପାଇଁ ରିମାଣ୍ଡରେ ନେବାର କଣ ଆବଶ୍ୟକତା ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ପୋଲିସ ଡାଏରୀଟି ଛଡ଼ାଇ ନେଇଛି। ସେମାନେ ମୋ ଭାଇର ପ୍ରେସକ୍ରିପସନ ଥିବା ଡାଏରୀଟି ମଧ୍ୟ ଛଡ଼ାଇ ନେଇଛନ୍ତି। ଏବେ ଭାଇ ଔଷଧ କେଉଁଠାରୁ ଆଣିବେ।
ଜ୍ୟୋତି କେତେ ଦିନ ଧରି ଭିଡିଓ ତିଆରି କରୁଥିଲେ ବୋଲି ପ୍ରଶ୍ନରେ ସେ କହିଥିଲେ, ସେ ଦେଢ଼ରୁ ଦୁଇ ବର୍ଷ ଧରି ଭିଡିଓ ତିଆରି କରୁଛନ୍ତି। ମୋ ଝିଅର କାହା ସହିତ କୌଣସି ସମ୍ପର୍କ ନାହିଁ।
ସୂଚନାଯୋଗ୍ୟ, ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରାଙ୍କୁ ତାଙ୍କର ୫ ଦିନିଆ ରିମାଣ୍ଡ ଶେଷ ହେବା ପରେ ଗୁରୁବାର ହରିୟାଣାର ହିସାର ପୋଲିସ କୋର୍ଟରେ ହାଜର କରିଥିଲା। ଶୁଣାଣି ସମୟରେ, କୋର୍ଟ ପୋଲିସକୁ ଜ୍ୟୋତିଙ୍କ ଡାକ୍ତରୀ ରିପୋର୍ଟ ବିଷୟରେ ପଚାରିଥିଲେ ଏବଂ କାଗଜପତ୍ର ଦେଖିଥିଲେ। ହିସାର ପୋଲିସ କୋର୍ଟରୁ ପୁଣି ୪ ଦିନିଆ ରିମାଣ୍ଡ ଆବେଦନ କରିଥିବାର ଜଣାପଡିଛି।
କୋର୍ଟରେ ପୋଲିସ କହିଛି, ଜ୍ୟୋତିଙ୍କ ଫୋନ ଏବଂ ଲାପଟପ ସହିତ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ଫରେନ୍ସିକ ବିବରଣୀ ଦୁଇ ଦିନ ମଧ୍ୟରେ ଉପଲବ୍ଧ ହେବ ଏବଂ ଏ ସମ୍ପର୍କରେ ତାଙ୍କୁ ପଚରାଉଚରା କରିବା ଆବଶ୍ୟକ। ଜ୍ୟୋତି ଦେଶର ଅନେକ ରାଜ୍ୟକୁ ଯାଇ ତାଙ୍କର ଭିଡିଓ କରିଥିଲେ, ସେଠାକାର ପୋଲିସ ସହିତ ଯୋଗାଯୋଗ କରାଯାଇଛି, ଆବଶ୍ୟକ ହେଲେ ତାଙ୍କୁ ସେଠାକୁ ନେଇ ପଚରାଉଚରା କରିବାକୁ ପଡ଼ିପାରେ।
ହିସାର ପୋଲିସ କହିଛି ଯେ, ପଚରାଉଚରା ସମୟରେ ଜ୍ୟୋତି ଅନେକ ପ୍ରଶ୍ନର ଉତ୍ତର ଦେବାକୁ ଏଡ଼ାଇ ଯାଉଥିଲେ। ପୋଲିସ କହିଛି ଯେ ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଥିଲା, ଜ୍ୟୋତି ଜଣେ ପାକିସ୍ତାନ ଗୁପ୍ତଚର ଅଧିକାରୀ (ପିଆଇଓ)ଙ୍କ ସହ ଯୋଗାଯୋଗରେ ଥିଲେ।
ଜ୍ୟୋତିଙ୍କ ୩ଟି ମୋବାଇଲ ଫୋନ ଏବଂ ଲାପଟପ୍‌ ଫରେନସିକ ରିପୋର୍ଟ ଦୁଇ ଦିନ ମଧ୍ୟରେ ଆସିବ। ପରବର୍ତ୍ତୀ ଚାରି ଦିନର ରିମାଣ୍ଡ ମଧ୍ୟରେ, ପୋଲିସ ତାଙ୍କୁ ଫୋରେନସିକ ରିପୋର୍ଟ ସହିତ ସାମ୍ନା କରିବ। ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ନିଆଯାଇଛି। ପୋଲିସର କହିବା ଅନୁଯାୟୀ, ଜ୍ୟୋତି ସବୁକିଛି ଜାଣିଥିଲେ ମଧ୍ୟ ସେ ପାକିସ୍ତାନୀ ଗୋଇନ୍ଦା ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲେ।
ହରିୟାଣାର ହିସାରର ୩୩ ବର୍ଷୀୟ ୟୁଟ୍ୟୁବର ଏବଂ ଟ୍ରାଭେଲ ବ୍ଲଗର ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନର ଗୋଇନ୍ଦା ସଂସ୍ଥା (ISI) ପାଇଁ ଗୁପ୍ତଚର ଏବଂ ସମ୍ବେଦନଶୀଳ ସୂଚନା ଶେୟାର କରିବା ଅଭିଯୋଗରେ ମେ୧୭ରେ ଗିରଫ କରାଯାଇଥିଲା।

Leave A Reply

Your email address will not be published.