
ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ଗାଦି ଟଳମଳ ହେଉଛି। ଆମେରିକା ଦ୍ଵାରା ପରିଚାଳିତ ୟୁନୁସ ଏବେ ସେନା ଆକ୍ରୋଶର ଶିକାର ହେଉଛି। ଏଭଳି ସ୍ଥିତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ୟୁନୁସଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ୟୁନୁସ ଆତଙ୍କବାଦୀଙ୍କ ସହାୟତାରେ ବାଂଲାଦେଶର ଶାସନ ହାତେଇଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଆତଙ୍କୀ ରହିଛନ୍ତି, ଯେଉଁମାନଙ୍କ ଉପରେ ଅନ୍ତର୍ଜାତୀୟ ସ୍ତରରେ କଟକଣା ଲାଗୁ ହୋଇଛି। ତା’ ସହିତ ୟୁନୁସ ଆମେରିକା ହାତକୁ ବାଂଲାଦେଶକୁ ବିକ୍ରି କରିଦେବାକୁ ବସିଛନ୍ତି ବୋଲି ହାସିନା କହିଛନ୍ତି।
ନିଜ ଫେସବୁକ ପୋଷ୍ଟରେ ହାସିନା ଲେଖିଛନ୍ତି ଯେ, ୟୁନୁସ କ୍ଷମତା ହାତେଇବା ଲାଗି ଆତଙ୍କବାଦୀଙ୍କ ସହାୟତା ନେଇଛନ୍ତି। ଏମାନେ ସେହି ଆତଙ୍କବାଦୀ ଯେଉଁମାନଙ୍କଠାରୁ ଆମେ ଦେଶବାସୀଙ୍କୁ ସୁରକ୍ଷା ଦେଇଥିଲୁ। କେବଳ ଗୋଟିଏ ଆତଙ୍କବାଦୀ ଆକ୍ରମଣ ପରେ ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଲୁ। ଅନେକ ଆତଙ୍କୀଙ୍କୁ ଗିରଫ କଲୁ। କିନ୍ତୁ ଏବେ ବାଂଲାଦେଶର ଜେଲଗୁଡ଼ିକ ଖାଲି ହୋଇଯାଇଛି। ୟୁନୁସ ସବୁ ଆତଙ୍କୀଙ୍କୁ ମୁକ୍ତ କରିଦେଇଛନ୍ତି। ବର୍ତ୍ତମାନ ବାଂଲାଦେଶରେ ସେହି ଆତଙ୍କବାଦୀମାନଙ୍କର ରାଜ୍ ଚାଲିଛି।
ହାସିନା ଆହୁରି କହିଛନ୍ତି ଯେ, ତାଙ୍କ ବାପା ଶେଖ୍ ମୁଜିବୁର ରହମନ ଶାସନ କ୍ଷମତାରେ ଥିବା ସମୟରେ ଆମେରିକା ସେଣ୍ଟ ମାର୍ଟିନ ଦ୍ଵୀପ ନେବାକୁ ଚାହୁଁଥିଲା। ତାଙ୍କ ବାପା ଏଥିରେ ରାଜି ହୋଇ ନ ଥିଲେ। ସେଥିଲାଗି ତାଙ୍କୁ ହତ୍ୟା କରାଗଲା। ତାଙ୍କ ନିଜ କ୍ଷେତ୍ରରେ ବି ଅନୁରୂପ ଘଟଣା ଘଟିଲା। ସେ କେବେ ବାଂଲାଦେଶକୁ ବିକ୍ରି କରିବା କଥା ଚିନ୍ତା କରି ନ ଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଏଭଳି ଏକ ବ୍ୟକ୍ତି କ୍ଷମତାକୁ ଆସିଲେ ଯେ, ଏବେ ସେ ଦେଶକୁ ଆମେରିକା ହାତକୁ ଟେକିଦେବାକୁ ବସିଛନ୍ତି।