‘ସମ୍ବଲପୁରକୁ ବୃହତ ମହାନଗର ନିଗମରେ ପରିଣତ କରିବା ପାଇଁ ଆମ ସରକାର ଅଙ୍ଗିକାରବଦ୍ଧ’

youtube

ସମ୍ବଲପୁର: ରବିବାର ସମ୍ବଲପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ମଧ୍ୟ କରିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛନ୍ତି ।

ସେ ଲେଖିଛନ୍ତି ଯେ, ସମ୍ବଲପୁର ଦୁର୍ଗାପାଲି ସ୍ଥିତ ରେଲଓ୍ୱେ ଓଭର ବ୍ରିଜର ଉଦଘାଟନ କଲି । ସମ୍ବଲପୁର ସହରକୁ ଅଧିକ ସୁନ୍ଦର ଓ ଆଧୁନିକ କରିବା ପାଇଁ ଏହା ଏକ ଭଲ ପଦକ୍ଷେପ । ଏହି ବ୍ରିଜ୍ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ୍ ନିୟନ୍ତ୍ରଣ ହ୍ରାସ ହେବା ସହ ଜନସାଧାରଣଙ୍କ ଯାତାୟତ ସୁରକ୍ଷିତ ହେବ । ଆଜିର ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଉଛି ।

ସେହିପରି, କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ପୋତାପାଲି ସ୍ଥିତ ‘ଶ୍ରୀକୃଷ୍ଣ ଗୌଶାଲା’ ର ଅତ୍ୟାଧୁନିକ ନବ ପ୍ରକଳ୍ପ ନିର୍ମାଣ ପାଇଁ ଭୂମିପୂଜନ କରିଛନ୍ତି । ଆଗାମୀ ଦିନରେ ଏମଏସିଏଲର ସାମାଜିକ ଦାୟିତ୍ୱ ପଦକ୍ଷେପ ଅଧୀନରେ ଏଠାରେ ନୂଆ ଭବନ ନିର୍ମାଣ ସହ ଆନୁଷଙ୍ଗିକ କାମ ହେବ । ସମାଜର ସହଭାଗିତାରେ ଏହି ଗୌଶାଲାକୁ ଆଗେଇ ନେବା ଆମ ସମସ୍ତଙ୍କର ଦାୟିତ୍ୱ । ଗୋସେବାରେ ବ୍ରତୀ ଥିବା ଏହି ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରୁଛି ବୋଲି ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ।

ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାରରେ ସମ୍ବଲପୁର ସହରକୁ ଏକ ଶ୍ରୀମନ୍ତ ସହରରେ ବିକଶିତ କରାଯିବ । ରାସ୍ତାଘାଟ, ପିଇବା ପାଣି, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ଅଣାଯିବ । ଯୋଗାଯୋଗ ଏବଂ ଆନୁଷଙ୍ଗିକ ଭିତ୍ତିଭୂମିକୁ ସୁଦୃଢ କରାଯିବ । ସମ୍ବଲପୁର ସହରକୁ ଏକ ବୃହତ ମହାନଗର ନିଗମରେ ପରିଣତ କରିବା ପାଇଁ ଆମ ସରକାର ଅଙ୍ଗିକାରବଦ୍ଧ ।

Leave A Reply

Your email address will not be published.