
ମାଲକାନଗିରି : ସାରା ଦେଶରେ ପ୍ରମୁଖ ସମସ୍ଯା ଭାବେ ମୁଣ୍ଡ ଟେକିଥିବା ବାଂଲା ଅନୁପ୍ରବେଶ କାରୀଙ୍କୁ ଦେଶରୁ ବିତାଡିତ କରିବା ପାଇ ସରକାର ପ୍ରୟାସ ଆରମ୍ଭ କରିଥିବା ବେଳେ ବର୍ତମାନ ବଙ୍ଗଳାଦେଶି ଅନୁପ୍ରବେଶକାରି ଙ୍କ ଚିହ୍ନଟ କରାଯାଉଛି । ଏହି ସନ୍ଦର୍ଭରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି ଏହି ପ୍ରକ୍ରିୟା । ସରକାରୀ ଆକଳନ ରେ ୬୦୦ ରହିଥିବା ବେଳେ ପ୍ରକୃତ ରେ ଏହା ଠୁ ଅଧିକ ରହିଛନ୍ତି । ଖବର ଅନୁଯାୟୀ ମାଲକାନଗିରି ଜିଲ୍ଲା ଏମଭି-4 ଗାଁର ଏକ ଘରେ କିଛି ଅଜଣା ଲୋକେ ବେଶ୍ କିଛି ମାସ ଧରି ରହିଥିବା ବେଳେ ଏମାନେ ଅନେକ ଅସାମାଜିକ କାମରେ ଲିପ୍ତ ରହିଥିବା ଏବଂ ଭାରତୀୟ ନାଗରିକ ହୋଇନଥିବା ଗାଁ ଲୋକେ ସନ୍ଦେହ କରିଥିଲେ । ଏହି ଯୁବକ ମାନଙ୍କ ଠାରୁ ଗାଁ ଲୋକେ ଅସଲ ପରିଚୟ ମାଗିଥିବାରୁ ଏମାନେ ବାରମ୍ବାର ନିଜର ବୟାନ ବଦଳାଇବା ସହିତ ସଠିକ ତଥ୍ୟ ପ୍ରଦାନ କରି ପାରିନଥିଲେ । ଏମାନେ ବଙ୍ଗଳାଦେଶି ଅନୁପ୍ରବେଶକାରି ହୋଇଥିବା ଆଶଙ୍କା କରି ଗାଁ ଲୋକେ ପୋଲିସ କୁ ଖବର ଦେଇଥିଲେ । ମାଲକାନଗିରି ଆଦର୍ଶ ଥାନା ପୋଲିସ ଗତକାଲି ବିଳମ୍ବିତ ରାତିରେ ଏମଭି-4 ଗାଁ ରେ ପହଞ୍ଚି ଏହି ଯୁବକଙ୍କୁ ପଚରା ଉଚୁରା କରିବା ପରେ ଥାନାରେ ଆଣି ଅଟକ ରଖିଥିଲେ । ତଦନ୍ତ ପରେ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାଲକାନଗିରି ଥାନା ଅଧିକାରୀ କହିଛନ୍ତି ।