ଜିଲ୍ଲା ସ୍ୱାସ୍ଥ୍ୟ ଅବସ୍ଥା ବିପର୍ଯ୍ୟସ୍ତ : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମାନବ ଅଧିକାର ସୁରକ୍ଷା ମଞ୍ଚର ଆଠ ଦଫା ଦାବି

youtube

ବ୍ରହ୍ମପୁର : ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଗଞ୍ଜାମ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସଜାଡ଼ିବା ଦାବି ନେଇ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି l ଓଡିଶାର ଯେକୌଣସି ଅଂଚଳରେ ଦୁର୍ଘଟଣାର ୪୮ଘଣ୍ଟା ପର୍ଯ୍ୟନ୍ତ ଚିକିତ୍ସା ପାଇଁ କଟକ ଓ ଭୁବନେଶ୍ୱରର କିଛି ଘରୋଇ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚ ମାଗଣା ହେବା ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି କିନ୍ତୁ କଟକ, ଭୁବନେଶ୍ୱର ଗଞ୍ଜାମ ଜିଲ୍ଲା ଠାରୁ ୨୦୦କି.ମିରୁ ଅଧିକ, ସେଠାକୁ ପହଂଚିବାକୁ ହେଲେ ୪ଘଣ୍ଟାରୁ ଉର୍ଧ୍ଵ ସମୟ ଲାଗିପାରେ ଓ ରାସ୍ତାରେ ଲୋକଟିର ଜୀବନ ମଧ୍ୟ ଚାଲିଯାଇପାରେ l ଏଣୁ ଦକ୍ଷିଣ ଓଡିଶା ବାସୀଙ୍କ ନିର୍ଭରଯୋଗ୍ୟ ବ୍ରହ୍ମପୁରର ଏମକେସିଜି ମେଡିକାଲ ଓ ଜିଲ୍ଲା ମୁଖ୍ୟ ସିଟି ହସ୍ପିଟାଲରେ ଅତି ଉନ୍ନତ ଚିକିତ୍ସା ବ୍ୟବସ୍ଥା କରାଯାଉ, ଏମକେସିଜି ମେଡିକାଲରେ ଥିବା ଟ୍ରମା କେୟାର ବିଭାଗକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବା ସହ ସିଟି ହସ୍ପିଟାଲରେ ନୂତନ ଭାବେ ଟ୍ରମା କେୟାର ବିଭାଗ ଖୋଲାଯାଉ l ବର୍ତମାନ ପ୍ରାଥମିକ ପର୍ଯ୍ୟାୟରେ ବ୍ରହ୍ମପୁର ଠାରେ କୌଣସି ଘରୋଇ ହସ୍ପିଟାଲରେ ସମ୍ପୂର୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ବ୍ୟବସ୍ଥା କରାଯାଉ l ଯାହାଫଳରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଏଠି ଚିକିତ୍ସା ପାଇପାରିବେ ଦ୍ୱିତୀୟରେ ଲୋକଙ୍କୁ ଉଚିତ ଦରରେ ଔଷଧ ଯୋଗାଣ ନିମନ୍ତେ ଉଦ୍ଧିଷ୍ଟ କେନ୍ଦ୍ର ସରକାର ଅଧିନସ୍ତ ବିଭିନ୍ନ ଜେନେରିକ ଔଷଧ ଯଥା ଗ୍ୟାଷ୍ଟ୍ରିକ, ଥଣ୍ଡା ଔଷଧ ଭଳି ଅନେକ ଔଷଧ ନିର୍ଦ୍ଧାରିତ ଦରରୁ ଶହ ଶହ ଟଙ୍କା ଉଚ୍ଚ ଦରରେ ବଜାରରେ ବିକ୍ରି କରି ଖାଉଟିଙ୍କୁ ଲଗାମହୀନ ଭାବେ ଲୁଟାଯାଉଛି l ଏହି ଔଷଧ କଳା ବଜାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ କମିଶନ କାରବାରରେ ଲିପ୍ତ ରହି ଘରୋଇ ରୋଗ ନିଦାନ କେନ୍ଦ୍ରରେ ପରୀକ୍ଷା କରିବାକୁ ବାଧ୍ୟ କରୁଥିବା ଅସାଧୁ ଡାକ୍ତରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ଗଞ୍ଜାମ ଜିଲ୍ଲାର ଏକ ମାତ୍ର ବ୍ରହ୍ମପୁର ସିଟି ହସ୍ପିଟାଲରେ ଭିନ୍ନକ୍ଷମ ପ୍ରମାଣ ପତ୍ର ଦିଆଯିବା ନିୟମ ରହିଥିଲେ ବି ଦୀର୍ଘ ଛଅ ମାସ ଉର୍ଦ୍ଧରୁ ହିତାଧିକାରୀଙ୍କୁ ପ୍ରମାଣ ପତ୍ର ଦିଆଯାଇନାହିଁ, ଯାହାଫଳରେ ପ୍ରମାଣ ପତ୍ର ନ ପାଇ ହିତାଧିକାରୀ ବିଭିନ୍ନ ସୁବିଧାରୁ ବଂଚିତ ହେବା ସହ ହସ୍ପିଟାଲକୁ ବାରମ୍ବାର ଧାଇଁ ନାନା ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି ଏଣୁ ଭିନ୍ନକ୍ଷମଙ୍କ ପ୍ରତି ନିର୍ଯ୍ୟାତନା ବନ୍ଦ କରି ତୁରନ୍ତ ପ୍ରମାଣ ପତ୍ର ପ୍ରଦାନ,
ସିଟି ହସ୍ପିଟାଲର ଫିଜିଓଥେରାପି ବିଭାଗଟି ଅଘୋଷିତ ଭାବେ ଅଧିକାଂଶ ଦିନ ବନ୍ଦ ରଖି ଏଠାରେ ନିୟୋଜିତ କର୍ମଚାରୀ ନିଜର ଘରୋଇ ଫିଜିଓଥେରାପି କେନ୍ଦ୍ରକୁ ରୋଗୀ ଚାଲାଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଅଲଟ୍ରାସାଉଣ୍ଡ ଓ ଅନ୍ୟ କିଛି ଜରୁରୀ ପରୀକ୍ଷା ସୀମିତ ସଂଖ୍ୟାର ହେଉଥିବାରୁ କିଛି ସିକ୍ଯୁରିଟି ଗାର୍ଡ ଓ କର୍ମଚାରୀ ମାନେ ଟଙ୍କା କାରବାର କରି ନିଜ ଲୋକଙ୍କୁ ସୁଯୋଗ ଦେଉଛନ୍ତି,ଯାହାଫଳରେ ସକାଳୁ ଆସି ଧାଡିରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ଶେଷରେ ଦୂର ଦୁରାନ୍ତରୁ ଆସିଥିବା ରୋଗୀ ନିରାଶ ହୋଇ ଫେରୁଛନ୍ତି ବା ଘରୋଇ କେନ୍ଦ୍ର ଗୁଡିକୁ ଯାଇ ହଜାର ହଜାର ଟଙ୍କା ଦେଇ ଶୋଷଣର ଶିକାର ହେଉଛନ୍ତି I

ଏଣୁ ଅଲଟ୍ରାସାଉଣ୍ଡ ସଂଖ୍ୟା ବୃଦ୍ଧି ସହ ଲାଞ୍ଚ କାରବାର କରି ରୋଗୀଙ୍କୁ ହଇରାଣ କରିବା ବନ୍ଦ, ସିଟି ହସ୍ପିଟାଲ ସମେତ ଜିଲ୍ଲାର ସମସ୍ତ ହସ୍ପିଟାଲରେ ବିଭିନ୍ନ ପରୀକ୍ଷା ଓ ଡାକ୍ତର ପରାମର୍ଶ ନିମନ୍ତେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ପ୍ରାଥମିକତା ଦିଆଯିବା, ଦୀର୍ଘ ମାସରୁ ଫିଲ୍ମ ନାହିଁ କହି ବନ୍ଦ ପଡ଼ିଥିବା ଦାନ୍ତର ଏକ୍ସ-ରେ ତୁରନ୍ତ ନିୟମିତଭାବେ କରାଯିବା ଆଦି ପ୍ରମୁଖ ଦାବି ନେଇ ଆଜି ସିଡିଏମଓ ଡ଼ା. ଭବାନୀ ଶଙ୍କର ମିଶ୍ରଙ୍କ ସହ ମଞ୍ଚ କର୍ମକର୍ତ୍ତା ମାନେ ଆଲୋଚନା କରିଥିଲେ l ଆଜି ଆବାହକ ଆଇନଜୀବି ଅବନୀ ଗୟା, ସଭାପତି ଗଗନ ଚନ୍ଦ୍ର ମଲ୍ଲିକ ଙ୍କ ସମେତ ସମାଜସେବୀ ମନୋଜ କୁମାର ତରାଇ,ଦୁର୍ଯ୍ୟୋଧନ ସାହୁ, ପ୍ରଶାନ୍ତ କୁମାର ପଣ୍ଡା,ଆର. ସତ୍ୟ ନାରାୟଣ ରାଓ,ସୁରେନ୍ଦ୍ର ନାଥ ପଣ୍ଡା,ଏସ. ଶାମ୍ବାଶିବା ରାଓ, ହୃଷିକେଶ ପାତ୍ର, ଏମ. ଏସ. ମଲ୍ଲିକ, ସାଧୁଚରଣ ବେହେରା, ଜୟକୃଷ୍ଣ ନାୟକ, ମହମ୍ମଦ ଆସଲାମ, ମହେଶ୍ୱର ବାଡ଼ତ୍ୟା, ଅଶୋକ ଦଳାଇ, ଆଦିତ୍ୟ ନାରାୟଣ ରଥ, ବିରେନ କୁମାର ବେହେରା, ପି. ନାଗେଶ୍ୱର ରାଓ, ବିଜୟ କୁମାର ପାଢ଼ୀ ଆଦି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

Leave A Reply

Your email address will not be published.