
ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ-ଓପିଏସସିଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା । ଓପିଏସସିରେ ଅଛନ୍ତି କିଛି ଅହଂକାରୀ ବ୍ୟକ୍ତି । କମିଶନ ଖୁବ ଜିଦଖୋର । ନିଜକୁ ବହୁତ ବଡ଼ ଭାବୁଛନ୍ତି । ଏଥିପାଇଁ ଭୁଲ କଲେ ବି କମିଶନ ସ୍ବୀକାର କରୁନାହାନ୍ତି । ଓଜେଏସ ମୂଲ୍ୟାୟନ ପ୍ରକ୍ରିୟାରେ ଭୁଲକୁ ସ୍ବୀକାର କରିନଥିବାରୁ ସୁପ୍ରିମକୋର୍ଟ ଓପିଏସସି ଉପରେ ବର୍ଷିଛନ୍ତି । ସୁପ୍ରିମକୋର୍ଟଙ୍କ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଦୀପଙ୍କର ଦତ୍ତ ଓ ବିଚାରପତି ବିଜୟ ବିଷ୍ଣୋୟୀଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଓପିଏସସି ପକ୍ଷରୁ ଦାୟର ଆବେଦନକୁ ଖାରଜ କରିଦେଇଛନ୍ତି ।
ଓଜେଏସ-୨୦୨୨ ପରୀକ୍ଷାର୍ଥୀ ଜ୍ୟୋତିର୍ମୟୀ ଦତ୍ତଙ୍କୁ ପରୀକ୍ଷା ଖାତା ଦେବାକୁ କମିଶନଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଓପିଏସସି ଉପରେ କଡ଼ା ଟିପ୍ପଣୀ ରଖିଥିଲେ । ସୁପ୍ରିମକୋର୍ଟରେ ଓପିଏସସି ପକ୍ଷରୁ ଏହାକୁ ଚ୍ୟାଲେଞ୍ଜ କରାଯାଇଥିଲା । ଓପିଏସସି ବିରୋଧରେ ଓଡ଼ିଶା ହାଇକୋର୍ଟ ଦେଇଥିବା ନକାରାତ୍ମକ ମନ୍ତବ୍ୟ ହଟାଇବାକୁ କମିଶନଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ । ସୁପ୍ରିମକୋର୍ଟ କହିଛନ୍ତି, ପରୀକ୍ଷାଖାତା ମୂଲ୍ୟାୟନରେ କମିଶନ ଏପରି ଗୁରୁତର ତ୍ରୁଟି କରିପାରିବେ ନାହିଁ । ମୂଲ୍ୟାୟନରେ ଏପରି ତ୍ରୁଟିକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ ।
ଏଥିପାଇଁ କମିଶନଙ୍କୁ ଦାୟୀ କରାଯିବା ଉଚିତ । ଜଷ୍ଟିସ ଦୀପଙ୍କର ଦାସ ମନ୍ତବ୍ୟ ଦେଇଛନ୍ତି, ଯଦି ଆପଣ ପ୍ରଥମରୁ ମାନିଥାନ୍ତେ ଯେ ଆମ ପକ୍ଷରୁ କିଛି ଭୁଲ ହୋଇଛି ଏବଂ ଆମେ ଏହାକୁ ଯାଞ୍ଚ କରିବୁ, ତେବେ ଏହି ମାମଲା ସେଠାରେ ପରିସମାପ୍ତି ଘଟିଥାଆନ୍ତା । ତେବେ ହାଇକୋର୍ଟ ଓପିଏସସି ଉପରେ ଦେଇଥିବା ନକାରାତ୍ମକ ମନ୍ତବ୍ୟକୁ ଭବିଷ୍ୟତରେ ମାମଲାଗୁଡ଼ିକ ପାଇଁ ନଜିର ଭାବେ ଗ୍ରହଣ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।