
କୋଲକାତା: ଆକ୍ସନ ମୋଡରେ ବିଜେପି । ଏଥର କଳେ ବଳେ କୌଶଳେ ପଶ୍ଚିମବଙ୍ଗରେ ସରକାର ଗଢିବାକୁ ଲକ୍ଷ୍ୟ ରଖିଛି ବିଜେପି । ଭାରତର ବିଭିନ୍ନ ରାଜ୍ୟରେ ବିଜେପି କ୍ଷମତାରେ ଥିବା ଅନ୍ୟ ଦଳମାନଙ୍କୁ ପରାଜିତ କରି ଗେରୁଆ ଗଡ଼ କରି ଚାଲିଥିବା ବେଳେ ମୋଦୀଙ୍କ ନେତୃତ୍ବ ଏବଂ ମୋଦୀ ମ୍ୟାଜିକ ପାଇଁ ଅନେକ ରାଜ୍ୟରେ ଚମତ୍କାର ହେଉଛି । ଦୀର୍ଘ ୨୪ ବର୍ଷ ଧରି ଓଡିଶାରେ ଶାସନ ଭାର ଗୋଟିଏ ଦଳ ହାତରେ ଥିବା ବେଳେ ଅନ୍ୟ କୌଣସି ଦଳ ମୁଣ୍ଡ ଟେକି ପାରୁନଥିଲା ମାତ୍ର ଏଥର ବିଜେପିର ରଣନୀତି କାମ କଲା ଆଉ ୨୪ ବର୍ଷର ନବୀନ ସରକାର ଗାଦିଚ୍ୟୁତ ହେବା ପରେ ବିଜେପି ଓଡିଶାରେ ସରକାର ଗଢିଲା । ସବୁଜ ଗଡ ଗେରୁଆ ଗଡରେ ବଦଳିଲା… ଓଡିଶା ପରେ ଏବେ ବିଜେପି ଫୋକସରେ ପଶ୍ଚିମବଙ୍ଗ… ମାନେ ଦିଦିଙ୍କ ଦୁର୍ଗ…
ପଶ୍ଚିମବଙ୍ଗରେ ବିଜେପି ସରକାର ଗଢିବାକୁ ଜିଜାନ୍ ଲଗାଇ ଦେଇଛି । ୨୦୨୬ରେ ପଶ୍ଚିମବଙ୍ଗରେ ନିର୍ବାଚନ ଥିବାରୁ ଶୀର୍ଘ ନେତୃତ୍ବ ବାରମ୍ବାର ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି । ଗତ ଦୁଇ ଦିନରେ ଦୁଇ ଶୀର୍ଷ ନେତାଙ୍କ ପଶ୍ଚିମବଙ୍ଗ ଗସ୍ତ ହିଁ ସୂଚାଇ ଦେଉଛି କି ବିଜେପି ପଶ୍ଚିମବଙ୍ଗ ନିର୍ବାଚନକୁ କେତେ ଗୁରୁତ୍ବ ଦେଉଛି ।
ତେବେ ଗତ ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗ ଗସ୍ତ କରି ମମତା ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ଜନତା ପଶ୍ଚିମବଙ୍ଗରେ ହିଂସା, ଦୁର୍ନୀତି ଚାହୁଁନାହାନ୍ତି… ଜନତା ନିର୍ମମ ସରକାର ଚାହୁଁନଥିବା କହି ଦିଦିଙ୍କୁ ଟାର୍ଗେଟ୍ କରିଥିବା ବେଳେ ଆଜି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ମମତାଙ୍କ ଉପରେ ଧୁମ୍ ବର୍ଷିଛନ୍ତି ।
ପଶ୍ଚିମବଙ୍ଗରେ ବିଜେପି ୨୦୨୬ରେ ସରକାର ଗଢୁଛି ବୋଲି ଦମ୍ଭ ଦେଖାଇ ଶାହ କହିଛନ୍ତି ପଶ୍ଚିମବଙ୍ଗରେ ବିଜେପି ସରକାର ଗଢିଲେ ହିଁ ଦେଶ ସୁରକ୍ଷିତ ରହିବ । କାରଣ ମମତା ସରକାରଙ୍କ ଆଶୀର୍ବାଦରୁ ଅନୁପ୍ରବେଶକାରୀ ବାଂଲାଦେଶ ଆଡୁ ମାଡି ଆସୁଛନ୍ତି ଯାହା ଦେଶର ସୁରକ୍ଷା ପ୍ରତି ବିପଦ । କେବଳ ପଦ୍ମ ଫୁଟିଲେ ହିଁ ଏହା ସମ୍ଭବ ବୋଲି ଶାହ କହିଛନ୍ତି ।
ଦିଦିଙ୍କ ଗଡ଼ରୁ ଶାହ ରଣହୁଙ୍କାର ଦେଇ ଏଥର ୨୦୨୬ରେ ପଶ୍ଚିମବଙ୍ଗରୁ ମମତା ସରକାରକୁ ଉପାଡ଼ି ଫିଙ୍ଗି ଦେବାକୁ ବିଜେପିର କର୍ମକର୍ତ୍ତାକୁ ଆହ୍ବାନ ଦେଇଛନ୍ତି । ଯଦି ପଶ୍ଚିମବଙ୍ଗରେ ଅନୁପ୍ରବେଶ ବନ୍ଦ କରିବାକୁ ଚାହୁଁଛ, ଯଦି ପଶ୍ଚିମବଙ୍ଗରେ ଦୁର୍ନୀତି ବନ୍ଦ କରିବାକୁ ଚାହୁଁଛ ଏବଂ ଯଦି ହିନ୍ଦୁଙ୍କ ଉପରେ ଆକ୍ରମଣ ବନ୍ଦ କରିବାକୁ ଚାହୁଁଛ ତେବେ ପଶ୍ଚିମବଙ୍ଗରେ ଟିଏମସିର ସରକାର ହଟେଇ ବିଜେପିର ସରକାରକୁ ଆଣିବାକୁ ପଡ଼ିବ ବୋଲି ଦମ୍ଭ ଦେଖାଇଛନ୍ତି ଶାହ ।
ଦିଦିଙ୍କୁ ସିଧା ନିଶାନା କରି ଶାହ କହିଛନ୍ତି- ମାଆ ମାଟି ମାନୁଷର ନାରା ଦେଇ ମମତା ସରକାରକୁ ଆସିଥିଲେ ହେଲେ ଏବେ ସେହି ମହାନ ମାଟିରେ ହିଂସା, ହତ୍ୟା, ଗୁଣ୍ଡଗର୍ଦ୍ଦି, ବୋମାମାଡ଼ ହେଉଛି । ମାଆ ଓ ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି, ଅନୁପ୍ରବେଶକାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି… ଏହି ମାଟିରେ ଶତାଧିକ ବିଜେପି କର୍ମୀଙ୍କ ହତ୍ୟା ହୋଇଛି । ତେଣୁ ମନେରଖ ଦିଦି ତମ ସମୟ ସରିଆସିଲାଣି, ୨୦୨୬ରେ ବିଜେପି ପଶ୍ଚିମବଙ୍ଗରେ ସରକାର ଗଢୁଛି । ଆଉ ସରକାର ଗଢିବା ପରେ ବିଜେପି କର୍ମୀଙ୍କ ହତ୍ୟାକାରୀଙ୍କୁ ମାଟିରେ ପୋତା ହୋଇଥିଲେ ବି ବାହାରକରି ଦଣ୍ଡ ଦିଆଯିବ… ଏହା ମୋର ପ୍ରତିଶ୍ରୁତି ବୋଲି ଶାହା କହିଛନ୍ତି ।
ତେବେ ହିଂସାର ପଥ ଆପଣାଉଥିବା ଟିଏମସିକୁ ଚେତାବନୀ ଦେବା ସହ ମମତାଙ୍କୁ ଚାଲେଞ୍ଜ ଦେଇଛନ୍ତି ଶାହ । ଦିଦି ଯଦି ସାହସ ଅଛି ନିର୍ବାଚନ ଲଢି ଦେଖ । ପହଲଗାମ୍ ଆତଙ୍କୀ ହମଲା ପରେ ଅପରେସନ ସିନ୍ଦୂର ହେଲା । ଆତଙ୍କୀଙ୍କ ଆଡ୍ଡା ଧ୍ବଂସ କରାଗଲା ହେଲେ ସେଘଟଣା ଦିଦିଙ୍କୁ ବାଧିଲା । ମୁଁ ବେଙ୍ଗଲର ମାତୃଶକ୍ତିଙ୍କୁ ଅନୁରୋଧ କରିଛି ଆଗାମୀ ନିର୍ବାଚନରେ ସିନ୍ଦୂରର ଶକ୍ତି ମମତାଙ୍କୁ ବୁଝାଇ ଦିଅନ୍ତୁ |