ଓମ୍‌ଫେଡ଼ କ୍ଷୀର ଦର ୨ ଟଙ୍କା ବଢିବ, ଲିଟର ପିଛା ୩ ଟଙ୍କା ଅଧିକ ଦାମ୍ ପାଇବେ ଉତ୍ପାଦକ

add-all

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକସେବା ଭବନ ସମ୍ମେଳନ କକ୍ଷରେ ରାଜ୍ୟସ୍ତରୀୟ ବିଶ୍ବ ଦୁଗ୍ଧ ଦିବସ-୨୦୨୫ ପାଳିତ ହୋଇଯାଇଛି। ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ସରକାରଙ୍କ ତରଫରୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ ବୋଲି ଘୋଷଣା କରିବା ସହିତ ଓମଫେଡ ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଏଥିସହ ଓମ୍‌ଫେଡ଼ କ୍ଷୀର ଦାମ୍‌ ଲିଟର ପିଛା ୨ ଟଙ୍କା ବଢିବ। ଖାଉଟିମାନଙ୍କ ପାଇଁ ବୃଦ୍ଧି ହେବାକୁ ଥିବା ଲିଟର ପ୍ରତି ୪ ଟଙ୍କାରୁ ୨ ଟଙ୍କା ସରକାର ବହନ କରିବେ। ତେଣୁ ଖାଉଟିଙ୍କୁ ୨ ଟଙ୍କା ଦେବାକୁ ପଡ଼ିବ। ଏହାଦ୍ବାରା ରାଜ୍ୟର ପ୍ରାୟ ୨.୫ ଲକ୍ଷ ଗୋପାଳକ ସିଧାସଳଖ ଲାଭବାନ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଓମଫେଡ୍‌ ବାଲ୍ଟି ଦହି, ଏ-୨ ମିଲ୍କ, ଏ-୨ ଘିଅର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ କାମଧେନୁ ଯୋଜନା ଅନ୍ତର୍ଗତ ଗୋପାଳନ, ମଇଁଷି ଉଦ୍ୟୋଗ ବିକାଶ, ମାଈ ବାଛୁରୀ ପାଳନ, ଗୋମହିଷାଦିଙ୍କ ବୀମାକରଣ, ଗୋପାଳକଙ୍କ ଆୟବୃଦ୍ଧି ନିମନ୍ତେ ନଗଦ ପ୍ରୋତ୍ସାହନ ଏବଂ ଘାସଚାଷ ପାଇଁ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏଥିସହିତ, ସେ ୨୦୨୪-୨୫ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ପ୍ରାୟ ୩ ଲକ୍ଷ ଗୋପାଳକଙ୍କୁ ୭୧ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ଓ ରାଜ୍ୟର ୭୭ ଗୋଟି ପଞ୍ଜିକୃତ ଗୋଶାଳାରେ ଅସହାୟ ଗାଈଗୋରୁଙ୍କ ରକ୍ଷଣାବେକ୍ଷଣ ପାଇଁ ପ୍ରାଣୀ କଲ୍ୟାଣ ସଂଗଠନମାନଙ୍କୁ ୧୦.୫ କୋଟି ଟଙ୍କାର ଆର୍ଥିକ ସହାୟତା ବଣ୍ଟନ କରିଛନ୍ତି।
ସୂଚନାଯୋଗ୍ୟ, ପୋଷଣୀୟ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିରେ ପ୍ରାଣୀପାଳକଙ୍କ ଅବଦାନ, ସୁଷମ ଖାଦ୍ୟ ମଧ୍ୟରେ ଦୁଗ୍ଧର ଉପକାରିତା ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର ଲକ୍ଷ୍ୟରେ ୨୦୦୧ ମସିହାଠାରୁ ପ୍ରତ୍ୟେକ ବର୍ଷ ଜୁନ ମାସ ୧ ତାରିଖରେ ବିଶ୍ବ ଦୁଗ୍ଧ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଥିମ ରହିଛି “ଲେଟସ୍ ସେଲିବ୍ରେଟ୍ ଦି ପାୱାର ଅଫ୍ ଡେରୀ ବା ଆସନ୍ତୁ ଦୁଗ୍ଧ ଶକ୍ତି ପାଳନ କରିବା।”

ad-week
Leave A Reply

Your email address will not be published.