
ବ୍ରହ୍ମପୁର : ମାମୁଁଙ୍କ ସାଙ୍ଗରେ ବୁଲେଟରେ ଖୁସିରେ ଯାଉଥିଲେ ଦୁଇ ଭାଣିଜୀ । ନୂଆ ଡ୍ରେସକିଣିବେ କିନ୍ତୁ ମୃତ୍ୟୁର ଦୂତ ଯେପରି ଛକି ଜଗିଥିଲା ଦିଗପହଣ୍ଡି ରାସ୍ତା ଉପରେ । ହଠାତ ଏକ ଟ୍ୟାଙ୍କର ସହିତ ବୁଲେଟର ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ମାମୁଁ ଭାଣିଜୀ ଛିନ୍ନଛତ୍ର ହୋଇ ରାସ୍ତା ଉପରେ ପଡି ଉଡ଼ିଗଲା ପ୍ରାଣବାୟୁ l
ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟରେ ଆଜି ଅପରାହ୍ନରେ ଘଟିଯାଇଛି l ସୂଚନା ଅନୁଯାଇ, ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ନିକଟସ୍ଥ ଦକ୍ଷିଣପୁର ଗ୍ରାମର ତ୍ରିନାଥ ରେଡି ତାଙ୍କର ୨ ଭାଣିଜି ବର୍ଷା ରେଡି ଓ ରୁଦ୍ରିକା ରେଡିଙ୍କୁ ବୁଲେଟରେ ଧରି ଦିଗପହଣ୍ଡି ଯାଉଥିବା ବେଳେ ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା l
ଦୁର୍ଘଟଣା ଏତେ ଜୋରରେ ହୋଇଥିଲା, ତିନି ଜଣ ଛିଟିକି ହୋଇ ପଡିଯାଇଥିଲେ l ପୋଲିସ ପହଞ୍ଚିବା ସହିତ ଆମ୍ବୁଲାନ୍ସରେ ଦିଗପହଣ୍ଡି ମେଡିକାଲକୁ ନିଆଯାଇଥିଲା l ଡାକ୍ତର ମୃତ ଘୋଷଣା କରିଥିଲେ l ତିନି ଜଣଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏଫଏମଟି ବିଭାଗକୁ ପଠାଯାଇଛି l ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ବର୍ଷା ରେଡି ବୟସ 19 ହୋଇଥିବା ବେଳେ ତାର ଘର ଗୌତମୀ ବୋଲି ଜଣାପଡିଛି l ସେହିପରି ରୁଦ୍ରିକାର ଘର ପଥରା l ବୟସ ପାଞ୍ଚ ବର୍ଷ ବୋଲି ଜଣାପଡିଛି l ମାମୁଁ ଘରକୁ ଭୋଜି ପାଇଁ ଆସିଥିଲେ ୨ ଭାଣିଜୀ l