
ସମ୍ବଲପୁର: ଛତିଶଗଡ଼ରୁ ଛତ୍ରଭଙ୍ଗ ଦେଇଥିବା ମାଓବାଦୀ ଓଡ଼ିଶା ମୁହାଁ। ଦେଶରୁ ନକ୍ସଲବାଦ ମୂଳପୋଛ କରିବାକୁ ଚାଲିଛି ଜୋରଦାର୍ ଅପରେସନ୍। ଜଙ୍ଗଲରେ ଖୋଜି ଖୋଜି ନକ୍ସଲଙ୍କୁ ନିପାତ କରୁଛନ୍ତି ସୁରକ୍ଷାକର୍ମୀ। ଘଞ୍ଚ ଜଙ୍ଗଲରେ ବି ଆଉ ସୁରକ୍ଷିତ ନାହାଁନ୍ତି ମାଓବାଦୀ। ଅସ୍ତିତ୍ଵ ବଞ୍ଚାଇବାକୁ କରୁଛନ୍ତି ଶେଷ ସଙ୍ଘର୍ଷ। ଲୁଚିବାକୁ ଏବେ ଖୋଜୁଛନ୍ତି ନୂଆ ଠିକଣା। କୁହାଯାଉଛି ସମ୍ବଲପୁରରେ ପୁଣି ସକ୍ରିୟ ହେଲେଣି ମାଓବାଦୀ। ତେଣୁ ହାଇଆଲର୍ଟରେ ଅଛନ୍ତି ସୁରକ୍ଷାବାହିନୀ।
ସମ୍ଵଲପୁର ଚାରମାଳ ଜଙ୍ଗଲରେ ମାଓବାଦୀ ଲୁଚିଥିବା ସନ୍ଦେହ କରାଯାଉଛି। ପ୍ରାୟ ୧୦୦ରୁ ଉର୍ଦ୍ଧ୍ଵ ମାଓବାଦୀ ଲୁଚିଥିବା ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି। ଏହାପରେ ସ୍ଥାନୀୟ ଅଞ୍ଚଳରେ ଜୋରଦାର୍ ସର୍ଚ୍ଚ ଅପରେସନ କରାଯାଉଛି। ଅର୍ଦ୍ଧ ସାମରିକ ବାହିନୀ ଏବଂ ଏସଓଜିଙ୍କୁ ନେଇ କୁମ୍ଵିଂ ଅପରେସନ ଚାଲିଛି।
ସୋନପୁର, ବୌଦ୍ଧ, ରେଢାଖୋଲ ଅଞ୍ଚଳର ଢେଙ୍ଗୁ ଡ୍ୟାମକୁ ଲାଗି ରହିଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ସକ୍ରିୟ ଥିବା ଗୁଇନ୍ଦା ସୂଚନା ମିଳିଛି। ପୂର୍ବରୁ ସମ୍ବଲପୁରରେ ମାଓବାଦୀଙ୍କ ଗତିବିଧି ଥିବା ବେଳେ ଦୀର୍ଘ ବର୍ଷ ହେବ ମାଓବାଦୀଙ୍କୁ ଦେଖିବାକୁ ମିଳିନଥିଲା। ଏବେ ଛତିଶଗଡ଼ରେ ଲଗାତର ମାଓ ଏନ୍କାଉଣ୍ଟର ହେଉଛି। ଏଥିରେ ଅନେକ ମାଓବାଦୀ ନିହତ ହୋଇଛନ୍ତି।
ଗୋଟିଏ ପଟେ ଛତିଶଗଡ଼ରେ ମାଓ ଏନ୍କାଉଣ୍ଟର ଅନ୍ୟପଟେ ସରଣ୍ଡା ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ୍ କରାଯାଉଛି । ତେଣୁ ମାଓବାଦୀମାନେ ସମ୍ବଲପୁର ଆଡ଼କୁ ଅଗ୍ରସର ହେଉଥିବା କୁହାଯାଉଛି ।