
ହିଞ୍ଜିଳିକାଟୁ, ତା ୧୨।୬: ଗତ କିଛି ଦିନ ଧରି ହିଞ୍ଜିଳିକାଟୁ, ଶେରଗଡ ଓ ଆସିକା ଅଞ୍ଚଳର ଘୋଡାହାଡ, ବାଘୁଆ, ଋଷିକୂଲ୍ୟା ଓ ବଡନଦୀରୁ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିବା ଦେଖିବାକୁ ମିଳିଛି। ଘଟଣା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସ୍ଥାନୀୟ ପୁଲିସ ଓ ରାଜସ୍ବ ବିଭାଗୀୟ ପ୍ରଶାସନ ଚେଇଁ ଉଠିଛି। ବୁଧବାର ଭୋରରେ ହିଞ୍ଜିଳି ପୁଲିସ ସ୍ଥାନୀୟ ଥାନା ସିକିରି ନିକଟସ୍ଥ ଋଷିକୂଲ୍ୟା ନଦୀରୁ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ଅତର୍କିତ ଚଢ଼ାଉ କରି ୭ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା। ଗୁରୁବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ରାଜସ୍ବ ବିଭାଗ ମଧ୍ୟ ଅତର୍କିତ ଚଢ଼ାଉ କରିଛି। ଆସିକା ନିକଟସ୍ଥ ଋଷିକୂଲ୍ୟା ନଦୀରୁ ବାଲି ବୋଝେଇ କରି ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ହିଞ୍ଜିଳିକାଟୁ ରାଜସ୍ବ ବିଭାଗୀୟ ଅଧିକାରୀମାନେ ସ୍ଥାନୀୟ ଥାନା ଶ୍ୟାମଳାଇ ଛକ ନିକଟରେ ଚଢ଼ାଉ କରିଛି। ଚଢାଉ ସମୟରେ ୭ଟି ବାଲି ବୋଝେଇ ହାଇଓ୍ବା(ଓଡି୦୧ଟି ୬୪୭୧, ଓଡି୦୭ଏଓ୍ବାଇ ୬୭୪୮, ଓଡି୦୨ସିଜି ୫୧୨୪, ଓଡି୩୨କେ ୦୭୮୦, ଓଡି୦୨ସିଡଵ୍ଳୁ ୧୭୧୨, ଓଡି୦୨ସିଜେଡ୍ ୯୦୨୮, ଓଡି୦୨ ସିଜେଡ ୯୦୪୬)କୁ ହିଞ୍ଜିଳି ଥାନାରେ ଅଟକ ରଖିଛି। ବିନା ଟ୍ରାଞ୍ଜିଟ୍ ଫର୍ମ ଓ ନିର୍ଦ୍ଧାରିତ ଠାରୁ ଅଧିକ ପରିମାଣରେ ବାଲି ବୋଝେଇ କରି ଚାଲାଣ ଅଭିଯୋଗରେ ସଂପୃକ୍ତ ହାଇଓ୍ବା ଗୁଡିକୁ ହିଞ୍ଜିଳି ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି। ଏ ନେଇ ହିଞ୍ଜିଳିକାଟୁ ତହସିଲଦାର ତପନ କୁମାର ମହାପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି ଘଟଣାର ତଦନ୍ତ ଚାଲିଛି। ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରକାଶ ଥାଉକି, ଘୋଡାହାଡ, ଋଷିକୂଲ୍ୟା, ବାଘୁଆ ଓ ବଡନଦୀରୁ ବାଲି ମାଫିଆ ମାନେ କିଛି ପ୍ରଶାସନିକ ଅଧିକାରୀମାନଙ୍କ ସହ ସଫାସୁତୁରା କରି ରାତିଅଧିଆ ଶହ ଶହ ହାଇଓ୍ବା, ଟିପ୍ପର ଓ ଟ୍ରାକ୍ଟର ଯୋଗେ ବାଲି ଚୋରାଚାଲାଣ କରୁଥିବା ନିତିଦିନିଆ ଘଟଣା ପାଲଟିଛି। ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିବା ଯୋଗୁଁ ନଦୀ ନିକଟବର୍ତ୍ତୀ ଅଞ୍ଚଳର ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ନଦୀ ଉପକୂଳବର୍ତ୍ତୀ ଗ୍ରାମବାସୀ ଅଭିଯୋଗ କଲେ ବାଲି ମାଫିଆ ମାନେ ଅସାମାଜିକ ବ୍ୟକ୍ତିମାନଙ୍କ ଜରିଆରେ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି। ଏପରିକି ଗତ ୩ ଦିନ ପୂର୍ବେ ସିକିରି ନିକଟସ୍ଥ ଋଷିକୂଲ୍ୟା ନଦୀରୁ ବେଆଇନ ବାଲି ଚାଲାଣକୁ କେନ୍ଦ୍ର କରି ଜଣେଇବେ ଯୁବକଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଆହତ ଯୁବକ ଜଣଙ୍କ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିବା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଜଣାପଡିଛି। ସଂପୃକ୍ତ ଘଟଣା ସମ୍ପର୍କରେ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇନଥିବା ଥାନା ସୂତ୍ରରୁ ପ୍ରକାଶ।