ହିଞ୍ଜିଳି :୪ ଶିଶୁ ଶ୍ରମିକ ଉଦ୍ଧାର…

youtube


ହିଞ୍ଜିଳିକାଟୁ, ୧୯/୬ () : ପ୍ରତିବର୍ଷ ଜୁନ ୧୨ ତାରିଖକୁ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଭାବେ ପାଳନ କରାଯାଉଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଉଦ୍‌ବେଗ ଜନକ ଭାବେ ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ ଦିଗରେ ଶ୍ରମ ବିଭାଗ ବିଫଳ ହୋଇଛି । ପାରିବାରିକ ଆର୍ଥୀକ ଦୁରବସ୍ଥା ହେଉ କିମ୍ବା ଅନ୍ୟାନ କେତେକ କାରଣରୁ ପରିବାର ପ୍ରତିପୋଷଣ ପାଇଁ ବହୁ ଶିଶୁ ଶ୍ରମିକ ବିଭିନ୍ନ ଅନୁଷ୍ଠାନରେ ଖଟୁଥିବା ଦେଖିବାକୁ ମିଳୁଛି । ଶିଶୁ ଶ୍ରମିକଙ୍କ ପାଇଁ ଉଦ୍ଧିଷ୍ଟ ସମସ୍ତ ସରକାରୀ ନୀତି, ନିୟମ ଓ କଟକଣା ପ୍ରଶାସନିକ ଅଧିକାରୀମାନଙ୍କ ଆନ୍ତରିକତାର ଅଭାବ ଯୋଗୁଁ ହିଞ୍ଜିଳିକାଟୁ ଅଞ୍ଚଳରେ ବାଟବଣା ହେଉଥିବାର ସାଧାରଣରେ ମତପ୍ରକାଶ ପାଇଛି । ଶିଶୁ ଶ୍ରମିକ ମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ପ୍ରଶାସନ ସେଭଳି କୌଣସି ସୁଚିନ୍ତିତ ପଦକ୍ଷେପ ନେଉନାହିଁ । ତେଣୁ ହିଞ୍ଜିଳିକାଟୁ ଅଞ୍ଚଳରେ ଶିଶୁ ଶ୍ରମିକ ଥମିବାର ନାଁ ନେଉନି । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଅଧିକାଂଶ ହୋଟେଲ, ଗ୍ୟାରେଜ୍‌, ତେଜରାତି ଦୋକାନ, ରେଷ୍ଟୁରାଣ୍ଟ, ପାନ ଦୋକାନ, ଫାଷ୍ଟପୁଡ଼ ଦୋକାନ,ଛୋଟବଡ଼ ଶିଳ୍ପାନୁଷ୍ଠାନ ସମେତ ବହୁ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକରେ ଶିଶୁ ମାନେ ଅନେକ ବିପଦପୂର୍ଣ୍ଣ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି । ଶିଶୁ ଶ୍ରମିକ ପଥାକୁ ବିଲୋପ ସହ ସେମାନଙ୍କୁ ଉଦ୍ଧାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ମାନଙ୍କ ନିରବଦ୍ରଷ୍ଟା ସାଙ୍ଗକୁ ରୀତିମତ ଚଢାଉ କରାଯାଉନଥିବା ଯୋଗୁଁ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଘଟଣା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ଜିଲ୍ଲା ଶ୍ରମ ବିଭାଗ ତତ୍ପରତା ଦେଖାଇଛି। ବୁଧବାର ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗ ଓ ହିଞ୍ଜିଳି ପୁଲିସ ପ୍ରଶାସନର ମିଳିତ ସହଯୋଗରେ ସ୍ଥାନୀୟ ପୈାରାଞ୍ଚଳର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ପୁରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ସ୍ଥାନୀୟ ପୈାରାଞ୍ଚଳର ୪ଟି ହୋଟେଲ ଉପରେ ଚଢାଉ କରି ୪ ଜଣ ନାବାଳକ ଶ୍ରମିକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ଶିଶୁ ଶ୍ରମିକଙ୍କୁ ବ୍ରହ୍ମପୁର ଗୋଷ୍ଠୀ କଲ୍ୟାଣ ସମାଜକୁ ପଠାଯାଇଥିବା ଥାନା ସୂତ୍ରରୁ ଜଣାପଡିଛି। ଚଢ଼ାଉ ସମୟରେ ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ, ହିଞ୍ଜିଳି ଥାନା ଏସଆଇ ବୈକୁଣ୍ଠନାଥ ଜେନା ଓ ପୁଲିସ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ।‌
୨ ବାଲି ବୋଝେଇ ଟ୍ରାକ୍ଟର , ସ୍କୁଟି ଜବତ, ଚାଳକ ଗିରଫ
ହିଞ୍ଜିଳିକାଟୁ, ୧୯।୬ (): ଗତ କିଛି ଦିନ ଧରି ହିଞ୍ଜିଳି ଥାନା ଅଞ୍ଚଳର ଋଷିକୁଲ୍ୟା ଓ ଘୋଡାହଡ ନଦୀ ପଠାର ବିଭିନ୍ନ ସ୍ଥାନରୁ ବେଧଡକ ଭାବେ ବାଲି ଲୁଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଶେଷ କରି ନଦୀ ତଟ ଗାଁ ଗହଳିର ଟ୍ରାକ୍ଟର ଗୁଡ଼ିକ ଏହି ବାଲି ଚୋରା ଚାଲାଣରେ ଲିପ୍ତ ଥିବା ଜଣାପଡ଼ିଛି। ପ୍ରାୟତଃ ରାତ୍ରୀ ୧୦ ଟା ପରେ ଆରମ୍ଭ ହୋଇ ଭୋର ସମୟ ପର୍ଯ୍ୟନ୍ତ ଚୋରା ଚାଲାଣର କାରବାର ହୁଏ। ଦୈନିକ ରାତିରେ ହଜାର ହଜାର ଟଙ୍କାର ଚୋରା ବାଲି ଚାଲାଣ ନିୟମିତ ବ୍ୟବଧାନରେ ହୋଇ ସହର ଓ ଗାଁ ଗହଳିର ବିଭିନ୍ନ ସ୍ଥାନରେ ଠୁଳ ହେବା ଜଣାପଡ଼ିଛି। ଏଭଳି ବେଧଡକ ବାଲି ଲୁଟ୍ ପ୍ରକ୍ରିୟାର ସୁରାକ ପାଇ ହିଞ୍ଜିଳି ପୁଲିସ ଚଢ଼ାଉ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ବୁଧବାର ଭୋରରେ ହିଞ୍ଜିଳି ପୁଲିସର ଏକ ଟିମ୍ ବିଭାଗର ଅଧିକାରୀ ମାନେ ହିଞ୍ଜିଳି ଥାନା ଘୋଡାହାଡ ନଦୀ ଭଗବତୀ ନିକଟରୁ ବାଲି ଲୁଟରେ ଲିପ୍ତ ଥିବା ବେଳେ ଅତର୍କିତ ଚଢ଼ାଉ କରିଥିଲେ। ସେଠାରୁ ବାଲି ଚୋରା ଚାଲାଣରେ ଲିପ୍ତ ଥିବା ଓଡ଼ି୦୭ ଜେଡ୍ ୬୫୮୯ ଏଵଂ ଓଡି୦୭ ଏଏ ୨୮୨୨ ନମ୍ୱର ବିଶିଷ୍ଟ ୨ଟି ଟ୍ରାକ୍ଟର ଓ ଏକ ସ୍କୁଟି (ଓଡି୦୭ ଏୟୁ ୪୮୭୩)କୁ ଜବତ କରିବା ସହ ଜଣେ ଟ୍ରାକ୍ଟର ଚାଳକଙ୍କୁ ଗିରଫ କରିଛି। ଗିରଫ ଚାଳକ ଜଣଙ୍କ ହେଲେ ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ହଜାରିଲାଲ ଗୈାଡ (୪୩) ।‌ ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର- ୪୮୬/୨୫ ରେ ଏକ ମାମଲା ରୁଜୁ କରି ଗିରଫ ଚାଳକଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ। ଏହି ଭଳି ଭାବେ ଦୈନିକ ରାତିରେ ଶିକିରି, ତହର ଓ ଘୋଡାହାଡ ନଦୀରୁ ଲକ୍ଷ ଲକ୍ଷ ଟଙ୍କାର ବାଲି ଲୁଟ ପ୍ରକ୍ରିୟା ଚାଲିଥିବା ବେଳେ ସରକାରଙ୍କ ବିପୁଳ ରାଜସ୍ୱ କ୍ଷତି ସାଧନ ହେଉଥିବା ଦେଖାଯାଇଛି। ଏଣେ ବାଲି ମାଫିଆ ହଜାର ହଜାର ଟଙ୍କାର ଚୋରା ବାଲି ଚାଲାଣ କରି ମାଲେମାଲ୍ ହେଉଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ରହିଛି। ଆଗାମୀ ଦିନରେ ନଦୀ ଘାଟ ଉପରେ ଚଢାଉ କରାଯାଇ ବେଆଇନ ବାଲି ଚାଲାଣ ହେଉଥିବା ଗାଡି ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ସେଠି କହିଛନ୍ତି।

Leave A Reply

Your email address will not be published.