ଓଡ଼ିଶା ଆୟୋଜନ କରିବ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଯୋଗଦେବେ ସମଗ୍ର ଦେଶର ମନ୍ତ୍ରୀ

youtube

ଭୁବନେଶ୍ୱର,୧୯।୬: ଚଳିତ ବର୍ଷ ଶେଷରେ ଓଡ଼ିଶାରେ ସମସ୍ତ ରାଜ୍ୟ ଶକ୍ତି ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଗୁରୁବାର ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି)-କାନପୁର ଏବଂ ଟୋନୀ ବ୍ଲେୟାର ଇନଷ୍ଟିଚ୍ୟୁଟ ଅଫ ଗ୍ଲୋବାଲ ଚେଞ୍ଜ ସହିତ ଏକ ତ୍ରୀ-ପାକ୍ଷିକ ଉଦ୍ଦେଶ୍ୟ ପତ୍ର (ଏଲଓଆଇ) ସ୍ଵାକ୍ଷର କରିଛି।

ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ଏବଂ ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଟୋନୀ ବ୍ଲେୟାର ଦିଲ୍ଲୀରେ ଉପସ୍ଥିତ ଥିଲେ। ଏଲଓଆଇରେ ସମ୍ମତ ହେବା ଅନୁଯାୟୀ, ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଓଡ଼ିଶାରେ ଶକ୍ତି ମନ୍ତ୍ରୀମାନଙ୍କ ସମ୍ମିଳନୀ ଆୟୋଜନ ପାଇଁ ନେତୃତ୍ୱ ନେବ।

ଏହି ଅବସରରେ, ଟୋନୀ ବ୍ଲେୟାର ଇନଷ୍ଟିଚ୍ୟୁଟ ଅଫ ଗ୍ଲୋବାଲ ଚେଞ୍ଜ (ଟିବିଆଇ)ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଟୋନୀ ବ୍ଲେୟାର ଓଡ଼ିଶା ସହିତ ସ୍ଥାୟୀ ଶକ୍ତି ସମାଧାନକୁ ତ୍ୱରାନ୍ୱିତ କରିବା ପାଇଁ ସହଯୋଗ କରିବାକୁ ନିଜର ପ୍ରସ୍ତୁତି ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ଅତୀତରେ ବିଦ୍ୟୁତ ସଂସ୍କାରରେ ଅଗ୍ରଣୀ ରହିଛି। ଗତ ଏକ ବର୍ଷରେ ରାଜ୍ୟ ନବୀକରଣୀୟ ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ନିବେଶ ଆକର୍ଷଣ କରିଛି।

ଶକ୍ତି ବିଭାଗର ମନ୍ତ୍ରୀ ମଧ୍ୟ ଥିବା ସିଂହ ଦେଓ ନିମ୍ନ କାର୍ବନ ଭବିଷ୍ୟତ ଏବଂ ନେଟ ଜିରୋ ହାସଲ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛନ୍ତି। ବୈଠକରେ ଓଡ଼ିଶାର ପଶ୍ଚିମାଞ୍ଚଳରୁ ହେଉଥିବା ଦୁଃଖଦ ପ୍ରବାସ ସମସ୍ୟା ଉପରେ ମଧ୍ୟ ଆଲୋଚନା ହୋଇଛି।

ଏହା ଉଲ୍ଲେଖଯୋଗ୍ୟ ଯେ ଟୋନୀ ବ୍ଲେୟାର ଇନଷ୍ଟିଚ୍ୟୁଟ ଓଡ଼ିଶା ସରକାରଙ୍କୁ ଏହାର କୃତ୍ରିମ ବୁଦ୍ଧିମତ୍ତା ନୀତି ସମ୍ପର୍କରେ ସହାୟତା କରୁଛି।

“ଶକ୍ତି ଓ ପ୍ରଯୁକ୍ତି କ୍ଷେତ୍ରରେ ଓଡ଼ିଶାର ନେତୃତ୍ୱ ଭାରତୀୟ ରାଜ୍ୟମାନଙ୍କ ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରୁଛି। ଶକ୍ତି ମନ୍ତ୍ରୀମାନଙ୍କ କମ୍ୟୁନିଟି ଅଫ ପ୍ରାକ୍ଟିସର ଆରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଏବଂ ଟିବିଆଇ ଏହି ଯାତ୍ରାର ଏକ ଅଂଶ ହେବାକୁ ଗର୍ବିତ,” ଟିବିଆଇର ଭାରତ ପାଇଁ ଦେଶ ନିର୍ଦେଶକ ବିବେକ ଅଗ୍ରୱାଲ କହିଛନ୍ତି।

Leave A Reply

Your email address will not be published.