ନୂଆ ଆଶା: ପୁନରୁଦ୍ଧାର ହେବ ବିଜୟାନନ୍ଦ ସମବାୟ ଚିନିକଳ

add-all

ବଲାଙ୍ଗୀର : ସ୍ଥାନୀୟ ଦେଓଗାଁ ବ୍ଲକ ସାଗରପାଲି କଲୋନି ନିକଟରେ ଥିବା ବଲାଙ୍ଗୀର ଜିଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପ ବିଜୟାନନ୍ଦ ସମବାୟ ଚିନିକଳ ପ୍ରାୟ ୧୨ ବର୍ଷ ହେଲା ବନ୍ଦ ପଡ଼ିଛି। ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଚିନିକଳର ପୁନରୁଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ସମ‌ବ‌ାୟ ସମିତିର ଅତିରିକ୍ତ ନିବନ୍ଧକଙ୍କୁ ଏହାର ଦାୟିତ୍ବ ଦିଆଯାଇଛି। ଜମି ଯାଞ୍ଚ କରି ସରକାରଙ୍କୁ ରିପୋର୍ଟ ‌ଦେବେ।
ନୂଆ ସରକାରରେ ବଲାଙ୍ଗୀର ଜିଲାକୁୁ ଉପମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ପଦବି ମିଳିଛି। ପାଟଣାଗଡ ବିଧାୟକ କନକବର୍ଦ୍ଧନ ସିଂଦେଓ ଉପମୁଖ୍ୟମନ୍ତ୍ରୀ ଓ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମନ୍ତ୍ରୀ ହେବା ପରେ ବନ୍ଦ ପଡ଼ିଥିବା ଏହି ଚିନିକଳ ପୁଣି ଖୋଲିବା ନେଇ ଆଶା ଉଜ୍ଜୀବିତ ହୋଇଛି।
ସୂଚନାଯୋଗ୍ୟ, ୧୯୯୩ ମସିହାରେ ଦେଓଗାଁ ଠାରେ ଏକମାତ୍ର କୃଷିଭିତ୍ତିକ ଚିନି କଳ ସ୍ଥାପିତ ହୋଇଥିଲା। ୨୦୦୦ ମସିହାରେ କ୍ଷତି ଦର୍ଶାଇ ଚିନିକଳକୁ ବନ୍ଦ କରି ଦେଇଥିଲା ଉକ୍ତ କମ୍ପାନି। ଫଳରେ କମ୍ପାନିକୁ ଋଣ ଦେଇଥିବା ବ୍ୟାଙ୍କ ହାତକୁ ଚାଲିଯାଇଥିଲା ଚିନିକଳ। ଅନେକ ବାଦ ବିବାଦ ପରେ ୨୦୦୫ ମସିହାରେ ଏହି ଚିନିକଳକୁ ରାଜ୍ୟ ସରକାର ବିଜୟାନନ୍ଦ ଚିନିକଳ ନାଁରେ ପୁନଃଉଦ୍ଧାର କଲେ। ସେହିଦିନ ଠାରୁ ତତ୍କାଳୀନ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଯଜ୍ଞେଶ୍ୱର ବାବୁଙ୍କ ତତ୍ତ୍ୱାବଧାନରେ ଉକ୍ତ ଚିନିକଳ ଚାଲିଥିଲା। ପୁନଶ୍ଚ ୨୦୧୩ରେ ରାଜ୍ୟ ସରକାର ବିରୋଧରେ ମିଡ ନାଇଟ ଅପରେସନ ପରେ ଚିନିକଳଟି ରାଜନୈତିକ ପଶାପାଲିରେ ଛନ୍ଧି ହୋଇ ବନ୍ଦ ହୋଇଯାଇଥିଲା। ଫଳରେ ଚିନିକଳର କର୍ମଚାରୀ, ଶ୍ରମିକ ଓ ଆଖୁ ଚାଷୀ ଏବେ ବାହାର ରାଜ୍ୟରେ ଦାଦନ ଖଟୁଥିବା ଅଭିଯୋଗ ହେଉଛି। ଚିନିକଳରେ କାମ କରୁଥିବା ଶ୍ରମିକ, ଚାଷୀ ଓ କର୍ମଚାରୀଙ୍କ ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଏହି ଶିଳ୍ପର ପୁନରୁଦ୍ଧାର ଦିଗରେ କାମ କରୁଛନ୍ତି।

ad-week
Leave A Reply

Your email address will not be published.