ବୃଦ୍ଧ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କ ପାଇଁ ମାସିକ ଭତ୍ତା ବୃଦ୍ଧି କଲେ ନୀତିଶ କୁମାର

youtube

ପାଟନା: ବୃଦ୍ଧ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କ ପାଇଁ ମାସିକ ଭତ୍ତା ବୃଦ୍ଧି କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ବୃଦ୍ଧ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କ ପାଇଁ ମାସିକ ଭତ୍ତା ୪୦୦ ଟଙ୍କାରୁ ୧୧୦୦ ଟଙ୍କାକୁ ବୃଦ୍ଧି ଘୋଷଣା କରିଛନ୍ତି ନୀତିଶ।
ଜୁଲାଇରୁ କାର୍ଯ୍ୟକାରୀ ହେବାକୁ ଥିବା ଏହି ନିଷ୍ପତ୍ତି ରାଜ୍ୟର ସାମାଜିକ ସୁରକ୍ଷା ପେନସନ ଯୋଜନା ଅଧୀନରେ ୧,୦୯,୬୯,୨୫୫ ହିତାଧିକାରୀଙ୍କୁ ପ୍ରଭାବିତ କରିବ।
ଏକ ଏକ୍ସ ପୋଷ୍ଟ୍‌ ଜରିଆରେ ନୀତିଶ କହିଛନ୍ତି, ‘‘ମୁଁ ଆପଣଙ୍କୁ ଜଣାଇ ଖୁସି ହେଉଛି ଯେ ସାମାଜିକ ସୁରକ୍ଷା ପେନସନ ଯୋଜନା ଅଧୀନରେ ସମସ୍ତ ବୃଦ୍ଧ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାମାନେ ଏବେ ପ୍ରତି ମାସରେ ୪୦୦ ଟଙ୍କା ପରିବର୍ତ୍ତେ ୧୧୦୦ ଟଙ୍କା ପେନସନ ପାଇବେ। ଜୁଲାଇ ମାସରୁ ସମସ୍ତ ହିତାଧିକାରୀଙ୍କୁ ବର୍ଦ୍ଧିତ ହାରରେ ପେନସନ ମିଳିବ। ଏହି ରାଶି ମାସର ୧୦ ତାରିଖରେ ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବ। ଏହା ୧ କୋଟି ୯ ଲକ୍ଷ ୬୯ ହଜାର ୨୫୫ ହିତାଧିକାରୀଙ୍କୁ ବହୁତ ସାହାଯ୍ୟ କରିବ,”।
ଏହି ଘୋଷଣା ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆସିଛି। ଗୁରୁବାର ଏକ ବୈଠକରେ ମୁଖ୍ୟମନ୍ତ୍ରୀ ପଞ୍ଚାୟତିରାଜ ବ୍ୟବସ୍ଥା ଅଧୀନରେ ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଭତ୍ତା ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ଜିଲ୍ଲା ପରିଷଦ (ଜିଡିଏପ) ସଭାପତିଙ୍କ ମାସିକ ଭତ୍ତା ୨୦,୦୦୦ ଟଙ୍କାରୁ ୩୦,୦୦୦ ଟଙ୍କାକୁ ବୃଦ୍ଧି ପାଇବ। ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ଭତ୍ତା ୧୦,୦୦୦ ଟଙ୍କାରୁ ୨୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ମୁଖିଆମାନେ ଏବେ ପ୍ରତି ମାସରେ ୭,୫୦୦ ଟଙ୍କା ପାଇବେ, ଯାହା ପୂର୍ବରୁ ୫,୦୦୦ ଟଙ୍କା ଥିଲା।

Leave A Reply

Your email address will not be published.