ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ

add-all

ଭୁବନେଶ୍ଵର: ଓଡ଼ିଶାରେ ନାରୀ ଅସୁରକ୍ଷିତ। ଦିନକୁ ଦିନ ମହିଳାମାନଙ୍କ ଉପରେ ଗଣଦୁର୍ଷମ ଓ ଅତ୍ୟାଚାର ବଢି ବଢି ଚାଲିଛି। ଏହା ବିରୋଧରେ ବୁଧବାର ରାଜ୍ୟର ସବୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ବିଜେଡିର ଅଲ ଓଡ଼ିଶା ଷ୍ଟୁଡେଣ୍ଟ ଷ୍ଟ୍ରାଇକ। ରାଜ୍ୟରେ ବଢି ଚାଲିଥିବା ମହିଳା ନିର୍ଯାତନା, ଦୁଷ୍କର୍ମ, ହତ୍ୟା ଓ ଅନ୍ୟ ଅପରାଧ ବିରୋଧରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି। ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିକ୍ଷୋଭ ହେଉଥିବାବେଳେ ଭୁବନେଶ୍ୱରର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ହୁଙ୍କାର ଦେଖିବାକୁ ମିଳିଛି। ଏହି କ୍ରମରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଏକାଠି ହୋଇ ରାଜ୍ୟବ୍ୟାପୀ ମହିଳା ହିଂସାର ପ୍ରତିବାଦ କରୁଛନ୍ତି। ନାରୀ ସମ୍ମାନର ପ୍ରତୀକ ସିନ୍ଦୂର ଓ ଅଳତା ନିଜ ହାତ ପାପୁଲିରେ ଲଗାଇ ନିଜର ସୁରକ୍ଷା ଓ ସମ୍ମାନ ମାଗିଛନ୍ତି। ମହିଳାଙ୍କୁ ସୁରକ୍ଷା, ନ୍ୟାୟ ଓ ସମ୍ମାନ ସହ ମହିଳା ବିରୋଧୀ ଅପରାଧ ତୁରନ୍ତ ରୋକିବାକୁ ଦାବି ହୋଇଛି। ଛାତ୍ରଛାତ୍ରୀମାନେ ଶ୍ରେଣୀ ବର୍ଜନ କରିବା ସହ କଳାବ୍ୟାଜ୍ ପରିଧାନ କରି ପିକେଟିଂ କରୁଛନ୍ତି। ରାଜ୍ୟରେ ମହିଳା ଅସୁରକ୍ଷିତ ଥିବାନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଅଞ୍ଜନା ମିଶ୍ର ଘଟଣାରୁ ବଳିଯାଇଛି ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଘଟଣା, ଯାହା ବିଶ୍ବ ମାନଚିତ୍ରରେ ଓଡ଼ିଶାକୁ ନିନ୍ଦିତ କରିଛି। ପ୍ରତିଦିନ ୧୫ରୁ ଅଧିକ ମହିଳା ଦୁଷ୍କର୍ମ ଓ ନିର୍ଯାତନାର ଶିକାର ହେଉଛନ୍ତି। ବିଜେପି ସରକାରକୁ ଆସିବା ଦିନଠାରୁ ମହିଳା ଅସୁରକ୍ଷିତ ହୋଇପଡ଼ିଛନ୍ତି ବୋଲି ଅଭିଯୋଗ କରି ଏହା ବିରୋଧରେ କଲେଜ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପ୍ରତିବାଦ କରୁଛି ବିଜେଡି।

ad-week
Leave A Reply

Your email address will not be published.