
ଶରଧାବାଲିରେ ପହଞ୍ଚିଛି ୩ ରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦଘୋଷ । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଯାଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଚାରିଆଡ଼େ ଭକ୍ତିମୟ ପରିବେଶ । ଶରଧାବାଲିରେ ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ୧୧.୧୫ରେ ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଥିଲା । ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ପହଞ୍ଚିଥିଲା । ପରେ ନନ୍ଦିଘୋଷରେ ପହଞ୍ଚିଥିଲେ କାଳିଆ ସାଆନ୍ତ । ଶରଧାବାଲିରେ ତିନି ରଥରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଜି ସକାଳ ସାଢ଼େ ୯ଟାରୁ ରଥଟଣା ଆରମ୍ଭ ହୋଇଥିଲା । ଲକ୍ଷାଧିକ ଭକ୍ତଙ୍କ ଗହଣରେ ତିନି ରଥରେ ଜନ୍ମବେଦୀ ଅଭିମୁଖେ ବାହାରିଥିଲେ ତିନି ଠାକୁର । ଆଜି ରଥ ଉପରେ ମହାପ୍ରଭୁ ଦର୍ଶନ ଦେବେ । ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଆସିଛନ୍ତି ଭାଇ ଭଉଣୀ । କାଲିଠୁ ଜନ୍ମବେଦୀରେ ମହାପ୍ରଭୁଙ୍କ ଲୀଳାଖେଳା । ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆଜି ମଧ୍ୟ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ । ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।
ତିନି ରଥକୁ ମହା ଆନନ୍ଦରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ ଭକ୍ତ । ବଡ଼ଦାଣ୍ଡରେ ଜଗାକୁ ପାଇ ଭକ୍ତ ନିଜକୁ ଭାବ ଓ ଭକ୍ତିରେ ହଜାଇ ଦେଇଥିଲେ । ଶରଧାବାଲି ଆଗରେ ରଥାରୁଢ଼ ଶ୍ରୀଜିଉ ଏବେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏଥିପାଇଁ ଗୁଣ୍ଡିଚା ମନ୍ଦିର ନିକଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ବଡ଼ଦାଣ୍ଡରେ ଲହଡ଼ି ଭାଙ୍ଗୁଛି ଜନସମୁଦ୍ର । ଭାବ ଓ ଭକ୍ତିରେ ଉଛୁଳି ପଡୁଛି ଶ୍ରୀକ୍ଷେତ୍ର । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ଗଗନ ପବନ । ବଡ଼ ଦେଉଳୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ମହାବାହୁ । ଘଣ୍ଟ ଘଣ୍ଟା ଓ ସଂକୀର୍ତ୍ତନ ଶ୍ରୀଜିଉମାନଙ୍କର ପହଣ୍ଡି ହୋଇଥିଲା। ଶେଷରେ ବଡ଼ ଦେଉଳ ଛାଡ଼ି ଭକ୍ତଙ୍କ ଗହଣକୁ ଆସିଥିଲେ ଜଗତର ନାଥ ଜଗନ୍ନାଥ । ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଡେଇଁ କାଳିଆ ଠାକୁର ବିଜେ କରିଥିଲେ ବଡ଼ଦାଣ୍ଡକୁ । ରଥାରୁଢ଼ ହୋଇ ଭକ୍ତଙ୍କୁ ଦେଇଥିଲେ ଦର୍ଶନ ।
ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀ ଅଭମୁଖେ ବାହାରିଛନ୍ତି ଶ୍ରୀଜିଉ । ରଥାରୁଢ଼ ମହାପ୍ରଭୁଙ୍କୁ ପାଖରେ ପାଇ ନିଜକୁ ଭାବରେ ଭିଜାଇ ଦେଇଛନ୍ତି ଭକ୍ତ । ବଡ଼ଦେଉଳରୁ ବଡ଼ଦାଣ୍ଡ। ରତ୍ନବେଦୀରୁ ଜନ୍ମଦେବୀ । ଭାଇଉଭଣୀଙ୍କୁ ସାଙ୍ଗରେ ଧରି ରଥଯାତ୍ରାରେ ବାହାରିଛନ୍ତି କାଳିଆ ଠାକୁର । ବଡ଼ଦାଣ୍ଡରେ ତିନି ଦିଅଁଙ୍କୁ ଦେଖି ଭକ୍ତି ଓ ଭାବରେ ଭିଜୁଛନ୍ତି ଭକ୍ତ । ରଥ ପଥ ହୋଇଛି ଜଗନ୍ନାଥମୟ ।