ଦଶହରାରେ ପୁଣି ବାତ୍ୟା ଭୟ! ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର: ଅକ୍ଟୋବର ଦ୍ବିତୀୟ ସପ୍ତାହରେ ଆଣ୍ଡାମାନସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ପାଣିପାଗ ବିଭାଗ ବିସ୍ତାରିତ ରିପୋର୍ଟରେ ଦର୍ଶାଯାଇଛି ଯେ ଅକ୍ଟୋବର ୧୨ରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୧୩ ତାରିଖରେ ତାହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ୧୫ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ।

ସମ୍ଭାବ୍ୟ ଅବପାତ ପ୍ରଭାବ ଓଡ଼ିଶା ଉପରେ କେତେ ଦୂର ରହିବ, ଗତିପଥ କ’ଣ ରହିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଏବଂ ନୟାଗଡ଼ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଏଥିପାଇଁ ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋୱାର୍ଣ୍ଣିଂ ଦିଆଯାଇଛି। ଅପରପକ୍ଷେ, ଉପରମୁଣ୍ଡରୁ ହୀରାକୁଦକୁ ବନ୍ୟାଜଳ ପ୍ରବେଶ କମିବା ହେତୁ ଖୋଲା ଯାଇଥିବା ୩୦ଟି ଫାଟକରୁ ୨୯ଟି ଫାଟକ ବନ୍ଦ କରି ଦିଆଯାଇଛି।

ad-week
Leave A Reply

Your email address will not be published.