
ଉମରକୋଟ: ଦେଶ ଯେତେବେଳେ “ସବକା ସାଥ, ସବକା ବିକାଶ”ର ନାରା ଦେଇ ଉନ୍ନତି ପଥରେ ଆଗଉଥିବାର ଦାବି କରୁଛି, ସେତେବେଳେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ହଳଦୀ ପଞ୍ଚାୟତ ଅନ୍ତର୍ଗତ ଭେନାସ ନୂଆପାରା ଗାଁ ସତେ ଯେମିତି ବିକାଶର ମାନଚିତ୍ରରୁ ହଜିଯାଇଛି। ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ ଏହି ଗ୍ରାମର ଲୋକେ ରାସ୍ତା, ବିଜୁଳି ଓ ପିଇବା ପାଣି ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି।
ପ୍ରାୟ ୩୦ ବର୍ଷ ଧରି ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ୧୮ଟି ପରିବାର ପାଇଁ ଏକ ସୁଗମ ରାସ୍ତା ଆଜି ବି ସ୍ୱପ୍ନ ପାଲଟିଛି। ବର୍ଷା ଦିନେ ଏହି ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼େ। ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନେବା ଏଠାରେ ଏକ ସାଧାରଣ ଦୃଶ୍ୟ। ଗାଁରେ ଥିବା ଏକମାତ୍ର ନଳକୂପ ଅକାମୀ ହୋଇଗଲେ, ଗ୍ରାମବାସୀ ବାଧ୍ୟ ହୋଇ ନିକଟସ୍ଥ ନାଳର ଦୂଷିତ ପାଣି ପିଇ ଜୀବନ ବଞ୍ଚାନ୍ତି, ଯାହାଫଳରେ ସେମାନେ ବିଭିନ୍ନ ରୋଗର ଶିକାର ହୁଅନ୍ତି। ରାସ୍ତା ଅଭାବରୁ ଠିକ୍ ସମୟରେ ଡାକ୍ତରଖାନା ପହଞ୍ଚି ନପାରି ଅନେକେ ବାଟରେ ପ୍ରାଣ ହରାଉଥିବା ଅଭିଯୋଗ ହୋଇଛି।
କୁନି କୁନି ପିଲାଙ୍କ ଭବିଷ୍ୟତ ମଧ୍ୟ ଅନ୍ଧକାରରେ। ଶିକ୍ଷା ପାଇଁ ଏଠାରେ ଏକ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ଥିଲେ ମଧ୍ୟ ତାହା ଅନୁକୂଳ ପରିବେଶ ବିନା ଚାଲିଛି।
ପ୍ରଶାସନର ଏଭଳି ଅବହେଳା ବିରୋଧରେ ଗତ ନିର୍ବାଚନରେ ଗ୍ରାମବାସୀମାନେ ଭୋଟ୍ ବର୍ଜନ କରିଥିଲେ। ସ୍ଥାନୀୟ ବିଧାୟକ, ବିଡିଓ ଏବଂ ସରପଞ୍ଚଙ୍କୁ ବାରମ୍ବାର ଗୁହାରି କଲେ ମଧ୍ୟ କେବଳ ପ୍ରତିଶ୍ରୁତି ହିଁ ମିଳିଛି, ଫଳ ଶୂନ।
ଗ୍ରାମର ସୋହନ ଗଣ୍ଡ, ମୁକୁନ୍ଦ ଗଣ୍ଡ, ଦଶରଥ ଗଣ୍ଡ ଏବଂ ଅନ୍ୟ ଗ୍ରାମବାସୀ କ୍ଷୋଭର ସହ କୁହନ୍ତି, “ଆମେ କ’ଣ ଭାରତର ନାଗରିକ ନୁହେଁ? ରାସ୍ତା ପାଇଁ ଆମେ ଭିକ୍ଷା ମାଗୁନାହୁଁ, ଏହା ଆମର ଅଧିକାର। ସରକାର ଆମ ଅଧିକାର କେବେ ଦେବ?”
ଏବେ ଦେଖିବାକୁ ବାକି ରହିଲା, ପ୍ରଶାସନର ନିଦ କେବେ ଭାଙ୍ଗୁଛି ଏବଂ ଭେନାସ ନୂଆପାରା ଭଳି ଦୁର୍ଗମ ଗାଁକୁ ବିକାଶର ଆଲୋକ କେବେ ସ୍ପର୍ଶ କରୁଛି।