ଶିକ୍ଷକଙ୍କ ଉପରୁ କମିବ ଅଣ-ଶୈକ୍ଷିକ କାର୍ଯ୍ୟଭାର: ରାଜ୍ୟର ପ୍ରତି ଶିଶୁବାଟିକାରେ ନିଯୁକ୍ତ ହେବେ ‘ଶିଶୁ ସେବିକା’

add-all

ଭୁବନେଶ୍ୱର: ରାଜ୍ୟର ଶିଶୁବାଟିକାଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନକୁ ସୁନିଶ୍ଚିତ କରିବା ଦିଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଏଣିକି ରାଜ୍ୟର ସମସ୍ତ ସରକାରୀ ଶିଶୁବାଟିକାରେ ‘ଶିଶୁ ସେବିକା’ ନିଯୁକ୍ତ କରାଯିବ। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛୋଟ ପିଲାଙ୍କ ଯତ୍ନ ନେବା ସହ ଶିକ୍ଷକମାନଙ୍କ ଉପରୁ ଅଣ-ଶୈକ୍ଷିକ କାର୍ଯ୍ୟର ଭାର ଲାଘବ କରିବା, ଯାହାଫଳରେ ଶିକ୍ଷକମାନେ କେବଳ ଶିକ୍ଷାଦାନ ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବେ। ଏହାଦ୍ୱାରା ପ୍ରାକ୍-ପ୍ରାଥମିକ ସ୍ତରରେ ଶିକ୍ଷାର ମାନ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ଏହି ନିଷ୍ପତ୍ତିର ପୃଷ୍ଠଭୂମିରେ ରହିଛି ନୂତନ ଜାତୀୟ ଶିକ୍ଷାନୀତି, ଯାହା ଅନୁସାରେ ରାଜ୍ୟର ୪୫ ହଜାର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ୫ରୁ ୬ ବର୍ଷ ବୟସର ପିଲାଙ୍କ ପାଇଁ ଶିଶୁବାଟିକା ଆରମ୍ଭ କରାଯାଇଛି। ନିକଟରେ ରାଜ୍ୟବ୍ୟାପୀ କରାଯାଇଥିବା ଏକ ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି ଯେ ଶିକ୍ଷକମାନଙ୍କୁ ସହାୟତା କରିବା ପାଇଁ ଶିଶୁ ସେବିକାଙ୍କର ଆବଶ୍ୟକତା ରହିଛି। ଶିଶୁବାଟିକାରେ ପିଲାଙ୍କ ନାମଲେଖା ସଂଖ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକତା ଅନୁସାରେ ଶିଶୁ ସେବିକା ନିଯୁକ୍ତି ଦିଆଯିବ।

ନିଯୁକ୍ତ ହେବାକୁ ଥିବା ଶିଶୁ ସେବିକାମାନଙ୍କର ଦାୟିତ୍ୱ ମଧ୍ୟରେ ରହିବ ପିଲାମାନଙ୍କୁ ଶ୍ରେଣୀଗୃହ ମଧ୍ୟରେ ସୁରକ୍ଷିତ ରଖିବା, ସେମାନଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ହାତ ଧୋଇବା, ଖାଇବା, ଶୌଚାଳୟ ଯିବା ଭଳି ଦୈନନ୍ଦିନ କାର୍ଯ୍ୟରେ ସହାୟତା କରିବା। ଏହା ସହିତ ପିଲା କାନ୍ଦିଲେ ବା ଅଝଟ ହେଲେ ସେମାନଙ୍କୁ ବୁଝାଇ ଶାନ୍ତ କରିବା, ସେମାନଙ୍କୁ ବହି ଓ ଖେଳନା ଆଦି ଶିକ୍ଷଣୀୟ ସାମଗ୍ରୀ ଯୋଗାଇଦେବା ଏବଂ କୌଣସି ପିଲାର ଅସୁସ୍ଥତା ବା ମନଦୁଃଖ ବିଷୟରେ ତୁରନ୍ତ ଶିକ୍ଷକଙ୍କୁ ଅବଗତ କରାଇବା ସେମାନଙ୍କ କାର୍ଯ୍ୟ ପରିସରଭୁକ୍ତ ହେବ। ଏହି ଶିଶୁ ସେବିକାମାନଙ୍କୁ ସରକାରୀ ବିଦ୍ୟାଳୟର ପାଚିକାଙ୍କୁ ଦିଆଯାଉଥିବା ହାରରେ ମାସିକ ପାରିଶ୍ରମିକ ଦିଆଯିବ, ଯାହା ‘ସମଗ୍ର ଶିକ୍ଷା’ ଯୋଜନାର ବଜେଟରୁ ପ୍ରଦାନ କରାଯିବ।

ତେବେ ଏହା ସ୍ପଷ୍ଟ କରାଯାଇଛି ଯେ ଶିଶୁ ସେବିକାମାନେ କୌଣସି ପରିସ୍ଥିତିରେ ପିଲାଙ୍କୁ ପାଠ ପଢ଼ାଇବା ଦାୟିତ୍ୱ ନେବେ ନାହିଁ। ସେମାନେ ପିଲାଙ୍କୁ ଗାଳି ଦେବା କିମ୍ବା କୌଣସି ପ୍ରକାରର ଶାରୀରିକ ବା ମାନସିକ ଦଣ୍ଡ ଦେଇପାରିବେ ନାହିଁ। ପିଲା ଅସୁସ୍ଥ ଥିଲେ ଶିକ୍ଷକଙ୍କୁ ଜଣାଇବେ, କିନ୍ତୁ ନିଜେ କୌଣସି ଔଷଧ ଦେବା ବା ଚିକିତ୍ସା କରିବା ପାଇଁ ସେମାନଙ୍କୁ ଅନୁମତି ଦିଆଯିବ ନାହିଁ।

ad-week
Leave A Reply

Your email address will not be published.