‘ଅପରେସନ ସିନ୍ଦୂର’କୁ ନେଇ କ୍ୟାପ୍‌ଟେନ ଶିବକୁମାରଙ୍କ ମନ୍ତବ୍ୟ ପରେ ଅଡୁଆରେ ସରକାର

youtube

ନୂଆଦିଲ୍ଲୀ : ‘ଅପରେସନ ସିନ୍ଦୂର’ରେ ଭାରତର କ୍ଷୟକ୍ଷତିକୁ ନେଇ ବିରୋଧୀ ଦଳ କଂଗ୍ରେସ ସରକାରଙ୍କୁ ଘେରୁଥିବା ବେଳେ ବଡ଼ ତଥ୍ୟ ସାମ୍‌ନାକୁ ଆସିଛି। ଇଣ୍ଡୋନେସିଆରେ ଭାରତର ଡିଫେନ୍ସ ଆଟାଚେ କ୍ୟାପ୍‌ଟେନ ଶିବ କୁମାର ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଦେଶ ପକ୍ଷରୁ ଆପଣାଯାଇଥିବା ରଣନୀତି ବିଷୟରେ ସୂଚନା ଦେଇ ଏଭଳି ବିସ୍ଫୋରକ ତଥ୍ୟ ଦେଇଛନ୍ତି ଯାହାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଇଣ୍ଡୋନେସିଆର ଏକ ୟୁନିଭର୍ସିଟି ସେମିନାରରେ କ୍ୟାପ୍‌ଟେନ କୁମାର କହିଛନ୍ତି ଯେ ଅପରେସନ ସିନ୍ଦୂରକୁ ପ୍ରଥମେ ରାଜନୈତିକ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପାକିସ୍ତାନର ସାମରିକ ଘାଟୀ କିମ୍ବା ବାୟୁ ପ୍ରତିରକ୍ଷା ପ୍ରତିଷ୍ଠାନ ଉପରେ ଆକ୍ରମଣ ପାଇଁ ଭାରତୀୟ ବାୟୁସେନାକୁ ବାରଣ କରାଯାଇଥିଲା। କେବଳ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଆକ୍ରମଣ ପାଇଁ କୁହାଯାଇଥିଲା। ସରକାରଙ୍କ ଏଭଳି କଟକଣା ଯୋଗୁଁ ପ୍ରଥମ ଦିନ ଆମକୁ କିଛି ଲଢ଼ୁଆ ବିମାନ ହରାଇବାକୁ ପଡ଼ିଥିଲା।

ତେବେ ପରବର୍ତ୍ତୀ ସମୟରେ ବାୟୁସେନା ପାକିସ୍ତାନର ଅନେକ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରି ଛାରଖାର କରିଦେଇଥିଲେ। ଏହାପରେ ପାକିସ୍ତାନ ଆକାଶରେ ଭାରତୀୟ ବାୟୁସେନା ଆଧିପତ୍ୟ ବିସ୍ତାର କରିଥିଲେ।
ଗତ ୧୦ ତାରିଖରେ କ୍ୟାପ୍‌ଟେନ କୁମାର ଦେଇଥିବା ଏହି ମନ୍ତବ୍ୟକୁ ନେଇ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ନିଶାଣ କରିଛି କଂଗ୍ରେସ। ସରକାର ଦେଶକୁ ବିଭ୍ରାନ୍ତ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଅନ୍ୟପକ୍ଷରେ ଇଣ୍ଡୋନେସିଆ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଗଣମାଧ୍ୟମ ରିପୋର୍ଟରେ କ୍ୟାପ୍‌ଟେନଙ୍କ ମନ୍ତବ୍ୟକୁ କଦର୍ଥ କରାଯାଇଛି। ସେମିନାରରେ ବକ୍ତା ଦେଇଥିବା ମନ୍ତବ୍ୟର ଉଦ୍ଦେଶ୍ୟ ଏବଂ ମହତ୍ତ୍ବକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି।

ସୂଚନାଯୋଗ୍ୟ ଯେ ପହଲଗାମ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତ ‘ଅପରେସନ ସିନ୍ଦୂର’ ଜରିଆରେ ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଶିବିରକୁ ଧ୍ବଂସ କରିଦେଇଥିଲା। ତେବେ ଏହି ସଂଘର୍ଷରେ ଭାରତର ୫ଟି ଲଢୁଆ ବିମାନକୁ ଖସାଇଥିବା ପାକିସ୍ତାନ ଦାବି କରିଥିଲା। ବିରୋଧୀ ଦଳ କଂଗ୍ରେସ ଭାରତର କ୍ଷୟକ୍ଷତି ନେଇ ସରକାରଙ୍କୁ ଜବାବ ମାଗିଥିଲେ। କେତୋଟି ଲଢୁଆ ବିମାନ ହରାଇଛି ବୋଲି ପ୍ରଶ୍ନ କରିଥିଲା। ମାତ୍ର ସିଡିଏସ ଅନୀଲ ଚୌହାନ ଏକ ସାକ୍ଷାତକାରରେ ଭାରତର କିଛି କ୍ଷୟକ୍ଷତି ହୋଇଥିବା କହିବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା। ଏବେ କ୍ୟାପ୍‌ଟେନ କୁମାରଙ୍କ ଟିପ୍ପଣୀକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ପ୍ରଥମେ ସିଙ୍ଗାପୁରୁରେ ସିଡିଏସ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ। ଆଉ ଏବେ ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଇଣ୍ଡୋନେସିଆରେ ଏଭଳି ତଥ୍ୟ ଦେଇଛନ୍ତି।

Leave A Reply

Your email address will not be published.