ମାସେ ପୂର୍ବରୁ ଛାତ୍ରୀଙ୍କୁ କରିଥିଲେ ଅପହରଣ, ଏବେ ଘଞ୍ଚ ଜଙ୍ଗଲରୁ ମିଳିଲା ଖଣ୍ଡ ବିଖଣ୍ଡିତ କଙ୍କାଳ

youtube

ବ୍ରହ୍ମପୁର/ ଭଞ୍ଜନଗର: ଘଞ୍ଚ ଜଙ୍ଗଲରୁ ମିଳିଲା ଖଣ୍ଡ ବିଖଣ୍ଡିତ ମଣିଷ କଙ୍କାଳ । ପୂରା ଗାଁରେ ଚହଳ ପଡ଼ି଼ଗଲା । କାହାର ଏ କଙ୍କାଳ? କେବେ ଠାରୁ ଏଠାରେ ପଡ଼ି ରହିଛି ? ଘଞ୍ଚ ଜଙ୍ଗଲ ଭିତରେ କଙ୍କାଳ ପୁଣି ଗଛରେ ଲାଗିଛି ଏକ ଓଢଣୀ ? ଏ କଥା ଶୁଣିଲା ବେଳକୁ ହିଁ ଛାତି ଥରି ଉଠୁଛି । ଏଭଳି ଏକ ଖବର ଏବେ ସମଗ୍ର ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଯାହାପରେ ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ । ଆଉ ଆରମ୍ଭ ହୋଇଥିଲା ଛାନଭିନ । ଖବର ବୁଝୁ ବୁଝୁ ଜଣାପଡିଲା ଏ କଙ୍କାଳ ଜଣେ ନାବାଳିକାର ।

ଗଞ୍ଜାମରୁ ଅପହୃତ ହୋଇଥିଲା ସପ୍ତମ ଶ୍ରେଣୀରେ ଛାତ୍ରୀ । ପଡୋଶୀ କନ୍ଧମାଳ ଜିଲ୍ଲା ଗସମା ଜଙ୍ଗଲରୁ ଉଦ୍ଧାର ହେଲା ଖଣ୍ଡବିଖଣ୍ଡିତ କଙ୍କାଳ । ଗତ ପ୍ରାୟ ମାସକ ପୂର୍ବରୁ ନାବାଳିକାକୁ ଅପହରଣ କରାଯାଇଥିଲା । ଏନେଇ ଦୁଇଦିନ ପୂର୍ବରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଅପହୃତ ନାବାଳିକାର ବାପା । ଝିଅର ବାପା ବାହାର ରାଜ୍ୟରେ କାମ କରନ୍ତି । ମା’ ଆଉ ଏ ଦୁନିଆରେ ନାହାନ୍ତି । ତେଣୁ ଝିଅର ଅପହରଣ ଖବର ପାଇ ବାପା ଗତ ଦୁଇ ଦିନ ତଳେ ଆସି ଗାଁରେ ପହଞ୍ଚି ଥିଲେ । ଆଉ ତୁରନ୍ତ ଥାନାରେ ଯାଇ ଅଭିଯୋଗ ଦେଇଥିଲେ ।

ସୂଚନା ଅନୁସାରେ ଗଞ୍ଜାମ ସୀମାନ୍ତ କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନ୍ତର୍ଗତ ଗସମା ଜଙ୍ଗଲରେ ଏକ ଗଳିତ ମୃତଦେହ ପଡିଥିଲା । ତାରାସିଙ୍ଗି ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା । ନିଖୋଜ ନାବାଳିକା ଜଣକ ଭଞ୍ଜନଗର ଥାନା ଅଞ୍ଚଳର । ତେଣୁ ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ ହୋଇଥିବାରୁ ଘଟଣା ସ୍ଥଳରେ ପହଞ୍ଚିଥିଲେ ଉଭୟ ଥାନାର ପୋଲିସ । କଙ୍କାଳ ଉଧାର ହୋଇଥିବା ସ୍ଥାନ କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଗସମା ଜଙ୍ଗଲ ହୋଇଥିବାରୁ ଚକାପାଦ ପୋଲିସ ମଧ୍ୟ ସଂପୃକ୍ତ ସ୍ଥାନରେ ପହଞ୍ଚିଥିଲା ।

ମୃତକର ଶରୀର ନଷ୍ଟ ହୋଇ ଯାଇଥିବାରୁ ଚିହ୍ନଟ କରିବା କଷ୍ଟକର ହୋଇଥିଲା । ଜଙ୍ଗଲରେ ଭିତରେ ଥିବା ଗଛରେ କେବଳ ଗୋଟିଏ ଓଢ଼ଣୀ ଝୁଲି ରହିଥିବା ବେଳେ କଙ୍କାଳ ସବୁ ଇଆଡ଼େ ସିଆଡ଼େ ପଡ଼ିଥିଲା । ତଥାପି ଝିଅର ଓଢ଼ଣୀକୁ ବାପା ତାଙ୍କର ଝିଅ ବୋଲି ଦାବି କରିଥିଲେ । ତେବେ ଝିଅକୁ ମାରି ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ବାପା । ସେହିଭଳି ଅପହରଣକାରୀ ଯୁବକ ମଧ୍ୟ ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅଞ୍ଚଳର ବୋଲି ଅପହୃତର ବାପା କହିଛନ୍ତି ।

ତାଙ୍କ ଅଭିଯୋଗ ଅନୁଯାୟୀ, ଅପହରଣକାରୀ ଯୁବକ ଗଞ୍ଜାମ ତାରାସିଙ୍ଗି ଥାନା ଅନ୍ତର୍ଗତ ଡିମିରିଝୋଳି ଗାଁର । ତାଙ୍କ ନାଁ ଲାଲକ ମଲ୍ଲିକ ବୋଲି ସେ କହିଛନ୍ତି । ସେପଟେ ଜବତ ହୋଇଥିବା ହାଡ଼ ସବୁ ଏଫଏମଟିକୁ ପଠାଇଛି ଚକାପାଦ ଥାନା ପୋଲିସ । ତଦନ୍ତ ଏବଂ ଏଫଏମଟି ରିପୋର୍ଟ ଆସିବା ପରେ ନିଖୋଜ ନାବାଳିକାର ପରିଚୟ ଏବଂ ହତ୍ୟା ଅଭିଯୋଗର ସତ୍ୟତା ସ୍ପଷ୍ଟ ହେବ ବୋଲି ଭଞ୍ଜନଗର ଏସଡିପିଓ କହିଛନ୍ତି ।

ଘଟଣା ଅତ୍ୟନ୍ତ ରହସ୍ୟମୟ । ପ୍ରକୃତରେ ନାବାଳିକା ସହ କଣ ଘଟିଛି ? ଜଙ୍ଗଲ ଭିତରୁ ମିଳିଥିବା କଙ୍କାଳ ସତରେ ତାଙ୍କରି କି? ସତରେ ନାବାଳିକାଙ୍କୁ ହତ୍ୟା କରାଯାଇଛି ନା ନାହିଁ? ଏଆଉ ଯଦି ନାବାଳିକା ଜଣକ ଜୀବିତ ଅଛନ୍ତି ତେବେ ଇଏ କାହାର କଙ୍କାଳ ? ଏଭଳି ଅନେକ ଅସମାହିତ ପ୍ରଶ୍ନର ରହସ୍ୟ ଭେଦିବା ପୋଲିସ ଆଗରେ ଏକ ବଡ଼ ଚ୍ୟାଲେଞ୍ଜ । ତେବେ ଘଟଣାଟି ଲୋକ ଲୋଚନକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

Leave A Reply

Your email address will not be published.