କରୁଣାର ଅମୃତଧାରା ଓ ଅଶରୀରୀଙ୍କ ମୋକ୍ଷର ପର୍ବ ଶ୍ରୀଜଗନ୍ନାଥଙ୍କ ଅଧରପଣା ଅନୁଷ୍ଠିତ

youtube

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଶେଷ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି କରୁଣାର ଅମୃତଧାରା ଓ ଅଶରୀରୀଙ୍କ ମୋକ୍ଷର ପର୍ବ ଶ୍ରୀଜଗନ୍ନାଥଙ୍କ ଅଧରପଣା | ନବଦିନାତ୍ମକ ଯାତ୍ରା ସାରି, ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବା ପଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ସିଂହଦ୍ୱାର ସମ୍ମୁଖରେ ନିଜ ନିଜ ରଥ ଉପରେ ଅବସ୍ଥାନ କରିଛନ୍ତି । ନୀଳାଦ୍ରି ବିଜେ ପୂର୍ବରୁ ଅନୁଷ୍ଠିତ ହୋଇଯାଇଛି ଏକ ଅତ୍ୟନ୍ତ ରହସ୍ୟମୟ, କରୁଣାମୟ ଓ ତାତ୍ପର୍ଯ୍ୟପୂର୍ଣ୍ଣ ନୀତି, ଯାହା ‘ଅଧରପଣା’ ନାମରେ ବିଖ୍ୟାତ । ଏହା କେବଳ ଦେବତାଙ୍କ ତୃଷା ନିବାରଣର ଏକ ନୀତି ନୁହେଁ, ବରଂ ଏହା ପଛରେ ଲୁଚି ରହିଛି ସୃଷ୍ଟିର ସମସ୍ତ ପତିତ ଓ ଅଶରୀରୀ ଆତ୍ମାଙ୍କ ପ୍ରତି ମହାପ୍ରଭୁଙ୍କର ଅସୀମ କରୁଣା ଓ ମୋକ୍ଷ ପ୍ରଦାନର ଏକ ଅନନ୍ୟ ପରମ୍ପରା ।
ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ, ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ । ‘ଅଧରପଣା’ ଶବ୍ଦଟିର ଅର୍ଥ ହେଉଛି ଅଧର ବା ଓଠକୁ ସ୍ପର୍ଶ କରୁଥିବା ପଣା । ଏହି ନୀତି ପାଇଁ ବ୍ୟବହୃତ ମାଟିପାତ୍ରଗୁଡ଼ିକର ଏକ ସ୍ୱତନ୍ତ୍ରତା ରହିଛି । ଏଗୁଡ଼ିକ ସାଧାରଣ ହାଣ୍ଡି ପରି ନ ହୋଇ ତୁମ୍ବ ପରି ଲମ୍ବା ଓ ସରୁ ମୁହଁଯୁକ୍ତ ହୋଇଥାଏ । ଏହାର ଉଚ୍ଚତା ଏପରି ଭାବେ ନିର୍ମିତ ହୋଇଥାଏ ଯେ, ରଥ ଉପରେ ରଖାଗଲେ ଏହା ଠାକୁରମାନଙ୍କ ଶ୍ରୀଅଧରକୁ ସ୍ପର୍ଶ କରେ । ସେଥିପାଇଁ ଗବେଷକମାନେ ଏହାକୁ ‘ଅଧରପଣା’ କହିଥାନ୍ତି ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ମାଟିହାଣ୍ଡିଗୁଡ଼ିକ ଯୋଗାଇ ଦିଆଯାଏ । ରାଘବଦାସ ମଠ ଓ ବଡ଼ଓଡ଼ିଆ ମଠ ପକ୍ଷରୁ ପଣା ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ସାମଗ୍ରୀ ଯଥା – କ୍ଷୀର, ସର, ଛେନା, କଦଳୀ, ଗୋଲମରିଚ, କର୍ପୂର, ଜାଇଫଳ ଆଦି ଯୋଗାଇ ଦିଆଯାଏ । ପାଣିଆପାଟ ସେବକମାନେ ଗରାବଡ଼ୁ ସେବକଙ୍କଠାରୁ ସିଂହଦ୍ୱାର ନିକଟରେ ଥିବା କୂଅରୁ ପାଣି ଆଣି ଏହି ପଣା ପ୍ରସ୍ତୁତ କରନ୍ତି । ଏହାପରେ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକମାନେ ରଥ ଉପରକୁ ଯାଇ ପାଳିଆ ପୂଜାପଣ୍ଡାଙ୍କ ଦ୍ୱାରା ପଞ୍ଚୋପଚାରରେ ଏହି ପଣାକୁ ଭୋଗ କରନ୍ତି । ପ୍ରତି ରଥରେ ତିନୋଟି ଲେଖାଏଁ, ଅର୍ଥାତ୍ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥରେ ମୋଟ ୯ଟି ହାଣ୍ଡି ଭୋଗ କରାଯାଏ ।
ଅଧରପଣା ନୀତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ରହସ୍ୟମୟ ଦିଗଟି ହେଉଛି ଭୋଗ ହେବା ପରେ ହାଣ୍ଡିଗୁଡ଼ିକୁ ରଥ ଉପରେ ହିଁ ଭାଙ୍ଗି ଦିଆଯିବା । ଏହି ପଣା ଭକ୍ତଙ୍କୁ ପ୍ରସାଦ ରୂପେ ବଣ୍ଟାଯାଏ ନାହିଁ କିମ୍ବା ସେବକମାନେ ମଧ୍ୟ ଏହାକୁ ଗ୍ରହଣ କରନ୍ତି ନାହିଁ । ଜନଶ୍ରୁତି ଓ ପରମ୍ପରା ଅନୁଯାୟୀ, ଏହି ପଣା ମଣିଷଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ଏହା ଉତ୍ସର୍ଗ କରାଯାଏ ସେହି ଅଦୃଶ୍ୟ ଶକ୍ତିମାନଙ୍କ ପାଇଁ, ଯେଉଁମାନେ ମହାପ୍ରଭୁଙ୍କ ରଥଯାତ୍ରାର ସାକ୍ଷୀ ହେବାକୁ ଆସିଥାନ୍ତି, କିନ୍ତୁ ଶ୍ରୀମନ୍ଦିରରେ ପ୍ରବେଶ କରିବାର ଅଧିକାର ପାଇନଥାନ୍ତି ।
ଏହି ଅଦୃଶ୍ୟ ଶକ୍ତିମାନେ ହେଲେ ରଥର ପାର୍ଶ୍ଵ ଦେବଦେବୀ, ଚଣ୍ଡୀ, ଚାମୁଣ୍ଡା, ଭୂତ, ପ୍ରେତ, ପିଶାଚ, କିନ୍ନର, ଯକ୍ଷ, ଗନ୍ଧର୍ବ ଏବଂ ଅନ୍ୟାନ୍ୟ ଅଶରୀରୀ ଆତ୍ମା । ରଥଯାତ୍ରା ସମୟରେ ମହାପ୍ରଭୁ ଜଗତର ନାଥ ଭାବରେ କେବଳ ମନୁଷ୍ୟ ନୁହେଁ, ବରଂ ଦେବ, ଦାନବ, ସିଦ୍ଧ, ସାଧକ ଓ ଏପରିକି ନିମ୍ନ ଯୋନିରେ ଥିବା ଆତ୍ମାମାନଙ୍କୁ ମଧ୍ୟ ଦର୍ଶନ ଦେଇ କୃତାର୍ଥ କରନ୍ତି । ସେମାନେ ଭକ୍ତିଭାବରେ ମହାପ୍ରଭୁଙ୍କ ରଥ ସହିତ ବଡ଼ଦାଣ୍ଡରେ ବୁଲିଥାନ୍ତି । କିନ୍ତୁ ଯେତେବେଳେ ମହାପ୍ରଭୁ ନୀଳାଦ୍ରି ବିଜେ କରି ରତ୍ନସିଂହାସନକୁ ଫେରିଯାଆନ୍ତି, ସେତେବେଳେ ଏହି ଅଶରୀରୀମାନେ ମନ୍ଦିର ଭିତରକୁ ଯାଇପାରନ୍ତି ନାହିଁ । ସେମାନେ ଅତୃପ୍ତ ଓ ଶୋକାକୁଳ ହୋଇ ରଥ ଚାରିପାଖେ ରହିଯାଆନ୍ତି ।
ଜଗତର ନାଥ, ପତିତପାବନ ମହାପ୍ରଭୁ ସେମାନଙ୍କ ଦୁଃଖ ବୁଝିପାରନ୍ତି । ସେମାନଙ୍କର ଆତ୍ମାର ସଦ୍‌ଗତି ଓ ମୋକ୍ଷ ପାଇଁ ନିଜ ଅଧରସ୍ପର୍ଶ ଅମୃତମୟ ପଣାକୁ ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି । ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ, ଯାହାଫଳରେ ପଣା ରଥ ଉପରୁ ତଳକୁ ବୋହିଯାଏ । ବିଶ୍ୱାସ କରାଯାଏ ଯେ, ସେହି ପବିତ୍ର ପଣାକୁ ପାନ କରି ଏହି ଅତୃପ୍ତ ଆତ୍ମାମାନେ ତୃପ୍ତ ହୁଅନ୍ତି ଏବଂ ସେମାନଙ୍କୁ ମୋକ୍ଷ ବା ମୁକ୍ତି ମିଳିଥାଏ ।
ଏହି ପ୍ରସଙ୍ଗରେ ଗବେଷକ ମାନଙ୍କ ମତ ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ । ଅଶରୀରୀ ତଥା ପତିତମାନଙ୍କ ଉଦ୍ଧାର ଉଦ୍ଦେଶ୍ୟରେ ହିଁ ଏହି ଅଧର ହାଣ୍ଡି ଭଙ୍ଗା ପରମ୍ପରା ପ୍ରଚଳିତ । ସାଧାରଣତଃ ଦେବତାଙ୍କୁ କୌଣସି ବସ୍ତୁ ‘ସମର୍ପଣ’ କରାଯାଏ, କିନ୍ତୁ ଏହି ଆତ୍ମାମାନଙ୍କ ପାଇଁ ସମର୍ପଣର ପ୍ରଥା ନାହିଁ । ତେଣୁ ପଣା ସେମାନଙ୍କ ଉଦ୍ଦେଶ୍ୟରେ ‘ଉତ୍ସର୍ଗ’ କରାଯାଏ । ଏହା ମହାପ୍ରଭୁଙ୍କର ସାର୍ବଜନୀନ କରୁଣା ଓ ସମଦର୍ଶୀତାର ଶ୍ରେଷ୍ଠ ନିଦର୍ଶନ ।
ଏହି ନୀତିକୁ ନେଇ ଏକ କୌତୂହଳପୂର୍ଣ୍ଣ ଦ୍ୱନ୍ଦ୍ୱ ମଧ୍ୟ ଦେଖାଯାଏ । ଯଦିଓ ଏହି ପଣା ମହାପ୍ରଭୁଙ୍କ ଅଧର ସ୍ପର୍ଶ କରିଥାଏ, ତଥାପି ଅଧିକାଂଶ ସେବକ ଓ ସ୍ଥାନୀୟ ପୁରୁଖା ଲୋକେ ଏହାକୁ ସେବନ କରନ୍ତି ନାହିଁ । କାରଣ ସେମାନେ ବିଶ୍ୱାସ କରନ୍ତି ଯେ ଏହା ଅଶରୀରୀଙ୍କ ପାଇଁ ଉଦ୍ଦିଷ୍ଟ । ସେମାନଙ୍କ ଭାଗକୁ ନେବା ଅନୁଚିତ । ତେବେ, ବାହାରୁ ଆସିଥିବା ବହୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଅଧରଲାଗି ଏହି ପବିତ୍ର ପଣାକୁ ପ୍ରସାଦ ଭାବରେ ପାଇବା ପାଇଁ ବ୍ୟାକୁଳ ହୋଇଥାନ୍ତି ଏବଂ ରଥତଳୁ ଏହାକୁ ସଂଗ୍ରହ କରିଥାନ୍ତି । ଏହା ସେମାନଙ୍କର ଭକ୍ତି ଓ ବିଶ୍ୱାସର ପ୍ରତୀକ ।

Leave A Reply

Your email address will not be published.