
ଭୁବନେଶ୍ବର: ଚତୁର୍ଥ ଥର ପାଇଁ ବିଜେପିର ରାଜ୍ୟ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ମନମୋହନ ସାମଲ କହିଛନ୍ତି ରାଜ୍ୟରେ ବିଜେପି ସରକାର ୨୦୩୬ ମସିହା ବି ଦେଖିବ ୨୦୪୭ ମସିହା ବି ଦେଖିବ। ବିଜେପି ସରକାର ଲମ୍ବା ଇନିଙ୍ଗିସ ଖେଳିବ। ସରକାରଙ୍କ ପଛରେ ଦଳ ଖୁଣ୍ଟ ଭଳି ଛିଡା ହେବ। ବିଜେପିରେ ଜଣେ ଚା ବିକାଳି ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଜଣେ ଶିଶୁ ମନ୍ଦିର ଶିକ୍ଷକ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ସରକାର ଆସିବା ପୂର୍ବରୁ ଆମେ ଶୋଇନି କି କାହାକୁ ଶୋଇବାକୁ ଦେଇନେ। ଏବେ ସରକାର ଆସିବା ପରେ ବି ଆମେ ଶୋଇବାନି ବୋଲି କହି କର୍ମକର୍ତ୍ତାଙ୍କୁ ଆହ୍ଵାନ ମନମୋହନ ହେଇଛନ୍ତି।
ଏବେ ଦାୟିତ୍ଵ ଛିଣ୍ଡି ନାହିଁ, ଦାୟିତ୍ଵ ବଢ଼ିଯାଇଛି। ସବୁ ଗାଁକୁ ଯିବା, ସମସ୍ତଙ୍କ ସହ ମିଶିବା, ଭଲ ବ୍ୟବହାର କରିବା। ଏ ଦାୟିତ୍ଵ ମନମୋହନ ସାମଲଙ୍କ ଦାୟିତ୍ଵ ନୁହେଁ। ଏ ଦାୟିତ୍ଵ ସବୁ କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ଵ। ସରକାର ଗଢିଥିବା ସବୁ କର୍ମକର୍ତ୍ତାଙ୍କୁ ମନମୋହନ ଧନ୍ୟବାଦ ଜଣାଇଛନ୍ତି। କାର୍ଯ୍ୟକର୍ତ୍ତା ପରିଶ୍ରମ କରି ନଥିଲେ ବିଜେପି ସାଇନ୍ ବୋର୍ଡ ପାର୍ଟିରୁ ସରକାର ଯାଏଁ ପହଞ୍ଚି ପାରି ନଥାନ୍ତା।
ପୂର୍ବରୁ ବିଜେପି ଗୋଟିଏ ଦଳ ଅସରପା ଗୋଟିଏ ଚଢ଼େଇ କରି ଉପହାସ କରାଯାଉଥିଲା। ନିଶଦାଢ଼ି ଉଠି ନଥିବା ଦୁଇ ଚାରି ଜଣ ପିଲା ବିଜେପିରେ ବୁଲୁଛନ୍ତି ବୋଲି କୁହାଯାଉଥିଲା। ବିଜେପି ସରକାର ଆସିବା ଆଗରୁ ଯାହା କହିଥିଲେ ଏବେ ତାହା କାମରେ କରୁଛନ୍ତି। ବିଜେପି ସରକାର ହେବା ଯୋଗୁ ଧାନ ୩୧୦୦ ଟଙ୍କା, ସୁଭଦ୍ରା ଯୋଜନା, ୭୮ ହଜାର କିମି ରାସ୍ତା, ଆୟୁଷ୍ମାନ ଯୋଜନା ଭଳି ଅନେକ କାର୍ଯ୍ୟକ୍ରମ ହୋଇପାରିଛି।
ସରକାର ଆସିବା ପରେ ଦାୟିତ୍ଵ ବଢିଛି। ସରକାର ଆସିବା ଯେତିକି କଷ୍ଟ ଥିଲା, ଏବେ ଲୋକଙ୍କ ଆଶା ପୂରଣ କରିବାର ଦାୟିତ୍ଵ ବଢ଼ିଛି। ସ୍ବାଧୀନତାର ୭୮ ବର୍ଷ ଭିତରେ ଓଡ଼ିଶାରେ ବହୁତ ସମସ୍ୟା ଅଛି। ସବୁ ସମସ୍ୟାର ସମାଧାନ କରିବାକୁ ହେବ। ସାଧାରଣ ଲୋକ ଏହି ସୁଯୋଗ ବିଜେପିକୁ ଦେଇଛନ୍ତି, ଏହାକୁ ହାତ ଛଡ଼ା କରିବା ଅନୁଚିତ୍।
ଅସମ୍ଭବ ବୋଲି କିଛି ଡିକ୍ସନାରୀରେ ନାହିଁ। ପରିଶ୍ରମ କଲେ ସବୁ ସମ୍ଭବ ହେବ। ଯେଉଁମାନେ ଆମ ବିରୋଧରେ କହୁଥିଲେ, ସେମାନେ କ୍ଷମତା ଛାଡ଼ି ବର୍ଷେ ରହି ପାରୁନାହାନ୍ତି ବୋଲି ବିରୋଧୀଙ୍କୁ ଟାର୍ଗେଟ କରି ମନମୋହନ କହିଛନ୍ତି।