ଭୁବନେଶ୍ବର: ରବି ଫସଲ ପାଇଁ ବଢ଼ିଲା MSP|| ଚାଷୀଙ୍କୁ କେନ୍ଦ୍ରର ବଡ଼ ଉପହାର । ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ରବି ଫସଲ ପାଇଁ ନୂଆ ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ନିର୍ଦ୍ଧାରଣ କରାଯାଇଛି । ଗହମ, ବାର୍ଲି, ଚଣା, ମସୁର ଓ ସୋରିଷ ସମେତ ବିଭିନ୍ନ ରବି ଫସଲର MSP ଉତ୍ପାଦନ ଖର୍ଚ୍ଚଠାରୁ ଅତିକମରେ ୫୦ ପ୍ରତିଶତ ଅଧିକ ରଖାଯାଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଗହମ କ୍ଷେତ୍ରରେ ଚାଷୀଙ୍କୁ ମିଳିବ ବଡ଼ ଲାଭ। କେନ୍ଦ୍ର ସରକାରଙ୍କ ହିସାବ ଅନୁସାରେ ଗହମର ଆନୁମାନିକ ଉତ୍ପାଦନ ଖର୍ଚ୍ଚ କ୍ୱିଣ୍ଟାଲ୍ ପିଛା ୧,୨୬୪ ଟଙ୍କା ରହିଛି । ଏହା ତୁଳନାରେ MSP କ୍ୱିଣ୍ଟାଲ୍ ପିଛା ୨,୬୧୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଅର୍ଥାତ୍ ଉତ୍ପାଦନ ଖର୍ଚ୍ଚଠାରୁ ଗହମର MSP ଦୁଇଗୁଣାରୁ ମଧ୍ୟ ଅଧିକ।
ସେହିପରି ବାର୍ଲିର ଆନୁମାନିକ ଉତ୍ପାଦନ ଖର୍ଚ୍ଚ କ୍ୱିଣ୍ଟାଲ୍ ପିଛା ୧,୪୪୭ ଟଙ୍କା ରହିଥିବାବେଳେ MSP ୨,୨୮୬ ଟଙ୍କା ଧାର୍ଯ୍ୟ ହୋଇଛି । ଏହା ଉତ୍ପାଦନ ଖର୍ଚ୍ଚଠାରୁ ପ୍ରାୟ ୫୮ ପ୍ରତିଶତ ଅଧିକ ବୋଲି କେନ୍ଦ୍ର ସରକାର କହିଛନ୍ତି । କେନ୍ଦ୍ରର ଆକଳନ ଅନୁସାରେ ଚଳିତ ରବି ଋତୁରେ ପ୍ରାୟ ୩୨୪ ଲକ୍ଷ ମେଟ୍ରିକ୍ ଟନ୍ ଫସଲ କ୍ରୟ ହେବ । ଏହି କ୍ରୟ ବାବଦରେ MSP ଜରିଆରେ ଚାଷୀଙ୍କ ପାଖକୁ ପ୍ରାୟ ୯୦ ହଜାର ୯୬୨ କୋଟି ଟଙ୍କା ପହଞ୍ଚିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଚାଷୀଙ୍କୁ ଉତ୍ପାଦନ ଖର୍ଚ୍ଚ ଉପରେ ଲାଭଜନକ ମୂଲ୍ୟ ଦେବା ଉଦ୍ଦେଶ୍ୟରେ MSP ନିର୍ଦ୍ଧାରଣ କରାଯାଉଥିବା କେନ୍ଦ୍ରର ମତ। ସରକାରଙ୍କ ଘୋଷିତ ନୀତି ଅନୁସାରେ ନିର୍ଦ୍ଧାରିତ ଫସଲ ପାଇଁ MSP ସର୍ବଭାରତୀୟ ହାରାହାରି ଉତ୍ପାଦନ ଖର୍ଚ୍ଚର ଅତିକମରେ ଦେଢ଼ଗୁଣା ସ୍ତରରେ ରଖାଯାଉଛି ।
