
ନୂଆଦିଲ୍ଲୀ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର ବିଶ୍ବର ୯ମ ବ୍ୟସ୍ତବହୁଳ ବିମାନ ବନ୍ଦରଭାବେ ମାନ୍ୟତାଲାଭ କରିଛି। ଏୟାରପୋର୍ଟ କାଉନସିଲ ଇଣ୍ଟରନ୍ୟାସନାଲ (ଏସିଆଇ) ପକ୍ଷରୁ ବିଶ୍ବର ୨୦ଟି ବିମାନ ବନ୍ଦରକୁ ସର୍ଭେରେ ସାମିଲ କରାଯାଇଥିଲା। ଗତବର୍ଷ ୭,୭୮,୨୦,୮୩୪ ଯାତ୍ରୀ ଦିଲ୍ଲୀ ବିମାନ ବନ୍ଦର ଦେଇ ଯାତାୟାତ କରିଛନ୍ତି। ୨୦୨୪ରେ ଏହି ବିମାନ ବନ୍ଦରରେ ୪,୭୭,୫୦୯ ଥର ବିମାନର ଉଡାଣ ଓ ଅବତରଣ ହୋଇଥିଲା। ୨୦୨୩ରେ ଦିଲ୍ଲୀ ତାଲିକାର ୧୦ମ ସ୍ଥାନରେ ଥିବାବେଳେ ୨୦୨୪ରେ ଏହା ଗୋଟିଏ ପାହ୍ୟା ଉପରକୁ ଉଠିଛି। ଆମେରିକାର ଆଟଲାଣ୍ଟା ବିମାନ ବନ୍ଦର ସବୁଠାରୁ ବ୍ୟସ୍ତବହୁଳ ବୋଲି ରିପୋର୍ଟରୁ ଜଣାପଡିଛି। ୨୦୨୪ରେ ୧୦,୮୦,୬୭,୭୬୬ ଯାତ୍ରୀ ଏହି ବିମାନ ବନ୍ଦର ଦେଇ ଯାତାୟାତ କରିଛନ୍ତି। ଏହାବ୍ୟତୀତ ୨୦୨୪ରେ ଏହି ବିମାନ ବନ୍ଦରରେ ୭,୯୬,୨୨୪ ଥର ବିମାନର ଉଡାଣ ଓ ଅବତରଣ ହୋଇଥିଲା। ଏହାପଛକୁ ଦୁବାଇ (୯,୨୩,୩୧,୫୦୬) ଓ ଆମେରିକାର ଡଲାସ୍ ବିମାନ ବନ୍ଦର (୮,୭୮,୧୭,୮୬୪) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ଜାପାନର ହାନେଡା, ଲଣ୍ଡନର ହିଥ୍ରୋ, ଆମେରିକାର ଡେନ୍ଭର, ତୁର୍କୀର ଇସ୍ତାନବୁଲ, ଆମେରିକାର ସିକାଗୋ ଯଥାକ୍ରମେ ୪ର୍ଥରୁ ୮ମ ସ୍ଥାନରେ ଥିବାବେଳେ ଚୀନ୍ର ସାଂଘାଇ ୧୦ମ ସ୍ଥାନ ଅଧିକାର କରିଛି। କୋଭଇଡ୍ ପରେ ବିଶ୍ବରେ ବିମାନ ଯାତ୍ରୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୧୭୦ ରାଷ୍ଟ୍ରର ୮୩୦ଟି ଏୟାରଲାଇନ୍ସ ଏସିଆଇର ସଦସ୍ୟ ରହିଛନ୍ତି।