ହାଉସିଂ ସୋସାଇଟି କ୍ଷମତା ନେଇ ବିଡିଏର ଐତିହାସିକ ନିଷ୍ପତ୍ତି, ଫି ନଦେଲେ ବିଜୁଳି ଓ ପାଣି ସଂଯୋଗ ବିଛିନ୍ନ

youtube

ଭୁବନେଶ୍ୱର : ହାଉସିଂ ସୋସାଇଟି କ୍ଷମତା ନେଇ ବିଡିଏର ଐତିହାସିକ ନିଷ୍ପତ୍ତି ।  ବକେୟା ଫି ଆଦାୟ ପାଇଁ ଫ୍ଲାଟ ମାଲିକଙ୍କ ଘରକୁ ବିଜୁଳି ଓ ପାଣି ସଂଯୋଗକୁ ବିଛିନ୍ନ କରିପାରିବେ ଆପାର୍ଟମେଣ୍ଟ ସୋସାଇଟି ।  ଆବାସିକ ଆପାର୍ଟମେଣ୍ଟର ଘର ମାଲିକ ରକ୍ଷଣାବେକ୍ଷଣ ଦେୟ ପଇଠରେ ବିଳମ୍ବ କଲେ କିମ୍ବା ଫି ନଦେଲେ ବିଚ୍ଛିନ୍ନ ହେବ ଘରର ଅତ୍ୟାବଶକ ସେବା ।

ଯଦି ମେଣ୍ଟେନାମସ ଫି ଘରମାଲିକ ଲଗାତାର ପଇଠ ନକରନ୍ତି ତେବେ ବିଜୁଳି ସଂଯୋଗ, ଜଳଯୋଗାଣ, ପରିମଳ ଆଦି ବିଭିନ୍ନ ଅତ୍ୟାବଶ୍ୟକ ସେବାରୁ ସଂପୃକ୍ତ ଫ୍ଲାଟ ମାଲିକଙ୍କୁ ବଞ୍ଚିତ ହେବେ । ଏନେଇ ପଦକ୍ଷେପ ଗ୍ରହଣ କରିପାରିବେ ହାଉସିଂ ସୋସାଇଟି । କିଛି ଫ୍ଲାଟ ମାଲିକ ଇଚ୍ଛାକୃତ ଭାବେ ମାସିକ ରକ୍ଷଣାବେକ୍ଷଣ ଦେୟ ପ୍ରଦାନ କରୁନଥିଲେ । ଏନେଇ ହାଉସିଂ ସୋସାଇଟି ଆସୋସିଏସନ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ- ବିଡିଏରେ ଅଭିଯୋଗ କରିଥିଲେ ।

ଅଭିଯୋଗର ଶୁଣାଣି କରି ଆସୋସିଏସନ ସପକ୍ଷରେ ରାୟ ଦେଇଛନ୍ତି ବିଡିଏ । ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଆଇନର ଧାରା ୧୯-୧ ଅନୁଯାୟୀ ଏହି ନିର୍ଦ୍ଦେଶ ଦେଇଛନ୍ତି ବିଡିଏ । ବକେୟା ଦେୟ ପ୍ରଦାନ ପାଇଁ ପ୍ରଥମେ ଆସୋସିଏସନର ସାଧାରଣ ପରିଷଦ ନୋଟିସ ଜାରି କରିବେ । ନୋଟିସ ପରେ ବି ଧାର୍ଯ୍ୟ ସମୟ ମଧ୍ୟରେ ଦେୟ ପଇଠ ନହେଲେ ଏନେଇ ଆସୋସିଏସନରେ ଆଲୋଚନା ହେବ । ଏହା ପରେ ଅତ୍ୟାବଶ୍ୟକ ସେବା ବିଚ୍ଛିନ୍ନ କରିବାକୁ ସାଧାରଣ ପରିଷଦ ବୈଠକରେ ପ୍ରସ୍ତାବ ଗୃହୀତ ହେବ ।

ପ୍ରସ୍ତାବର କପିକୁ ପ୍ରାଧିକୃତ କର୍ତ୍ତୃପକ୍ଷଙ୍କୁ ପଠାଇବେ ହାଉସିଂ ସୋସାଇଟି ସାଧାରଣ ପରିଷଦ। ଏହା ସହ ଦେୟ ଖିଲାପକାରୀଙ୍କୁ ୧୫ ଦିନର ମହଲତ ନେଇ ନୋଟିସ ଦେବେ। ଯଦି ଏହା ବର୍ଷେ ଧରି ଲାଗି ରହେ, ତେବେ ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭରି ଆକ୍ଟ ୧୯୬୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ସଂପୃକ୍ତ ଫି ଖିଲାପକାରୀ ମାଲିକଙ୍କ ଫ୍ଲାଟ ଜବତ, ନିଲାମ କରାଯାଇପାରିବ । ଏପରିକି ଖିଲାପକାରୀଙ୍କୁ ମଧ୍ୟ ଗିରଫ କରାଯାଇପାରିବ ବୋଲି ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭରି ଆକ୍ଟରେ ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.