
ଭୁବନେଶ୍ୱର : ଏଫଏମ କଲେଜ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏ ଘଣଟାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ନବୀନ କହିଛନ୍ତି ଏହି ଘଟଣା ଆତ୍ମାକୁ ଗଭୀର ଭାବେ ବ୍ୟଥିତ କରିଛି । ଏହାସହ ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ନବୀନ। ଜଣେ ଅଧ୍ୟାପକଙ୍କ ଦ୍ୱାରା ଛାତ୍ରୀ ନିରନ୍ତର ଯୌନ ନିର୍ଯାତନାର ଶିକାର ହୋଇଥିବା ବାରମ୍ବାର ଅଭିଯୋଗ ହୋଇଥିଲା । ଏନେଇ ସେ କଲେଜ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିବା ସହ ପୂର୍ବରୁ ମଧ୍ୟ ଜୀବନ ହାରିବା ଉଦ୍ୟମ କରିଥିଲେ । କିନ୍ତୁ ସେ ବର୍ତ୍ତି ଯାଇଥିଲେ । କିଛି ମାସ ଧରି ପୀଡ଼ିତା ଭୟ ଓ ଯନ୍ତ୍ରଣାରେ ଦିନ ବିତାଉଥିଲେ।
ଅଭିଯୋଗ ପରେ ମଧ୍ୟ ଅଧ୍ୟାପକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଛାତ୍ରୀଜଣକ ଜୁଲାଇ ୧ ତାରିଖରେ ଏନେଇ ସୋସିଆଲ ମିଡିଆରେ ଜଣାଇଥିଲେ। ବହୁ ବରିଷ୍ଠ ଅଧିକାରୀଙ୍କୁ ଏଥିରେ ସେ ଅଭିଯୋଗ କରିଥିଲେ । କଲେଜ ଅଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ । ବାରମ୍ବାର ଅଭିଯୋଗ ପରେ ବି ନ୍ୟାୟରୁ ବଞ୍ଚିତ ହେବା କଠୋର ବାସ୍ତବତାକୁ ପ୍ରକାଶ କରୁଛି ବୋଲି ନବୀନ ସୋସିଆଲ ମିଡିଆରେ ଲେଖିଛନ୍ତି । ଅଧ୍ୟାପକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଶେଷରେ ବାଧ୍ୟ ହୋଇ ଅଧ୍ୟକ୍ଷଙ୍କ ଚାମ୍ବରରେ ଦେହରେ ନିଆଁ ଲଗାଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ । ଏହି ଘଟଣାରେ ରାଜ୍ୟପାଳ ତଥା କୁଳାଧିପତି ହସ୍ତକ୍ଷେପ କରି ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି ନବୀନ।