
ନୂଆଦିଲ୍ଲୀ : ବିଶ୍ବକୁ ସ୍ତବ୍ଧ କରି ଦେଇଥିବା ଅହମଦାବାଦ ବିମାନ ଦୁର୍ଘଟଣା (ଜୁନ୍ ୧୨) ର ପ୍ରାରମ୍ଭିକ ତଦନ୍ତ ରିପୋର୍ଟକୁ ଶନିବାର ସାର୍ବଜନୀନ କରାଯାଇଛି। ୧୫ ପୃଷ୍ଠାର ଏହି ରିପୋର୍ଟରେ ବିମାନର ଇନ୍ଧନ ସ୍ବିଚ୍ ବନ୍ଦ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା ବୋଲି କୁହାଯାଇଛି। ରିପୋର୍ଟରେ ପାଇଲଟଙ୍କ ତ୍ରୁଟିକୁ ଇଙ୍ଗିତ କରାଯାଇଛି। ତେବେ କକ୍ପିଟ୍ର ରେକର୍ଡିଂରୁ ଶେଷ ମୁହୂର୍ତ୍ତରେ ପାଇଲଟ୍ଙ୍କ ବାର୍ତ୍ତାଳାପର ତଥ୍ୟ ମଧ୍ୟ ଦିଆଯାଇଛି। ଏଥିରେ ଜଣେ ପାଇଲଟ ଅନ୍ୟ ଜଣକୁ ତୁମେ ଇନ୍ଧନ ସ୍ବିଚ୍ ବନ୍ଦ କରିଥିଲ କି ବୋଲି ପଚାରୁଛନ୍ତି। ମାତ୍ର ଏହାର ଉତ୍ତରରେ ସେ ନାହିଁ ବୋଲି କହୁଛନ୍ତି। କିନ୍ତୁ ଏହି ଯାଞ୍ଚ ରିପୋର୍ଟ ଉପରେ ପ୍ରଶ୍ନ ଉଠାଯାଉଛି। ଅନେକ ପ୍ରଶ୍ନର ଉତ୍ତର ଏହି ରିପୋର୍ଟରେ ନାହିଁ ବୋଲି କୁହାଯାଉଛି। ଖାଲି ପାଇଲଟଙ୍କ ଉପରେ ଦୋଷ ଲଦି ତଦନ୍ତ ସାରି ଦେବାକୁ ପ୍ରୟାସ କରାଯାଉଛି। ତେଣୁ ନିରପେକ୍ଷ ଯାଞ୍ଚ ଦାବି କରାଯାଉଛି। ଏହି ପ୍ରାରମ୍ଭିକ ଯାଞ୍ଚ ରିପୋର୍ଟ ଉପରେ ଏୟାରଲାଇନ ପାଇଲଟ୍ ସଂଘ (ଏଏଲପିଏ) ପକ୍ଷରୁ ପ୍ରଶ୍ନ ଉଠାଯାଇଛି। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍ଭେଷ୍ଟିଗେସନ ବ୍ୟୁରୋ (ଏଏଆଇବି)ର ତଦନ୍ତ ରିପୋର୍ଟ ଉପରେ ଚିନ୍ତା ପ୍ରକଟ କରାଯାଇଛି। ରିପୋର୍ଟ ପାଇଲଟ୍ ସଂଘ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଛି।
ସଂଘ ପକ୍ଷରୁ କୁହାଯାଇଛି ଯେ ବିମାନ ଦୁର୍ଘଟଣା ପାଇଁ ପାଇଲଟ ଦାୟୀ ବୋଲି ଯାଞ୍ଚରୁ ଲାଗୁଛି। ତଦନ୍ତର ଦିଗ ଏବଂ ରିପୋର୍ଟରେ ଅନୁଚିତ ଭାବେ ଏହି ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି। ଏହାକୁ ସମ୍ପୂର୍ଣ୍ଣ ଭାବେ ସଂଘ ପକ୍ଷରୁ ଖାରଜ କରାଯାଉଛି। ସ୍ବଚ୍ଛ, ନିରପେକ୍ଷ ଏବଂ ତଥ୍ୟ ଆଧାରିତ ଯାଞ୍ଚ ପାଇଁ ସଂଘ ଦାବି କରୁଛି ବୋଲି ଅଧ୍ୟକ୍ଷ ସାମ୍ ଥୋମାସ କହିଛନ୍ତି। ସେହିପରି ପାଇଲଟ୍ ସଂଘ ଏହି ପ୍ରକ୍ରିୟାରେ ସ୍ବଚ୍ଛତାର ଅଭାବ ଥିବା କହିଛି। ଗୋପନୀୟତାର ସହ ତଦନ୍ତ ଚାଲୁଛି। ତେଣୁ ଏହା ଉପରୁ ବିଶ୍ବସନୀୟତା ଏବଂ ଜନତାଙ୍କ ବିଶ୍ବାସ ହ୍ରାସ ପାଇବାରେ ଲାଗିଛି। ଏହି ତଦନ୍ତ ଟିମ୍ରେ ଯୋଗ୍ୟ, ଅଭିଜ୍ଞ ବିଶେଷ କରି ପାଇଲଟ୍ ବୃତ୍ତିର ବିଶେଷଜ୍ଞଙ୍କ ଅଭାବ ରହିଛି।
ଗୁରୁବାର ‘ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ’ ପକ୍ଷରୁ ପ୍ରକାଶିତ ସ୍ତମ୍ଭକୁ ନେଇ ମଧ୍ୟ ଏଲପିଏ ଯାଞ୍ଚ ରିପୋର୍ଟକୁ ଘେରିଛି। ଏହି ରିପୋର୍ଟରେ ଇନ୍ଧନ ସ୍ବିଚ୍ ବନ୍ଦ ଥିବା କୁହାଯାଇଥିଲା। ଏହାକୁ ନେଇ ପାଇଲଟ୍ ସଂଘ ପ୍ରଶ୍ନ ଉଠାଇଛି। ଏଭଳି ସମ୍ବେଦନଶୀଳ ମାମଲାର ତଦନ୍ତ ରିପୋର୍ଟ କେମିତି ଲିକ୍ ହୋଇଗଲା ବୋଲି ପଚାରିଛି। ବିଧିବଦ୍ଧ ଭାବେ ସରକାରୀ ପୁଷ୍ଟିକରଣ ବିନା କେମିତି ଏହି ରିପୋର୍ଟକୁ ଏଏଆଇବି ଜାରି କରିଦେଲା? ଏହି ରିପୋର୍ଟରେ କୌଣସି ଦାୟିତ୍ବବାନ ଅଧିକାରୀଙ୍କ ସ୍ବାକ୍ଷର କିମ୍ବା ନାମ ନାହିଁ। ଏହି ତଦନ୍ତ ପ୍ରକ୍ରିୟାରେ ସାମିଲ କରିବା ପାଇଁ ପୁଣିଥରେ ସଂଘ ଅନୁରୋଧ କରିଛି। ସ୍ବଚ୍ଛତା ଏବଂ ପାରଦର୍ଶିତାକୁ ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟବେକ୍ଷକ ଭାବେ ତଦନ୍ତ ପ୍ରକ୍ରିୟାରେ ସାମିଲ କରିବା ପାଇଁ କୁହାଯାଇଛି।
ଦୁର୍ଘଟଣାର ମୂଳ କାରଣ ଇନ୍ଧନ ସ୍ବିଚ୍
ବିମାନର ଫୁଏଲ କଣ୍ଟ୍ରୋଲ ସ୍ବିଚ୍ ଆକାରରେ କ୍ଷୁଦ୍ର ହୋଇଥାଏ। ମାତ୍ର ଏହା ବହୁତ ଶକ୍ତିଶାଳୀ। ଏହା ବିମାନର ଇଞ୍ଜିନକୁ ଇନ୍ଧନ ନିୟନ୍ତ୍ରଣ କରିଥାଏ। ବିମାନ କକ୍ପିଟ୍ର ଥ୍ରଷ୍ଟ ଲିଭର ନିକଟରେ ଏହି ସ୍ବିଚ୍ ଥାଏ। ଏହା ଇଞ୍ଜିନରେ ଇନ୍ଧନ ଯୋଗାଣକୁ ନିୟନ୍ତ୍ରଣ କରିଥାଏ। ଇଞ୍ଜିନକୁ ଇନ୍ଧନ ଯୋଗାଣ ଆରମ୍ଭ କରିବା (ରନ୍ ପୋଜିସନ) କିମ୍ବା ବନ୍ଦ କରିବା (କଟ୍ ଅଫ୍ ପୋଜିସନ) ଏହାର ପ୍ରମୁଖ କାମ। ପ୍ରତ୍ୟେକ ଇଞ୍ଜିନ ପାଇଁ ଅଲଗା ଅଲଗା ଫୁଏଲ କଣ୍ଟ୍ରୋଲ ସ୍ବିଚ୍ ରହିଥାଏ।
ଉଦାହରଣ ସ୍ବରୂପ ବୋଇଂ ୭୮୭ରେ ଦୁଇଟି ଇଞ୍ଜିନ ରହିଛି। ଏଥିପାଇଁ ଦୁଇଟି ସ୍ବିଚ୍ ଥାଏ। ଗୋଟିଏ ବାମ ଇଞ୍ଜିନ ପାଇଁ ହୋଇଥିବାବେଳେ ଅନ୍ୟଟି ଡାହାଣ ଇଞ୍ଜିନ ପାଇଁ ଉଦ୍ଦିଷ୍ଟ। ସ୍ବିଚ୍ ‘ରନ୍’ରେ ଥିଲେ ଫୁଏଲ ଭାଲ୍ଭ ଖୋଲିଥାଏ। ଇଞ୍ଜିନକୁ ଇନ୍ଧନ ଯୋଗାଣ ଆରମ୍ଭ ହୋଇଥାଏ। ଏହା ଦ୍ବାରା ଇଞ୍ଜିନ ଚାଲୁ ହୋଇଥାଏ ଏବଂ ବିମାନକୁ ଥ୍ରଷ୍ଟ (ଶକ୍ତି) ମିଳିଥାଏ।
ସେହିପରି ସ୍ବିଚ୍ ‘କଟ୍ଅଫ୍’ରେ ରହିଲେ ଫୁଏଲ ଭାଲ୍ଭ ବନ୍ଦ ହୋଇଯାଏ। ଇଞ୍ଜିନକୁ ଇନ୍ଧନ ଯୋଗାଣ ହୋଇ ନ ଥାଏ। ଫଳରେ ଇଞ୍ଜିନ ତୁରନ୍ତ ବନ୍ଦ ହୋଇଯାଏ। ଫୁଏଲ କଣ୍ଟ୍ରୋଲ ସ୍ବିଚ୍ ସ୍ପ୍ରିଙ୍ଗ-ଲୋଡେଡ ହୋଇଥାଏ। ଏଥିରେ ଡିଟେଣ୍ଟ (ଏକପ୍ରକାରର ଲକ୍ ସିଷ୍ଟମ) ଥାଏ। ଏହା ସ୍ବିଚ୍କୁ ନିର୍ଦ୍ଧାରିତ ସ୍ଥିତିରେ ସ୍ଥିର ରଖିଥାଏ। ସ୍ବିଚ୍ର କମାଣ୍ଡ ପରିବର୍ତ୍ତନ ଲାଗି ଏହାକୁ ଧରି ଡିଟେଣ୍ଟକୁ ବାହାର କରିବାକୁ ପଡ଼ିଥାଏ। ପରେ ମୁକ୍ତ କରାଯାଇଥାଏ। ଏହା କୌଣସି ସାଧାରଣ ସ୍ବିଚ୍ ନୁହେଁ। ଭୁଲ୍ରେ ଧକ୍କା ଲାଗିଲେ ବି ଏହା ଦବି ଯିବ ନାହିଁ। ବିଶେଷଜ୍ଞଙ୍କ ଅନୁଯାୟୀ ଏହି ସ୍ବିଚ୍ ଭୁଲ୍ରେ କିମ୍ବା ସହଜରେ ଚାଲୁ ହୋଇପାରିବ ନାହିଁ। କୌଣସି ପାଇଲଟ ଉଡ଼ାଣ ଆରମ୍ଭ କରିବା ସମୟରେ ଏହି ସ୍ବିଚ୍କୁ କେବେ ବନ୍ଦ କରିବ ନାହିଁ। କାରଣ ତୁରନ୍ତ ଏହାର ପ୍ରଭାବ ପଡ଼ିଥାଏ ବୋଲି ସେ ଜାଣିଛନ୍ତି। ଅନ୍ୟଜଣେ ବିଶେଷଜ୍ଞ କହିଛନ୍ତି ଯେ ଏହି ସ୍ବିଚ୍ ସ୍ବାଧୀନ ଭାବେ ତାର ଏବଂ ବିଦ୍ୟୁତ ସହ ସଂଯୋଗ ହୋଇଥାଏ। ତେଣୁ କୌଣସି ଯାନ୍ତ୍ରିକ ତ୍ରୁଟି ବିନା ଅଜାଣତରେ ଏହା ବନ୍ଦ ହେବାର ସମ୍ଭାବନା ବହୁତ କମ୍।