ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ନବନିର୍ମାଣ ଯୁବଛାତ୍ର ସଂଗଠନ

youtube

ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳର ସହକାରୀ ପ୍ରାଧ୍ୟାପକଙ୍କ ନିର୍ଯାତନା ଶିକାର ହୋଇ ଜଣେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ରାଜ୍ୟ ବିଜେପି ସରକାରର ଦାୟିତ୍ବହୀନତାକୁ ଦାୟୀ କରିଛି ନବନିର୍ମାଣ ଯୁବଛାତ୍ର ସଂଗଠନ। ରବିବାର ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ.ଡି ମନଓ୍ବର ଅଲ୍ଲୀଙ୍କ ନେତୃତ୍ବରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ମହିଳା, ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବାସଭବନ ଘେରାଉ କରାଯାଇଛି।

ଏନେଇ ମନଓ୍ବର ଅଲ୍ଲୀ କହିଛନ୍ତି, ଛାତ୍ରୀଜଣକ ଜୁଲାଇ ୧ ତାରିଖରେ ଅଭିଯୁକ୍ତ ସହକାରୀ ପ୍ରାଧ୍ୟାପକଙ୍କ ନାଁରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ କଲେଜ ଅଧ୍ୟକ୍ଷ ଏହି ଘଟଣାକୁ ଗୁରୁତର ସହ ନେଇନଥିଲେ। ପରେ ଛାତ୍ରୀଜଣକ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଥିଲେ। ଥାନାରୁ ମଧ୍ୟ ସେଭଳି ନ୍ୟାୟ ତାଙ୍କୁ ମିଳିନଥିଲା। ଛାତ୍ରୀଜଣକ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ବ୍ୟକ୍ତିଗତ ସାକ୍ଷତ କରି ଅଭିଯୋଗ କରିଥିଲେ। ଏହାସହ ଛାତ୍ରୀଜଣକ ନିଜ ଏକ୍ସ ଆକାଉଣ୍ଟରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଜଣେ ଛାତ୍ରୀଙ୍କ ଅଭିଯୋଗକୁ ସରକାର ଦୃଷ୍ଟି ଦେଇନଥିଲେ। ଦୀର୍ଘ ୧୨ ଦିନର ବହୁ ସଂଘର୍ଷ ପରେ ଛାତ୍ରୀଜଣକ ବାଧ୍ୟ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ। ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳା ଓ ଶିଶୁ ବିକାଶର ମନ୍ତ୍ରୀ ହୋଇଥିଲେ ମଧ୍ୟ ଜଣେ ଛାତ୍ରୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି। ଯଦି ସାଧାରଣ ଲୋକଙ୍କୁ ସରକାର ନ୍ୟାୟ ଦେବାରେ ବିଫଳତା ପ୍ରକାଶ କରୁଛନ୍ତି ତେବେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଯୁବଛାତ୍ର ସଂଗଠନ ଦାବି କରିଛି।

ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ଭୁବନେଶ୍ୱରସ୍ଥିତ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସାସ୍ଥ୍ୟାବସ୍ଥା ଓ ଚିକିତ୍ସା ବ୍ୟବସ୍ଥା ବୁଝିବା ପାଇଁ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସହ ଏକ ପ୍ରତିନିଧି ମଣ୍ଡଳୀ ଏମ୍ସ ଗସ୍ତ କରି ପୀଡ଼ିତାଙ୍କ ଭାଇଙ୍କ ସହିତ ଘଟଣା ସଂପର୍କରେ ଆଲୋଚନା କରିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Leave A Reply

Your email address will not be published.