
ବାଲେଶ୍ବର: ପଞ୍ଚଭୂତରେ ଲୀନ ହେଲେ ଏଫଏମ କଲେଜ ପୀଡିତା ସୌମ୍ୟାଶ୍ରୀ ବିଶି । ଗତକାଲି ରାତିରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ବାଲେଶ୍ବର ଜିଲ୍ଲା ଭୋଗରାଇ ସ୍ଥିତ ତାଙ୍କ ପୈତୃକ ଗାଁ ପଳାସିଆ ମଶାଣିରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ଭାଇ ତାଙ୍କ ମୁଖାଗ୍ନି ଦେଇଛନ୍ତି । ଗାଁ ଝିଅକୁ ଅଶ୍ରୁଳ ବିଦାୟ ଦେଇଛନ୍ତି ହଜାର ହଜାର ଗାଁ ଲୋକେ । ସୌମ୍ୟାଶ୍ରୀଙ୍କୁ ହରାଇ ମ୍ରିୟମାଣ ହୋଇପଡିଛି ପୂରା ପରିବାର । ବାପା କାନ୍ଦୁଛି ମୋର କିଛି ଦରକାର ନାହିଁ ମୋ ଝିଅ ଦରକାର ଥିଲା ।
ସେପଟେ ଦୋଷୀକୁ କଠୋରରୁ କଠୋର ଦଣ୍ଡ ମିଳିବା ନେଇ ସରକାର ଆଶ୍ବସନା ଦେଇଥିବା ବେଳେ ଆଜି ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେି ସୂଚନା ଦେଇଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ । ପ୍ରତାପ କହିଛନ୍ତି, ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଅତ୍ୟନ୍ତ ମର୍ମନ୍ତୁଦ ଘଟଣା, ବିଚଳିତ କରୁଛି । ଘଟଣା ପଛରେ କଲେଜ ପ୍ରିନ୍ସିପାଲଙ୍କ ଗୁରୁତର ତ୍ରୁଟି ରହିଥିଲା । ଇଣ୍ଟରନାଲ୍ କମିଟିର ମନିଟରିଂ କରୁ ନଥିଲେ ପ୍ରିନ୍ସିପାଲ୍ । କିଛି ପିଲା କାନ୍ଦିବାର ନାଟକ କରୁଛନ୍ତି, ହେଲେ ସେମାନେ ଆତ୍ମହତ୍ୟା ପାଇଁ ଉସୁକାଇଥିଲେ । ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ, ସରକାର ତ୍ବରିତ୍ ପଦକ୍ଷେପ ନେଇଛନ୍ତି । ୧୨ ଘଣ୍ଟା ମଧ୍ୟରେ ସସ୍ପେଣ୍ଡ ଓ ଗିରଫ କରାଯାଇଛି । ତଦନ୍ତ ଠିକ୍ ବାଟରେ ଚାଲିଛି, ନ୍ୟାୟ ନିଶ୍ଚୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରତାପ ଷଡ଼ଙ୍ଗୀ ।
ତେବେ କହିରଖୁଛୁ, ଗତ ଶନିବାର ବାଲେଶ୍ବର ଏଫ ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଦେଇଥିଲେ । ଶିକ୍ଷା ବିଭାଗର ଏଚଓଡି ସମୀର ସାହୁଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ ସୌମ୍ୟାଶ୍ରୀ । ଏଚଓଡି ତାଙ୍କୁ ଫେଭର ମାଗୁଥିବା ଅଭିଯୋଗ କରିଥିଲେ । ଜୁନ୍ ୩୦ ତାରିଖରେ ଏନେଇ ପ୍ରିନ୍ସସପାଲଙ୍କ ଚାମ୍ବରରେ ଆଲୋଚନା ହୋଇଥିଲା । ହେଲେ ଅଭିଯୋଗକୁ କଲେଜ ପ୍ରଶାସନ ଗୁରୁତର ସହ ନନେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଂସଦ ସମସ୍ତଙ୍କୁ ଟ୍ୟାଗ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଜୁଲାଇ ୨ରେ ଆତ୍ମାହୁତି ଧମକ ବି ଦେଇଥିଲେ । ହେଲେ କିଛି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଜୁଲାଇ ୧୨ରେ ପ୍ରିନ୍ସିପାଲ ଚାମ୍ବର ଆଗରେ ଆତ୍ମାହୁତି ଦେଇଥିଲେ ସୌମ୍ୟାଶ୍ରୀ । ଯେଉଁଥିରେ ତାଙ୍କ ଶରୀରର ୯୫ % ଜଳିଯାଇଥିବା ବେଳେ ତାଙ୍କ ସହପାଠୀ ଉଦ୍ୟମ କରି ତାଙ୍କୁ ରକ୍ଷା କରିଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ବର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ହେଁ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେହିଦିନ ସନ୍ଧ୍ୟାରେ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ଆଉ ଏମ୍ସ ଆଇସିୟୁରେ ପ୍ରାୟ ୬୦ ଘଣ୍ଟା ଧରି ଜୀବନ ମରଣ ସହ ସଂଘର୍ଷ କରି ଶେଷରେ ହାରିଯାଇଥିଲେ ସୌମ୍ୟାଶ୍ରୀ । ଗତକାଲି ପ୍ରାୟ ରାତି ୧୨ ବେଳକୁ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।
ତେବେ ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜୁଲାଇ ୧୨ ତାରିଖରେ ଏଫଏମ କଲେଜ ପ୍ରିନ୍ସିପାଲ୍ ଦିଲ୍ଲୀପ ଘୋଷ ଓ ଏଜୁକେସନ୍ ବିଭାଗ ଏଚଓଡି ସମୀର ସାହୁଙ୍କୁ ସସପେଣ୍ଡ କରାଯାଇଥିଲା । ଏହା ପରେ ୧୨ରେ ନିଲମ୍ବିତ ଏଚଓଡି ସମୀର ସାହୁଙ୍କୁ ଗିରଫ କରାଯାଇଥିଲା । ପରେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଥିଲା । ଗତ ଦୁଇ ଦିନ ଧରି କଲେଜରେ ଉଚ୍ଚସ୍ତରୀୟ କମିଟିର ତଦନ୍ତ ହୋଇଥିଲା । ଏହାପରେ ୧୪ ତାରିଖରେ ଅର୍ଥାତ୍ ଗତକାଲି ନିଲମ୍ବିତ ପ୍ରିନ୍ସିପାଲ୍ ଦିଲ୍ଲୀପ ଘୋଷଙ୍କୁ ଗିରଫ କରାଯାଇଛି ।