
ଭୁବନେଶ୍ବର: ଆଜି ସିନା ସୌମ୍ୟାଶ୍ରୀ ନାହାନ୍ତି, ହେଲେ ତାଙ୍କୁ ବଞ୍ଚାଇବା ପାଇଁ ଶତ ଚେଷ୍ଟା କରିଥିବା ଯୁବକ ଜଣଙ୍କ ପୋଡାଜଳା ଯନ୍ତ୍ରଣା ସହ ଯୁଝି ହେଉଛନ୍ତି । ହେଲେ ତାଙ୍କୁ ଅଣଦେଖା କରାଯାଇଛି । ଯାହା ବିଭିନ୍ନ ଗଣମାଧ୍ୟମରେ ଆଜି ସକାଳୁ ପ୍ରକାଶ ପାଇବା ପରେ ଆହତ ଉଦ୍ଧାର ଉଦ୍ୟମକାରୀ ଯୁବକଙ୍କ ସହ କତା ହୋଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।ଏନେଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଲେଖିଛନ୍ତି, ଫକିର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଘଟିଥିବା ଅଘଟଣରେ ଛାତ୍ରୀଙ୍କୁ ଉଦ୍ଧାର କରିବା ସମୟରେ ମହାବିଦ୍ୟାଳୟର ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳ ଆହତ ହୋଇ ଏସସିବି ମେଡିକାଲର ବର୍ଣ୍ଣ ୟୁନିଟରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ମା’ଙ୍କ ସହିତ ଫୋନ ଯୋଗେ କଥା ହୋଇ ଜ୍ୟୋତିପ୍ରକାଶଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ବ୍ୟସ୍ତ ନହେବା ପାଇଁ ସାନ୍ତ୍ୱନା ଦେଇଛି । ତାଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏଥିପ୍ରତି ବିଶେଷ ଧ୍ୟାନ ଦେବା ନିମନ୍ତେ ବର୍ଣ୍ଣ ୟୁନିଟର ଡାକ୍ତରୀ ଦଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳ । ଯେକି ମୃତ ସୌମ୍ୟାଶ୍ରୀଙ୍କୁ ଜଳିଯାଇଥିବା ବେଳେ ମରଣମୁହଁରୁ ବଞ୍ଚାଇବା ପାଇଁ ଶତ ଉଦ୍ୟମ କରିଥିଲେ । ହେଲେ ନିଜେ ଏବେ ଲୋକଲୋଚନ ବାହାରେ ଗୁରୁତର ଅବସ୍ଥାରେ ଏସସିବି ବର୍ଣ୍ଣ ଓ୍ବାର୍ଡରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରର ୧୫ ପ୍ରତିଶତ ଜଳିଯାଇଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ହେଲେ ବିଡମ୍ବନା ଗତ ୩ ଦିନ ଧରି ସୌମ୍ୟାଶ୍ରୀଙ୍କୁ ନେଇ ରାଜ୍ୟ ଉଠୁଥିବା ପଡୁଥିବା ବେଳେ ତାଙ୍କ କଥା ଥରେ ହେଲେ କେହି ମନେ ପକାଇନଥିଲେ ।
ହେଲେ ଅବଶ୍ୟ ଏବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ହେଲେ ସେ ସୁସ୍ଥ ନାହାନ୍ତି । ଏସସିବିରେ ତାଙ୍କର ଚିକିତ୍ସା ଚାଲିଛି । ଗତ ଶନିବାର ଏଫଏମ କଲେଜରେ ଘଟିଥିବା ଘଟଣା ବେଳେ ବଡ ସାହସିକତା ଦେଖାଇଥିଲେ ଜ୍ୟୋତିପ୍ରକଶ । ଯେତେବେଳେ ଛାତ୍ରୀଙ୍କ ଦେହରେ ନିଆଁ ଲାଗିଲା, ସେତେବେଳେ ଭୟରେ କେହିବି ଆଗକୁ ନଆସିଥିବା ବେଳେ, କ୍ଷଣ ବି ଚିନ୍ତା ନକରି ନିଜ ସାର୍ଟ ଖୋଲି ସୌମ୍ୟାଶ୍ରୀଙ୍କୁ ବଞ୍ଚାଇବା ପାଇଁ ଡେଇଁପଡିଥିଲେ ଜ୍ୟୋତିପ୍ରକାଶ । ନିଜେ ପୋଡ଼ିହୋଇ ମଧ୍ୟ ସୌମ୍ୟାଶ୍ରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ଯେଉଁଥିରେ ସେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏବେ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଛି । ଏସ୍ସିବି ବର୍ଣ୍ଣ ୟୁନିଟ୍ର ଆଇସିୟୁ ନଂ-୯ରେ ଚିକିତ୍ସିତ ହେଉଛନ୍ତି ଜ୍ୟୋତିପ୍ରକାଶ ।