୨୦୩୬ ସୁଦ୍ଧା ଦୁଗ୍ଧ ଉତ୍ପାଦନ ଦ୍ୱିଗୁଣିତ କରିବାକୁ ସଙ୍କଳ୍ପ, ଏନଡିଡିବି ଏବଂ ଓମଫେଡ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

youtube

ଭୁବନେଶ୍ୱର: ଓମଫେଡ୍ ଡେରୀ ପ୍ଲାଣ୍ଟର କର୍ମଚାରୀ ମାନଙ୍କ ପାଇଁ ୬୨ଟି କ୍ୱାର୍ଟର, ମିଲ୍କ ପାଉଡର ପ୍ୟାକିଙ୍ଗ ମେସିନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଆଜି କଟକ ଠାରେ ନ୍ୟାସନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ (ଏନ୍‌.ଡି.ଡି.ବି) ଏବଂ ଓମ୍‌ଫେଡ ମଧ୍ୟରେ ଅନୁଷ୍ଠିତ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାରେ ଶ୍ୱେତ ବିପ୍ଲବର କର୍ଣ୍ଣଧାର ହେଉଛି ଓମଫେଡ୍‍ । ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମଫେଡ୍ ଡ୍ରାଇଭିଂ ଫୋର୍ସ ସାଜିଛି । ଆଗାମୀ ଦିନରେ ରାଜ୍ୟ ସରକାର ଦୁଗ୍ଧ ଉତ୍ପାଦନ ବୃଦ୍ଧି ନେଇ କାମଧେନୁ ଯୋଜନା ମାଧ୍ୟମରେ ଚାଷୀଙ୍କୁ ଅଧିକ ଅମଳକ୍ଷମ ପ୍ରଜାତିର ୧୦ ହଜାର ଗାଈ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଦୁଗ୍ଧ ଚାଷକୁ ପ୍ରୋତ୍ସାହନ ଦିଆଯାଇ ରାଜ୍ୟର ଗୋ ଅର୍ଥନୀତିକୁ ସମୃଦ୍ଧ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଓମ୍‌ଫେଡ୍ ସହିତ ଏହି ଚୁକ୍ତିନାମା ଜରିଆରେ ନ୍ୟାସନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ ଓଡିଶାର ଦୁଗ୍ଧ ଚାଷୀମାନଙ୍କୁ ଅଧିକ ଦୁଗ୍ଧ ଅମଳକ୍ଷମ ଗୀର୍, ସହିୱାଲ୍ ଓ କ୍ରସ୍ ବ୍ରିଡ୍ ପ୍ରଜାତିର ପ୍ରାୟ ୩ରୁ ୪ ହଜାର ଗାଈ ଯୋଗାଇଦେବ । ଏଥିସହିତ ଆଗାମୀ ଦିନରେ ଏନ୍‌.ଡି.ଡି.ବି ସହାୟତାରେ ରାଜ୍ୟରେ ଏକ ଗୋବର ଗ୍ୟାସ ପ୍ଲାଣ୍ଟ ମଧ୍ୟ ସ୍ଥାପନ କରାଯିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୭.୫୦ କୋଟି ଟଙ୍କା ବିନିଯୋଗରେ ୨ ହଜାରରୁ ୧୫ ହଜାର ଲିଟର ବିଶିଷ୍ଟ ୨୨ଟି ମିଲ୍କ ଟ୍ୟାଙ୍କର ରାଜ୍ୟର ବିଭିନ୍ନ ଦୁଗ୍ଧ ସଂଘ ମାନଙ୍କୁ ପ୍ରଦାନ କରିବା ସହିତ ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ତିନୋଟି ଗୁଣ୍ଡ ଦୁଗ୍ଧ ପ୍ୟାକିଙ୍ଗ ମେସିନର ଉଦ୍‌ଘାଟନ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ସମସ୍ତ ସୁବିଧା ଦ୍ୱାରା ରାଜ୍ୟର ଚାଷୀମାନଙ୍କ ଠାରୁ ଯଥେଷ୍ଟ ଅଧିକ ପରିମାଣର ଦୁଗ୍ଧ ସଂଗ୍ରହ କରାଯାଇପାରିବ । ଏବେ ରାଜ୍ୟର ଦୁଗ୍ଧ ଉତ୍ପାଦନ ୭୨ ଲକ୍ଷ ଲିଟର ରହିଛି । କିନ୍ତୁ ୨୦୩୬ ସୁଦ୍ଧା ଏହି ପରିମାଣ ୧୬୫ ଲକ୍ଷ ଲିଟର ଏବଂ ୨୦୪୭ ସୁଦ୍ଧା ଏହାକୁ ୨୭୪ ଲକ୍ଷ ଲିଟରରେ ପହଞ୍ଚାଇବା ଆମର ଲକ୍ଷ୍ୟ ବୋଲି ସେ କହିଥିଲେ ।

ସେ ଆହୁରି କହିଥିଲେ ଦୀର୍ଘ ୪୫ ବର୍ଷ ଧରି ଦୁଗ୍ଧ ଉତ୍ପାଦନ, ସଂଗ୍ରହ ଏବଂ ବିକ୍ରୟ ସହିତ ରାଜ୍ୟର ଦୁଗ୍ଧଚାଷୀ ମାନଙ୍କ ଆର୍ଥିକ ବିକାଶରେ ଓମଫେଡ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖିଆସୁଛି । ଏବେ ଓମଫେଡ୍ ଉତ୍ପାଦ ଗୁଡିକର ବିବିଧକରଣ କରିବା ସହିତ ଗୁଣ୍ଡ ଦୁଗ୍ଧ, ପନିର, ବଟର, ଛେନା ପୋଡ, ଆଇସ୍‌କ୍ରିମ୍, ସୁବାସିତ ଦୁଗ୍ଧ, ମିଠା ଦହି, ପେଡା, ରାବିଡି ଆଦି ଅନେକ ଉତ୍ପାଦ ପ୍ରସ୍ତୁତ କରୁଛି । ଯୁବବର୍ଗ ମଧ୍ୟ ଏହା ମାଧ୍ୟମରେ ଭଲ ରୋଜଗାର କରିପାରୁଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଓ ଅନ୍ୟାନ୍ୟ ନୀତିକାନ୍ତି ପାଇଁ ପ୍ରାୟ ୩୦ ମେଟ୍ରିକ ଟନ୍ ଘିଅ ଯୋଗାଇ ଦେବାକୁ ଓମ୍‌ଫେଡ୍ ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଚୁକ୍ତି ହୋଇଛି ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ, ନ୍ୟାସନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ ସହଯୋଗରେ ଓମଫେଡ୍ ପକ୍ଷରୁ ବାୟୋଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା କରିବାର ଯୋଜନା ରଖାଯାଇଛି । ଗୋବରରୁ ଗ୍ୟାସ ଉତ୍ପାଦନ କରି ନିଜେ ବ୍ୟବହାର କରିବା ସହ ବଳକା ଗ୍ୟାସ ମଧ୍ୟ ବିକ୍ରି କରିପାରିବେ । ଗୋବରରୁ ବାୟୋଗ୍ୟାସ ବାହାରିବା ପରେ ଗୋବର ମଣ୍ଡକୁ ଚାଷ ଜମିରେ ବ୍ୟବହାର କରି ଫସଲ ଉତ୍ପାଦନ ମଧ୍ୟ ବୃଦ୍ଧି କରାଯାଇ ପାରିବ । ଏହା ଦ୍ୱାରା ରାଜ୍ୟର ଗୋ-ପାଳକମାନେ ଗୋବରରୁ ମଧ୍ୟ ଆୟ କରିପାରିବେ । ଏହାଦ୍ବାରା ରାଜ୍ୟର ଗୋ – ଅର୍ଥନୀତି ସମୃଦ୍ଧ ହେବ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦୂରଦୃଷ୍ଟି ଏବଂ ଲୋକାଭିମୁଖୀ ଯୋଜନା ଫଳରେ ଦେଶରେ ମୁଣ୍ଡପିଛା ଦୁଗ୍ଧ ଉତ୍ପାଦନ ୪୭୧ ଗ୍ରାମ ରହିଛି । ଯାହା ବିଶ୍ୱର ହାରାହାରି ଉପଲବ୍ଧତା ଠାରୁ ଢେର ଅଧିକ । ରାଜ୍ୟ ସରକାର ମଧ୍ୟ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଚାଷୀ ମାନଙ୍କୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ଏହାଦ୍ୱାରା ରାଜ୍ୟର ପ୍ରାୟ ୧୫ ଲକ୍ଷ ଗୋପାଳକ ଉପକୃତ ହୋଇପାରିବେ । ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଯୋଜନାରେ ୩ ଲକ୍ଷ ହିତାଧିକାରୀ ୭୧ କୋଟି ଟଙ୍କାର ସହାୟତା ପାଇସାରିଲେଣି । ଗାଈଗୋରୁଙ୍କ ସୁରକ୍ଷା ସହ ପରିଚାଳନା ଏବଂ ଚିକିତ୍ସା ପାଇଁ ମଧ୍ୟ ଆମ ସରକାର ଗୋମାତା ଯୋଜନା ଲାଗୁ କରିଛନ୍ତି । ନୂତନ ଗୋଶାଳା ପ୍ରତିଷ୍ଠା ଏବଂ ପଞ୍ଜୀକୃତ ଗୋଶାଳାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାଣୀକଲ୍ୟାଣ ଯୋଜନାରେ ସହାୟତା ଦେବାକୁ ଲକ୍ଷ୍ୟ ରଖିଛନ୍ତି । ଏସମସ୍ତ ପଦକ୍ଷେପ ରାଜ୍ୟର ମୁଣ୍ଡପିଛା ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରିବ ବୋଲି ସେ କହିଥିଲେ ।

ଏଥିସହିତ ଓମ୍‌ଫେଡ୍ କେନ୍ଦ୍ର ବୈଠକ ଗୃହ ଠାରେ ବିଭାଗୀୟ ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପାୱାର ପଏଣ୍ଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ବିଷୟରେ ତଥ୍ୟ ପ୍ରଦାନ କରିଥିଲେ ଓ ମୁଖ୍ୟମନ୍ତ୍ରୀ, ସମସ୍ତ ଦୁଗ୍ଧ ଚାଷୀ ମାନଙ୍କ ସହ କଥା ହୋଇ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ।

Leave A Reply

Your email address will not be published.