ବନ୍ୟ ଘୁଷୁରୀ ଶିକାର ଅଭିଯୋଗରେ ୧୧ ଗିରଫ, ୪୩ କେଜି ମାଂସ ଜବତ

youtube

ମାଲକାନଗିରି: ବନ୍ୟଜନ୍ତୁ ଶିକାର ଅଭିଯୋଗରେ ମାଲକାନଗିରି ଜିଲ୍ଲାର ସାରକୁବନ୍ଧା ଗ୍ରାମରୁ ୧୧ ଜଣଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ ଓ ରାଜସ୍ୱ ବିଭାଗର ଏକ ମିଳିତ ଟିମ୍ ଏହି ଚଢ଼ାଉ କରିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ରେଞ୍ଜ ଅନ୍ତର୍ଗତ ରେଲାଗେଡା ନିକଟ ସିଲେରୁ ପୂର୍ବ ସଂରକ୍ଷିତ ଜଙ୍ଗଲରେ କିଛି ଲୋକ ବନ୍ୟ ଘୁଷୁରୀ ଶିକାର କରିବା ସହ ତା’ର ମାଂସ ଗଚ୍ଛିତ ରଖିଥିବା ନେଇ ବନ ବିଭାଗକୁ ସୂଚନା ମିଳିଥିଲା। ଏହି ସୂଚନାକୁ ଆଧାର କରି ମିଳିତ ଟିମ୍ ସାରକୁବନ୍ଧା ଗ୍ରାମରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ପ୍ରାୟ ୪୨.୯୭ କିଲୋଗ୍ରାମ ବନ୍ୟ ଘୁଷୁରୀ ମାଂସ ଜବତ କରାଯାଇଛି।

ଏହା ସହିତ ଶିକାରୀଙ୍କ ନିକଟରୁ ଦୁଇଟି ଜୀବନ୍ତ ଘୁଷୁରୀ, ଶିକାର ପାଇଁ ବ୍ୟବହୃତ ୧୦ଟି ଯାନ ଏବଂ ଅନ୍ୟାନ୍ୟ ଶିକାର ସରଞ୍ଜାମ ମଧ୍ୟ ଜବତ କରାଯାଇଛି। ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଇ ମାଲକାନଗିରି ଏସଡିଜେଏମ୍ କୋର୍ଟକୁ ଚାଲାଣ କରାଯାଇଛି।

ଭବିଷ୍ୟତରେ ଏହି ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ରୋକିବା ପାଇଁ ଅଭିଯାନକୁ ଆହୁରି ଜୋରଦାର କରାଯିବ ଏବଂ ସ୍ଥାନୀୟ ଅଞ୍ଚଳରେ ହେଉଥିବା ବନ ଅପରାଧ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.